୬୮ ଜୀବନ ବଞ୍ଚାଇଲେ ଓଡ଼ିଶା ଆଇପିଏସ୍

କଟକ: ଓଡ଼ିଶା ରାଜ୍ୟ ସଡ଼କ ଓ ପରିବହନ ନିଗମର ପରିଚାଳନା ନିର୍ଦେଶକ ତଥା ଭାରତୀୟ ପୁୁଲିସ୍ ସେବାର ବରିଷ୍ଠ ଅଧିକାରୀ (ଏଡିଜି) ଅରୁଣ ବୋଥ୍ରା ନୂଆଦିଲ୍ଲୀର ଏକ ଡାକ୍ତରଖାନା ପାଇଁ ଆବଶ୍ୟକ ହେଉଥିବା ଅମ୍ଳଜାନ ଯୋଗାଡ଼ କରି ୬୮ ଜଣ ରୋଗୀଙ୍କ ଜୀବନ ବଞ୍ଚାଇ ପାରିଛନ୍ତି। ଏଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ଓ ରୋଗୀଙ୍କ ସମ୍ପର୍କୀୟ ଶ୍ରୀ ବୋଥ୍ରାଙ୍କୁ ସାଧୁବାଦ ଜଣାଇଛନ୍ତି।

ଗୁରୁବାର ନୂଆଦିଲ୍ଲୀର ନଙ୍ଗଲୋଇସ୍ଥିତ ରାଠି ଡାକ୍ତରଖାନାରେ ଅମ୍ଳଜାନ ଅଭାବଜନିତ ସମସ୍ୟା ଦେଖା ଦେଇଥିଲା। ସେଠାରେ ୬୮ ଜଣ ରୋଗୀଙ୍କ ଶରୀରରେ ଅମ୍ଳଜାନ ସଂଯୋଗ ହୋଇଥିଲା। ତୁରନ୍ତ ଅମ୍ଳଜାନ ସିଲିଣ୍ଡର ଯୋଗାଇ ଦେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ। ସେଠାରୁ କୌଣସି ଉତ୍ତର ନମିଳିବାରୁ ଅନ୍ୟ ଡାକ୍ତରଖାନା ସହ ଯୋଗାଯୋଗ କରିଥିଲେ। ଏହି ଯୋଗାଯୋଗ ପ୍ରକ୍ରିୟା ସକାଳୁ ଆରମ୍ଭ ହୋଇ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଜରୁରୀକାଳୀନ ସହାୟତା ନମ୍ବରରେ ଫୋନ କରିଥିଲେ ମଧ୍ୟ କେହି ଉଠାଇ ନଥିଲେ। ଅମ୍ଳଜାନ ଅଭାବ କଥା ଶୁଣି ଆଉ କେତେକ ଫୋନ କାଟି ଦେଇଥିଲେ।

ଶେଷରେ ରାତି ପ୍ରାୟ ୨ଟାରେ ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସଂଯୋଗ କରି ଏକ ଟ୍ବିଟ୍ କରିଥିଲେ। ସେ ଲେଖିଥିଲେ ଯେ, ‘ଆମ ଡାକ୍ତରଖାନାରେ ୬୮ ରୋଗୀଙ୍କ ଶରୀରରେ ଅମ୍ଳଜାନ ସଂଯୋଗ ହୋଇଛି। ମାତ୍ର ୨ଘଣ୍ଟା ମଧ୍ୟରେ ଏହା ଶେଷ ହୋଇଯିବ। ସକାଳୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ନେହୁରା ହୋଇଥିଲେ ମଧ୍ୟ ଆମ ବିନତି କେହି ଶୁଣୁ ନାହାନ୍ତି। କୌଣସି ସହୃଦୟ ବ୍ୟକ୍ତି ଅମ୍ଳଜାନ ଯୋଗାଣ ପାଇଁ ବ୍ୟବସ୍ଥା କରିବାକୁ ଆମେ ନିବେଦନ କରୁଛୁ’। ଅମ୍ଳଜାନ ସିଲିଣ୍ଡର ଉକ୍ତ ଡାକ୍ତରଖାନାରେ ଯେତକ ଥିଲା ତାହା ରାତି ୨ଟାରୁ ୪ଟା ମଧ୍ୟରେ ଶେଷ ହୋଇ ଯାଇଥା’ନ୍ତା।

ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସେହି ଟ୍ୱିଟର ତୁରନ୍ତ ପ୍ରତିଉତ୍ତର ଦେଇଥିଲେ ଶ୍ରୀ ବୋଥ୍ରା। ସେ ଲେଖିଥିଲେ, ‘ନୂଆଦିଲ୍ଲୀସ୍ଥିତ ରାଠି ଡାକ୍ତରଖାନାରେ ଅମ୍ଳଜାନ ଅଭାବ ଦେଖାଦେଇଛି। କେହି ସାହାଯ୍ୟ କରିପାରିବେ କି’? ଏହାକୁ ପଢି କେନ୍ଦ୍ର ଗୃହ ବିଭାଗ ସଚିବ ସଞ୍ଜୀବ ଗୁପ୍ତା ତୁରନ୍ତ ସକ୍ରିୟ ହୋଇ ପଡ଼ିଥିଲେ। ଓଡ଼ିଶାରେ ଥିବା ଶ୍ରୀ ବୋଥ୍ରା ଓ ଦିଲ୍ଲୀରେ ଥିବା ଶ୍ରୀ ଗୁପ୍ତା ନିଜନିଜ ଆଇପିଏସ ବନ୍ଧୁୁ ଓ ଅନ୍ୟ ଆତ୍ମୀୟସ୍ବଜନଙ୍କ ସହ ଯୋଗାଯୋଗ କରିଥିଲେ। ଶ୍ରୀ ଗୁପ୍ତା ଗୃହ ମନ୍ତ୍ରଣାଳୟ ନିୟନ୍ତ୍ରଣ କକ୍ଷକୁ ଏ ସଂକ୍ରାନ୍ତରେ ଜରୁରୀ ବାର୍ତ୍ତା ପଠାଇଥିଲେ।

ଏପଟେ ଶ୍ରା ବୋଥ୍ରା ନୂଆଦିଲ୍ଲୀସ୍ଥିତ ‘ଇଣ୍ଡିଆ କେୟାର’ ନାମକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରିଥିଲେ। ସେମାନଙ୍କଠାରୁ ରାଠି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଫୋନ ନମ୍ବର ଆଣି ଫୋନ କରିଥିଲେ। ଉକ୍ତ ଡାକ୍ତରଖାନାର ଜଣେ ମହିଳା ଅଧିକାରୀ ଶ୍ରୀ ବୋଥ୍ରାଙ୍କୁ ଥରଥର କଣ୍ଠରେ ଅମ୍ଳଜାନ ଯୋଗାଣ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। କାରଣ ସେତେବେଳେ ୬୮ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ଧୈର୍ଯ୍ୟ ନହରାଇ ସମସ୍ତ ବିଷୟରେ ସୂଚନା ଦେବାକୁ ଶ୍ରୀ ବୋଥ୍ରା ସମ୍ପୃକ୍ତ ମହିଳା ଅଧିକାରୀଙ୍କୁ କହିଥିଲେ।

ମହିଳା ଅଧିକାକାରୀଙ୍କ କହିବା ଅନୁଯାୟୀ, ତାଙ୍କ ଡାକ୍ତରଖାନା ପାଇଁ ହରିୟାଣାର ମାନେସରରୁ ଅମ୍ଳଜାନ ସିଲିଣ୍ଡର ଭରା ଟ୍ରକ ଆସୁଥିଲା। ଭିଡ଼ ଯୋଗୁଁ ଉକ୍ତ ଟ୍ରକ ରାସ୍ତାରେ ଅଟକି ରହିଥିଲା। ସେଠାରୁ ଉକ୍ତ ଡାକ୍ତରଖାନାରେ ପହଞ୍ଚିବାକୁ ୪ରୁ ୫ ଘଣ୍ଟା ସମୟ ଲାଗିଥା’ନ୍ତା। ଯଦି ଦୁଇଘଣ୍ଟା ମଧ୍ୟରେ (ରାତି ସାଢେ ୩ଟା ସୁଦ୍ଧା) ଅମ୍ଳଜାନ ସିଲିଣ୍ଡର ନପହଞ୍ଚେ ତେବେ ୬୮ ରୋଗୀଙ୍କ ଜୀବନ ଚାଲିଯିବ ବୋଲି ସମ୍ପୃକ୍ତ ମହିଳା ଅଧିକାରୀ କାନ୍ଦିକାନ୍ଦି ଶ୍ରୀ ବୋଥ୍ରାଙ୍କୁ କହିଥିଲେ। ଶ୍ରୀ ବୋଥ୍ରା ତାଙ୍କୁ ଆଶ୍ବାସନା ଦେବା ସହ ସଙ୍ଗେସଙ୍ଗେ ନୂଆଦିଲ୍ଲୀର ଭାଜପା ନେତା ତଜିନ୍ଦର ପାଲ ସିଂହ ବଗ୍ଗା ଓ ବୈଶାଳୀ ପୋଦ୍ଦାରଙ୍କ ସହ ଯୋଗାଯୋଗ କରିଥିଲେ।

