ଚାପରେ କାରାଗାର : କ୍ଷମତା ୧୫,୫୦୦; ଅଛନ୍ତି ୧୮,୫୦୦

ଭୁବନେଶ୍ବର : ରାଜ୍ୟରେ ଏବେ ୮୬ଟି କାରାଗାର କାର୍ଯ୍ୟ କରୁଛି। ଏସବୁ କାରାଗାରରେ ହାରାହାରି ୧୫,୫୦୦ କଏଦୀ ରହିବାର କ୍ଷମତା ଅଛି। କୋଭିଡ୍‌-୧୯ କଟକଣା ଯୋଗୁଁ ସମ୍ପ୍ରତି କୋର୍ଟ କାର୍ଯ୍ୟ ସୁଚାରୂପେ ଚାଲି ପାରୁ ନ ଥିବାରୁ ଏବେ କାରାଗାରଗୁଡ଼ିକରେ କ୍ଷମତାଠାରୁ ଅଧିକ ୩୦୦୦ କଏଦୀ ରହୁଛନ୍ତି। ଏବେ କାରାଗାରଗୁଡ଼ିକରେ ୧୮,୫୦୦ରୁ ଅଧିକ କଏଦୀ ଅଛନ୍ତି। କଏଦୀଙ୍କୁ ବେଲ୍‌ ମିଳୁ ନ ଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। କାରାଗାର ବିଭାଗ ପାଇଁ ଗତ କିଛି ଦିନ ହେବ ପୁଣି ଚିନ୍ତା ବଢ଼ିଯାଇଛି ବୋଲି କହିଛନ୍ତି କାରାଗାର ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ।

ମାର୍ଚ୍ଚ କୋଭିଡ୍‌-୧୯ ପାଇଁ କାରାଗାରଗୁଡ଼ିକରୁ କଏଦୀଙ୍କ ସଂଖ୍ୟା ହ୍ରାସ କରିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ରାଜ୍ୟ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷଙ୍କ ପ୍ର‌େ‌ତ୍ୟକ ତତ୍ତ୍ବାବଧାନରେ ଜିଲାପାଳ, ଏସ୍‌ପି ଓ କାରାଗାର ମୁଖ୍ୟଙ୍କୁ ନେଇ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଥିଲା। ଏହି କମିଟି ବନ୍ଦୀଙ୍କ କମ ଦଣ୍ଡାଦେଶ ରହିଥିବା ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଏବଂ ଦୀର୍ଘଦିନ ଧରି ସଜା କାଟୁଥିବା ଓ ଉତ୍ତମ ଚାଳିଚଳଣି ଥିବା କଏଦୀମାନଙ୍କୁ ମୁକ୍ତ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ମାର୍ଚ୍ଚ ୨୦ରୁ ସେପ୍‌ଟେମ୍ବର ୨୮ ପର୍ଯ୍ୟନ୍ତ ରାଜ୍ୟର କାରାଗାରାଗୁଡିକରୁ ସମୀକ୍ଷା କରାଯାଇ ପର୍ଯ୍ୟାୟକ୍ରମେ ୧୬,୭୮୯ରୁ ଅଧକ କଏଦୀଙ୍କୁ ଜାମିନ୍‌ ଦିଆଯାଇ ମୁକ୍ତ କରାଯାଇଥିଲା।

ସେହିପରି ଅଧିକ ଭିଡ଼ ଥିବା କାରାଗାରରୁ ଅପେକ୍ଷାକୃତ କମ କଏଦୀ ଥିବା କାରାଗାରକୁ ୧୪୫୨ କଏଦୀଙ୍କୁ ବିଭିନ୍ନ କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ୩୮୯ ଜଣ ଦଣ୍ଡାଦେଶ ପାଇ ସଜା କାଟୁଥିବା କଏଦୀଙ୍କୁ ଏହି ସମୟରେ ମୁକ୍ତ କରାଯାଇଥିଲା ବୋଲି କାରାଗାର ବିଭାଗରୁ ଜଣାପଡିଛି। ହେଲେ ବର୍ତ୍ତମାନ ସମୟ ବଦଳିଛି। କାରାଗାରରେ କଏଦୀଙ୍କ ଭାର ପୁଣି ବଢ଼ିଛି। କରୋନାର ଭୟ କମିନି ହେଲେ କାରାଗାରଗୁଡ଼ିକ ଭିଡ଼ ବଢ଼ିଛି। ବିଭାଗର ଏକ ଆକଳନ ଅନୁସାରେ କାରଗାରଗୁଡ଼ିକରେ ଗତ ୨ ବର୍ଷ ହେବ କଏଦୀଙ୍କ ସଂଖ୍ୟା ୬ରୁ ୭ ପ୍ରତିଶତ ବୃଦ୍ଧି ପାଇଛି। ରାଜ୍ୟ ସରକାର ନିକଟରେ ନୂତନ ଜେଲ୍‌ ମାନୁଆଲ୍‌-୨୦୨୦ ନୀତି କାର୍ଯ୍ୟକାରୀ କରିଛନ୍ତି। ପ୍ରତି ୬ ଜଣ କଏଦୀଙ୍କ ପାଇଁ ଜଣେ ୱାର୍ଡର ବ୍ୟବସ୍ଥା ରହିଛି।

