ବିପୁଳ ଅର୍ଥ ଖର୍ଚ୍ଚ; ତଥାପି ସୁଧୁରୁନି ନଗଡ଼ା ଜୁଆଙ୍ଗଙ୍କ ଜୀବନଜୀବିକା ଚିତ୍ର

୬ ଅଧିକାରୀଙ୍କୁ ଲୋକାୟୁକ୍ତଙ୍କ କୈଫିୟତ ତଲବ

ଭୁବନେଶ୍ୱର: ଯାଜପୁରର ବହୁ ଚର୍ଚ୍ଚିତ ନଗଡା ପୁଣିଥରେ ଲୋକଲୋଚନକୁ ଆସିଛି। ଏଥର ନଗଡା ଶିଶୁଙ୍କୁ ପୁଷ୍ଟିହୀନତା କିମ୍ବା ମୃତ୍ୟୁଜନିତ ଖବର ନୁହେଁ ବରଂ ସରକାରଙ୍କ ପକ୍ଷରୁ ସେଠାରେ ବିକାଶ ପାଇଁ ଖର୍ଚ୍ଚ ହୋଇଥିବା ୨୩କୋଟି ଟଙ୍କାରେ ଦୁର୍ନୀତି ହୋଇଥିବା ଘଟଣାରେ ଲୋକାୟୁକ୍ତ ହସ୍ତକ୍ଷେପ କରିଛନ୍ତି। ସିଭିଲ ସୋସାଇଟି ପକ୍ଷରୁ ଏସଂକ୍ରାନ୍ତରେ ବିସ୍ତୃତ ଅଭିଯୋଗ ପରେ ଲୋକାୟୁକ୍ତ ଅଧ୍ୟକ୍ଷ ଉକ୍ତ ମାମଲାକୁ ଗ୍ରହଣ କରି ଯାଜପୁର ପ୍ରକଳ୍ପ ନିର୍ଦେଶକ, ବିଡ଼ିଓ, ନିର୍ବାହୀଯନ୍ତ୍ରୀ, ସମାଜ କଲ୍ୟାଣ ଅଧିକାରୀ ଓ ନିର୍ବାହୀଯନ୍ତ୍ରୀ ସେସୁ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଅଧିକାରୀଙ୍କୁ କୈଫିୟତ ତଲବ କରାଯାଇଛି। ଆସନ୍ତା ଦେଢ଼ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ଲୋକାୟୁକ୍ତ ଅଧ୍ୟକ୍ଷ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୬ରେ ଯାଜପୁରର ନଗଡାରେ ରହୁଥିବା ଜୁଆଙ୍ଗ ଆଦିବାସୀମାନେ ଅପପୁଷ୍ଟିର ଶିକାର ହୋଇଥିବା ନେଇ ଖବର ପ୍ରକାଶିତ ହୋଇଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ ୧୯ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏହି ଖବରକୁ ନେଇ ଜାତୀୟସ୍ତରରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏହାକୁ ସରକାର ଗୁରୁତ୍ବର ସହ ଗ୍ରହଣ କରି ସେଠାରେ ବିକାଶ କରିବାପାଇଁ ବହୁମୁଖୀ ଏଜେଣ୍ଡା ପ୍ରସ୍ତୁତ କରିଥିଲେ। ପାହାଡରେ ରହୁଥିବା ଆଦିବାସୀମାନଙ୍କ ନିକଟରେ ସରକାର ପହଞ୍ଚିବା ସହିତ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏନେଇ ସରକାରଙ୍କ ପକ୍ଷରୁ ଗତ ଅଢ଼େଇ ବର୍ଷ ମଧ୍ୟରେ ପ୍ରାୟ ୨୩କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ସବୁ ଟଙ୍କା କାଗଜପତ୍ରରେ ଖର୍ଚ୍ଚ ହୋଇଛି ବୋଲି ସିଭିଲ ସୋସାଇଟି ପକ୍ଷରୁ ଅଭିଯୋଗ ହୋଇଛି। ଅଧିକାରୀମାନେ ସଲାସୁତୁରା କରି ସବୁ ଅର୍ଥ ଆତ୍ମସାତ୍ କରିଛନ୍ତି। ଯେହେତୁ ଏହି ନଗଡାକୁ ବଡ଼ ବଡ଼ିଆଙ୍କ ପାଦ ପଡ଼ୁନାହିଁ ତେଣୁ କେହି ଏହି ଦୁର୍ନୀତିର ଟେର ପାଇବେ ନାହିଁ ଭାବି ଏଠାକାର ବିକାଶ ଅର୍ଥକୁ ଲୁଟ୍ କରିଛନ୍ତି ବୋଲି ସୋସାଇଟି ପକ୍ଷରୁ କୁହାଯାଇଛି। ନଗଡାକୁ ରାସ୍ତା ପାଇଁ ୧୫କୋଟି ଟଙ୍କା ସରକାର ଦେଇଥିଲେ ମଧ୍ୟ ସେଠାରେ ଯେଉଁ ରାସ୍ତାକାମ ହୋଇଛି ତାହା ତଦନ୍ତ ସାପେକ୍ଷ। ସେହିପରି ନଗଡା ଗ୍ରାମ୍ୟ ରାସ୍ତାପାଇଁ ଖର୍ଚ୍ଚ ହୋଇଥିବା ୮୩.୯୮ଲକ୍ଷ ଟଙ୍କା, ବିଦ୍ୟୁତ୍ ଭିତ୍ତିଭୂମି ପାଇଁ ୧.୮କୋଟି, ବାସଗୃହ ପାଇଁ ୧.୩୮କୋଟି,ଅଙ୍ଗନବାଡି କେନ୍ଦ୍ର ଓ ସ୍ବଚ୍ଛ ପାନୀୟଜଳ ପାଇଁ ପ୍ରାୟ ୫୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ସବୁ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି।
ସରକାରଙ୍କ ଅର୍ଥର ସଦୁପଯୋଗ ହୋଇ ନଥିବାରୁ ନଗଡାବାସୀ ଏବେ ଅପହଞ୍ଚ ହୋଇ ସମାଜଠାରୁ ରହିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। ସେଠାକାର ଲୋକଙ୍କ ଜୀବନ ଜୀବିକାରେ ଉନ୍ନତି କରିବାପାଇଁ ସରକାର ଯେଉଁ ମନସ୍ଥ କରିଥିଲେ ତାହା କେବଳ କାଗଜକଲମରେ ରହି ଯାଇଛି। ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋସାଇଟି ପକ୍ଷରୁ ଦାବି ହୋଇଛି।

Comments are closed.