କେରଳରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଆଣିବାକୁ ପ୍ରଶାସନକୁ ଗୁହାରୀ କଲେ ପରିବାର

ଲାଞ୍ଜିଗଡ଼: ବୁଧବାର କେରଳରେ ପୁଣି ଜଣେ ଓଡ଼ିଶା ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କେରଳରେ ରାଜମିସ୍ତ୍ରୀ ଭାବେ କାମ କରୁଥିବା କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ମୂଷାନାଳ ଗାଁର ପ୍ରଦୀପ ହରିଜନ(୩୦) ନୂଆ ବର୍ଷ ଅବସରରେ ଖାଇପିଇ ଶୋଇଥିବା ଅବସ୍ଥାରେ ଅକସ୍ମାକ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ଅନ୍ୟପକ୍ଷରେ ମୃତକଙ୍କ ଗରିବ ଓ ଅସହାୟ ପରିବାର ପ୍ରଦୀପଙ୍କ ମୃତଦେହ ଆଣିବା ପାଇଁ ଶ୍ରମ ଅଧିକାରୀଙ୍କ ନିକଟରେ ଗୁହାରୀ କରିଛନ୍ତି।

ସୂଚନା ଅନୁସାରେ, ଗାଁରେ କାମଧନ୍ଦା ନଥିବାରୁ ପରିବାରର ଭରଣପୋଷଣ ପାଇଁ ପ୍ରଦୀପ ବାହାର ରାଜ୍ୟକୁ ଗୋଡ଼ କାଢିଥିଲେ। କେରଳର ମନ୍ଦ୍ରୁକେରାର ଜଣେ ଠିକାଦାରଙ୍କ ପାଖରେ ଦୀର୍ଘ ୪ ବର୍ଷ ହେଲା ଜଣେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ଗତକାଲି ନୂଆବର୍ଷ ଛୁଟି ପାଇଁ ଘରେ ଖାଇପିଇ ଶୋଇଥିବା ଅବସ୍ଥାରେ ଅକସ୍ମାକ ତାଙ୍କର ମୃତ୍ୟୁ ହୋଇଥିଲା। ସକାଳେ ସାଙ୍ଗସାଥିମାନେ ଡାକିବା ସମୟରେ ଜାଣିପାରିଥିଲେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅଷ୍ପଟ ରହିଛି। ଏହି ଘଟଣା ସମ୍ପର୍କରେ ଗାଁକୁ ଖବର ଆସିବା ପରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ସ୍ତ୍ରୀ ଭାନୁମତି, ବାପା ସୁର୍ଦଶନ ପୂଅର ଶବକୁ ଅପେକ୍ଷା କରି ଜଗି ବସିଛନ୍ତି। ପ୍ରଦୀପଙ୍କ ପରିବାର ଲୋକେ ମୁଷାନାଳ ସରପଞ୍ଚ ବିଷ୍ଣୁଚରଣ ଭୋଇଙ୍କ ନିକଟରେ ଶବ ଆଣିବା ପାଇଁ ଗୁହାରୀ କରିଥିଲେ। ଏହାପରେ ଗୁରୁବାର ସକାଳୁ ସରପଞ୍ଚ ବିଷ୍ଣୁଚରଣ ଭୋଇ ଓ ମୃତକଙ୍କ ପରିବାର ଲୋକେ କେରଳରୁ ଶବ ଆଣିବା ପାଇଁ କଳାହାଣ୍ଡି ଶ୍ରମ ଅଧିକାରୀଙ୍କ ନିକଟରେ ଗୁହାରୀ କରିଛନ୍ତି। ମୃତକଙ୍କ ପରିବାର ଅତ୍ୟନ୍ତ ଅସହାୟ ଓ ଗରିବ ହୋଇଥିବାରୁ କେରଳରୁ ଶବ ଆଣିବା ସେମାଙ୍କ ପକ୍ଷରେ ସମ୍ଭବପର ନୁହେଁ, ସେଥିପାଇଁ ଶବ ଆଣିବା ପାଇଁ ପ୍ରଶାସନର ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

Comments are closed.