ଏହି ନିୟମ ଅନୁସାରେ କାରାଗାର ବିଭାଗରେ ଏକକ ଲୋକବଳର ଅଭାବ ରହିଛି।କାରାଗାରରେ ସ୍ବତନ୍ତ୍ର ସେଲ୍‌ମାର୍ଚ୍ଚ ୨୦ରୁ କାରାଗାରାଗୁଡ଼ିକରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଗିରଫ ହେଉଥିବା ନୂତନ କଏଦୀଙ୍କ ପାଇଁ ସ୍ବତନ୍ତ୍ର ସେଲ୍‌ ଗଠନ କରାଯାଇଥିଲା। ପୁଲିସ ଯେଉଁମାନଙ୍କୁ ଗିରଫ କରିବ ସମ୍ପଅକ୍ତ ଅଭିଯୁକ୍ତଙ୍କର କୋଭିଡ୍‌-୧୯ ପରୀକ୍ଷା ବାଧ୍ୟତାମୂଳକ କରାଯାଇଥିଲା। ତଥାପି କାରାଗାରରେ ପହଞ୍ଚିବା ପରେ କଏଦୀଙ୍କ ପାଇଁ ସ୍ବତନ୍ତ୍ର ସଂଗରୋଧ କେନ୍ଦ୍ର ଭାବେ ଏକ ସେଲ୍ ରଖାଯାଇଥିଲା। ସେଲ୍‌ରେ କିଛି ଦିନ ରହିବା ପରେ ସେମାନଙ୍କୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଉଥିଲା। ଜେଲ୍‌ ଭିତରେ ଥିବା ସଙ୍ଗରୋଧ କେନ୍ଦ୍ରକୁ ନିୟମିତ ଭାବେ ବିଶୋଧନ କରାଯାଉଥିଲା। ସେହିପରି କାରାଗାର ମଧ୍ୟରେ କଏଦୀମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ଲାଗି ପରାମର୍ଶ ଦିଆଯାଉଥିଲା। କଏଦୀମାନଙ୍କ ଶୌଚାଳୟକୁ ବାରମ୍ବାର ବିଶୋଧନ କରାଯାଉଥିଲା।୩୧୦ କଏଦୀ ପଜିଟିଭିକଏଦୀମାନଙ୍କର ନିୟମିତ ଥର୍ମାଲ୍ ସ୍କାନିଂ କରାଯିବା ଲାଗି ପ୍ରତି ଜେଲ୍‌କୁ ଥର୍ମାଲ୍ ସ୍କାନି ମେସିନ୍‌ ଯୋଗାଇ ଦିଆଯାଇଥିଲା। ଜେଲ୍‌କୁ ଆସୁଥିବା ନୂତନ କଏଦୀଙ୍କର କାରାଗାରରେ ସ୍ବାସ୍ଥ୍ୟ ପରୀକ୍ଷା, ବିଶୋଧନ ଏବଂ ଭ୍ରମଣ ବିବରଣୀକୁ ନେଇ ଡାକ୍ତର ପରାମର୍ଶ ଦେଇଥାନ୍ତି।

ସେହିପରି ସେମାନଙ୍କୁ ମାସ୍କ ପିନ୍ଧି ରହିବାକୁ ଥିଲା। ଲକ୍ଷଣ ଥିବା କଏଦୀଙ୍କୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା ମୁତାବକ ଚିକିିତ୍ସା ଦିଆଯାଉଥିଲା। ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟର ବିଭିନ୍ନ କାରାଗାରର ୩୧୦ ଜଣ କଏଦୀ ପଜିଟିଭ ହୋଇପଡିଥିବା ଜଣାପଡିଥିଲା। ତେବେ ଆବଶ୍ୟକ କଟକଣା ପରେ ଆଉ ଅଧିକ ପଜିଟିଭି ରୋଗୀ ଚିହ୍ନଟ ହୋଇନାହାନ୍ତି। ଗଞ୍ଜାମ ଜିଲାରେ ଅଧିକ ପଜିଟିଭ କଏଦୀ ଥିବାରୁ ସେଠାରେ ସ୍ବତନ୍ତ୍ର ଭାବେ ଏକ କୋଭିଡ୍‌ କେୟାର ସେଣ୍ଟର ସ୍ଥାପନ କରାଯାଇଥିଲା।

Comments are closed.