୪ର୍ଥ ପର୍ଯ୍ୟାୟ ତାଲାବନ୍ଦ ଅବଧିର ଆଜି ଶେଷଦିନ, ଉପକୂଳରେ ବଢ଼ିବ କଟକଣା

ଭୁବନେଶ୍ବର: ଜୁନ ମାସ ସରିବାକୁ ଦିନଟିଏ ବାକି। ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ଅବଧି ଆଜି ଶେଷ ହେଉଛି। ଆଜି ଅପରାହ୍ଣ ୧.୩୦ରେ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ପରବର୍ତ୍ତୀ ନିଷ୍ପତ୍ତି ଓ କଟକଣା ସମ୍ପର୍କରେ ସୂଚନା ଦେବେ।

ଏହା ଭିତରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଦୈନିକ ସଂକ୍ରମଣ ସ୍ଥିତିରେ ଅନେକ ସୁଧାର ଆସିଛି; ହେଲେ ଉପକୂଳ ଓଡ଼ିଶାର ୬ଟି ଜିଲାରେ ଏଇ ତାଲାବନ୍ଦର ପ୍ରଭାବ ବିଶେଷ ପଡିନି। ତେଣୁ ଏଠାରେ ପୁଣି କଠୋର କଟକଣା ସହ ତାଲାବନ୍ଦ ଅବଧି ବଢାଯିବା ନେଇ ସରକାର ବିଚାର କରୁଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରୁ ଏଭଳି ସଙ୍କେତ ମଧ୍ୟ ଆସିଛି। ରାଜ୍ୟରେ ଦୈନିକ ସଂକ୍ରମଣ ୫ ପ୍ରତିଶତ ଉପରେ ରହୁଛି। ୧୪ଟି ଜିଲାରେ ଦୈନିକ ସଂକ୍ରମଣ ହାର ମଙ୍ଗଳବାର ଶୂନ୍ୟରୁ ୨ ପ୍ରତିଶତ ଭିତରେ ଥିବାବେଳେ ୨ରୁ ୫ ପ୍ରତିଶତ ସଂକ୍ରମଣ ଥିବା ୬ଟି ଜିଲା ରହିଛି। ଏଥିରୁ ଅଧିକାଂଶ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର। ସବୁଠୁ ଚିନ୍ତାର ବିଷୟ ହେଉଛି, ରାଜ୍ୟର ୧୦ଟି ଜିଲା ୫ରୁ ୧୩ ପ୍ରତିଶତ ଭିତରେ ରହିଛନ୍ତି। ବିଶେଷକରି ବାଲେଶ୍ବର, ମୟୁରଭଞ୍ଜ, ଯାଜପୁର, ଖୋର୍ଦ୍ଧା, କଟକ ଓ ପୁରୀ ଜିଲାରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସୁନି। ଯାଜପୁର ଜିଲାରେ ଯଦିଓ ଆଜିର ସଂକ୍ରମଣ ହାର ୪.୩ ପ୍ରତିଶତ ରହିଛି, ତଥାପି ଜିଲାର ହାରାହାରି ସ୍ଥିତି ଭଲ ନାହିଁ।

କଟକଣା ସତ୍ତ୍ବେ ଉପକୂଳ ଜିଲାରେ ସଂକ୍ରମଣ କମୁନି। ତେଣୁ କଟକଣାକୁ ଅଧିକ କଠୋର କରିବାକୁ ସରକାର ଚିନ୍ତା କରୁଛନ୍ତି। ଏନେଇ ଆଜି ଏକପ୍ରକାର ସଙ୍କେତ ମଧ୍ୟ ସରକାରଙ୍କ ଆଡୁ ମିଳିଛି। ଏହି ପୁରୀ ସମେତ ୬ଟି ଜିଲାରେ ତାଲାବନ୍ଦ ଅବଧି ପୁଣି ବଢିପାରେ। ଆଗକୁ ମହାପ୍ରଭୁଙ୍କ ଘୋଷଯାତ୍ରା ଥିବାରୁ ସ୍ବାଭାବିକ ଭାବେ ପୁରୀରେ କଟକଣା ରହିବ। ପୁରୀ ସହିତ ଅନ୍ୟ ୫ଟି ଜିଲାରେ ମଧ୍ୟ କରୋନା କଟକଣା ଅଧିକ କଠୋର ହେବା ଜଣାପଡୁଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ସ୍ଥିତି ନିୟନ୍ତ୍ରଣକୁ ଆସିଥିବାରୁ ଏଠାରେ ପୂର୍ବାପେକ୍ଷା କଟକଣା କୋହଳ କରାଯିବା ନେଇ ସୂଚନା ମିଳୁଛି। ତେବେ ରାଜ୍ୟବ୍ୟାପୀ ସପ୍ତାହାନ୍ତ ବନ୍ଦ ଓ ରାତିକାଳିନ ସାନ୍ଧ୍ୟ ଆଇନ (କର୍ଫ୍ୟୁ) ବଳବତ୍ତର ରହିପାରେ। ଏପରିକି ମଲ୍‌, ସନ୍ତରଣାଗାର(ସୁଇମିଂ ପୁଲ୍‌), ସାମାଜିକ ସମାବେଶ, ଯାତ୍ରା, ଶିକ୍ଷାନୁଷ୍ଠାନ ବନ୍ଦ ରହିବ ଓ ବିବାହ ତଥା ଶୁଦ୍ଧିକ୍ରିୟା କଟକଣା ପୂର୍ବଭଳି ବଳବତ୍ତର ରହିପାରେ।

Comments are closed.