ଏହି ଦୁଇ ଜଣ ନୂଆଦିଲ୍ଲୀର ମାୟାପୁରୀ ଅଞ୍ଚଳରୁ ସଙ୍ଗେସଙ୍ଗେ ୧୦ଟି ଅମ୍ଳଜାନ ସିଲିଣ୍ଡର ତୁରନ୍ତ ପଠାଇବାର ବ୍ୟବସ୍ଥା କରିଥିଲେ। ଏପଟେ ଶ୍ରୀ ବୋଥ୍ରା ନୂଆଦିଲ୍ଲୀରୁ ହରିୟାଣାର ମାନେସର ମଧ୍ୟରେ ଥିବା ବିଭିନ୍ନ ଥାନାର ଅଧିକାରୀଙ୍କୁ ନିଜ ପରିଚୟ ଦେଇ ରାସ୍ତା ଭିଡ଼ରୁ ଅମ୍ଳଜାନ ଟ୍ରକ ତୁରନ୍ତ ମୁକ୍ତ କରିବା ପାଇଁ ଉଦ୍ୟମ କରିବାକୁ କହିଥିଲେ। ଶେଷରେ ରାତି ୩ଟା୨୦ରେ ୧୪ ଟନ ବିଶିଷ୍ଟ ଏହି ଅମ୍ଳଜାନ ଟ୍ରକ ମାନେସରରୁ ଆସି ଉକ୍ତ ଡାକ୍ତରଖାନାରେ ପହଞ୍ଚିଥିଲା। ଫଳରେ ୬୮ ଜଣ ରୋଗୀ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲା। ଉକ୍ତ ଡାକ୍ତରଖାନା ପ୍ରଶାସନ ସ୍ଥିତି ନିୟନ୍ତ୍ରଣ ଥିବା ସୂଚନା ଦେବା ସହ ଶ୍ରୀ ବୋଥ୍ରା ଓ ତାଙ୍କ ସହଯୋଗୀଙ୍କୁ ସାଧୁବାଦ ଜଣାଇଥିଲେ। ଏ ସଂକ୍ରାନ୍ତରେ ଏଡିଜି ବୋଥ୍ରାଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରିଥିଲେ।

୧୯୯୬ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆପିଏସ୍ ଅଧିକାରୀ ଏଡିଜି ବୋଥ୍ରା ଗତବର୍ଷ ତାଲାବନ୍ଦ ସମୟରେ ଜଣେ ମହିଳାଙ୍କୁ ସାହାଯ୍ୟ କରିଥିଲେ। ସମ୍ପୃକ୍ତ ମହିଳାଙ୍କ ରୋଗୀଣା ପିଲା ପାଇଁ ଓଟର କ୍ଷୀର ଆବଶ୍ୟକ ହେଉଥିଲା। ତାଲାବନ୍ଦ ଯୋଗୁଁ କ୍ଷୀର ମିଳିପାରୁ ନଥିବାରୁ ତାଙ୍କ ପିଲାର ଜୀବନ ପ୍ରତି ବିପଦ ଦେଖା ଦେଇଥିଲା। ଏହା ଜାଣିବା ପରେ ଶ୍ରୀ ବୋଥ୍ରା ରାଜସ୍ଥାନରୁ ୨୦ ଲିଟର ଓଟ ଦୁଧର ବ୍ୟବସ୍ଥା କରିଥିଲେ। ଫଳରେ ସମ୍ପୃକ୍ତ ମହିଳାଙ୍କ ପିଲାର ଜୀବନ ରକ୍ଷା ପାଇ ଯାଇଥିଲା।

Comments are closed.