ଆଗାମୀ ପର୍ବପର୍ବାଣୀ ପାଇଁ ନିୟମ କଡ଼ାକଡ଼ି, ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ନେଇ ସରକାର ଚିନ୍ତାରେ। ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଆଗକୁ ଥିବା ବିଭିନ୍ନ ପର୍ବପର୍ବାଣୀକୁ ନେଇ କଟକଣା ଜାରି କରିଛନ୍ତି। ପର୍ବପର୍ବାଣୀରେ ଯେପରି ଅଧିକ ଜନସମାଗମ ନ ହୁଏ ସେଥିପ୍ରତି ଦୃଷ୍ଟି ଦେଇ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

ଗୁଡ୍ ଫ୍ରାଇଡେ, ପଣା ସଂକ୍ରାନ୍ତି, ଝାମୁ ଯାତ୍ରା, ଦଣ୍ଡ ଯାତ୍ରା, ରାମନବମୀ ଆଦି ପର୍ବପର୍ବାଣୀ ଉପରେ କଟକଣା ଜାରି କରାଯାଇଛି। ସର୍ବସାଧାରଣ ସ୍ଥାନରେ ଏସବୁ ପର୍ବ ପାଳନ ଓ ଜନ ଗହଳିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କୋଭିଡ୍ ନିୟମ ମାନି ସୀମିତ ଲୋକଙ୍କୁ ନେଇ ଧାର୍ମିକସ୍ଥଳୀରେ କେବଳ ନୀତିକାନ୍ତି ପାଳନ ହେବ। ସ୍ଥାନୀୟ ସ୍ଥିତିକୁ ଦେଖି ଜିଲ୍ଲାପାଳ ଓ କମିଶନର ଆବଶ୍ୟକ କଟକଣା ଜାରି କରିବେ। କେତେ ଶ୍ରଦ୍ଧାଳୁ ମନ୍ଦିର ବା ଚର୍ଚ୍ଚ ଯାଇପାରିବେ ଏନେଇ ଜିଲ୍ଲାପାଳ ନିଷ୍ପତି ନେବେ।

ଏନେଇ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Comments are closed.