ଓଡିଶାକୁ ଖୁବ୍‌ଶୀଘ୍ର ମିଳିବ ତିତ୍‌ଲି ସହାୟତା​‌ ରାଶି:ରାଜନାଥ ସିଂହ

0

ଭୁବନେଶ୍ବର: ତିତ୍‌ଲି କ୍ଷତିପୂରଣ ବାବଦ ସହାୟତା ରାଶି ତୁରନ୍ତ ପ୍ରଦାନ କରାଯିବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ଖୁବଶୀଘ୍ର ସହାୟତା ପ୍ରଦାନ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ତିତ୍‌ଲି ସହାୟତା ରାଶି ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅକ୍ଟୋବର ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗତ ୧୩ ତାରିଖରେ ସ୍ବରାଷ୍ଟ୍ରମନ୍ତ୍ରୀ ଶ୍ରୀ ସିଂହଙ୍କୁ ପତ୍ର ଲେଖିଥିଲେ। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୨୦୨୩ କୋଟି ଟଙ୍କା ଯୋଗାଇ ଦେବାକୁ ସେ ଅନୁରୋଧ କରିଥିଲେ।
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସେ ଲେଖିଥିବା ପତ୍ରରେ ଉଲ୍ଲେଖ କରିଥିଲେ ଯେ ଗତ ଅକ୍ଟୋବର ମାସରେ ଦେଖା ଦେଇଥିବା ତିତ୍‌ଲି ଝଡ଼ ପ୍ରଭାବରେ ଓଡ଼ିଶାର ୧୭ଟି ଜିଲାର ୬୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। କ୍ଷୟକ୍ଷତି ଆକଳନ ପରେ ଉଦ୍ଧାର ଓ ଥଇଥାନ ପାଇଁ ଆବଶ୍ୟକ ଥିବା ୨୭୭୯ କୋଟି ଟଙ୍କାରୁ ୨୦୨୩ କୋଟି ଟଙ୍କା ଯୋଗାଇ ଦେବାକୁ କୁହାଯାଇ ଥିଲା। ସେଥିରୁ ମଧ୍ୟବର୍ତ୍ତୀକାଳୀନ ସହାୟତା ବାବଦରେ ଅଗ୍ରିମ ୧୦୦୦ କୋଟି ଟଙ୍କା ପ୍ରଦାନ କରିବା ନେଇ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା।
ଗତ ନଭେମ୍ବର ମାସରେ ଅାନ୍ତଃ ମନ୍ତ୍ରିସ୍ତରୀୟ କମିଟି ତିତ୍‌ଲି ଦ୍ବାରା ପ୍ରଭାବିତ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ଆକଳନ କରି ଫେରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା ରାଶି ମିଳିନାହିଁ। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ ଥିବା ଅର୍ଥରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ କରାଯାଇଛି।
ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଅନୁଦାନ ମିଳିଲେ ଅନ୍ୟାନ୍ୟ କାର୍ଯ୍ୟ କରାଯିବ। ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି କେନ୍ଦ୍ରୀୟ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ସେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହଙ୍କୁ ଜଣାଇଥିଲେ। ଆଜି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସହ କଥା ହୋଇଥିଲେ।

Leave A Reply