ଦେଖୋ ଅପନା ଦେଶରେ ସ୍ଥାନ ପାଇଲା ‘ଓଡ଼ିଶା – ଇଣ୍ଡିଆଜ ବେଷ୍ଟ କେପ୍ଟ ସିକ୍ରେଟ’

ସମାଜ ପୋର୍ଟାଲ ଡେସ୍କ: ପର୍ୟ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ‘ଦେଖୋ ଅପନା ଦେଶ’ ଶୃଙ୍ଖଳାରେ ଅନୁଷ୍ଠିତ ୧୮ତମ ୱେବିନାରରେ ଓଡ଼ିଶା ସମ୍ପର୍କରେ ଏକ କାର୍ୟ୍ୟକ୍ରମ ସ୍ଥାନ ପାଇଥିଲା। ଏହାର ନାମ ରଖାଯାଇଛି “ଓଡ଼ିଶା – ଇଣ୍ଡିଆଜ ବେଷ୍ଟ କେପ୍ଟ ସିକ୍ରେଟ”।

ଏଥିରେ ରାଜ୍ୟ ସରକାରଙ୍କ ପର୍ୟ୍ୟଟନ ସଚିବ ବିଶାଳ ଦେବ ଯୋଗଦେଇ ପ୍ରାରମ୍ଭିକ ସୂଚନା ପ୍ରଦାନ ପୂର୍ବକ ଓଡ଼ିଶାର ବିପୁଳ ପର୍ୟ୍ୟଟନ ସମ୍ଭାର ଓ ସାଂସ୍କୃତିକ ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ, ଓଡ଼ିଶାର ପ୍ରାଚୀନ ସଭ୍ୟତା, କଳିଙ୍ଗ ସ୍ଥାପତ୍ୟ ଶୈଳୀ ପ୍ରସିଦ୍ଧ ମନ୍ଦିର, କମନୀୟ ବେଳାଭୂମିମାନ ଥିବା ରାଜ୍ୟର ସୁଦୀର୍ଘ ତଟରେଖା, କଳା, ହସ୍ତଶିଳ୍ପ, ସଂସ୍କୃତି, ଲୋକପ୍ରିୟ ଓଡ଼ିଶୀ ଓ ଗୋଟିପୁଅ ନୃତ୍ୟକଳା, ରାଜ୍ୟର ଅରଣ୍ୟ ସମ୍ପଦ ଓ ଅନ୍ୟାନ୍ୟ ପ୍ରାକୃତିକ ବିଭବ ପରିବେଶ ପର୍ୟ୍ୟଟନକୁ ଅଧିକ ଲୋକପ୍ରିୟ କରିଛି।

ଏହି କାର୍ଯ୍ୟକ୍ରମରେ ଟ୍ରାଭେଲ ଲିଙ୍କ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ବେଞ୍ଜାମିନ ସାଇରନ, ବିରାସତ ଇ ହିନ୍ଦର ସହ ପ୍ରତିଷ୍ଠାତା ଜିତୁ ମିଶ୍ର ପ୍ରମୁଖ ଓଡ଼ିଶା ପର୍ୟ୍ୟଟକମାନଙ୍କ ପାଇଁ ପ୍ରାଚୀନ କୀର୍ତ୍ତିରାଜି ଭଗ୍ନାବଶେଷ, ପ୍ରବାଦୀୟ ପୀଠ, ପ୍ରାଚୀନ ଜନଜାତି ଓ ସେମାନଙ୍କ ସଂସ୍କୃତି, ବୌଦ୍ଧ-ଐତିହ୍ୟ, କମନୀୟ ବେଳାଭୂମି ଓ ମୁହାଣ, ଆକର୍ଷଣୀୟ କ୍ୟାମ୍ପ ସାଇଟ, ଅପୂର୍ବ ସଂସ୍କୃତି, ହସ୍ତକଳା, ପର୍ବପର୍ବାଣୀ, ମେଳା, ଓ ଯାତ୍ରା ଆଦିର କିପରି ଏକ ଅମୂଲ୍ୟ ଗନ୍ତାଘର ତାହା ବର୍ଣ୍ଣନା କରିଥିଲେ।

ଏହି ୱେବିନାରରେ ଅଂଶ ଗ୍ରହଣକାରୀମାନେ ଭିତରକନିକା ବନ୍ୟପ୍ରାଣୀ ଅଭୟାରଣ୍ୟ, ପକ୍ଷୀ ସମାଗମ ପାଇଁ ପ୍ରସିଦ୍ଧ ମଙ୍ଗଳାଯୋଡି, ଇରାୱଡି ଡଲଫିନ ପାଇଁ ପ୍ରସିଦ୍ଧ ଚିଲିକା ହ୍ରଦ ଓ ସାତପଡା, ଶିମିଳିପାଳ ଜାତୀୟ ଉଦ୍ୟାନ, ହୀରାକୁଦ ଜଳଭଣ୍ଡାରର ପରିବେଶ ପର୍ୟ୍ୟଟନ ସ୍ଥଳ, ଜଳପ୍ରପାତ, ନିସ୍ତବ୍ଧ ଉପତ୍ୟକାର ଗଣ୍ଡ, ଦାରିଙ୍ଗବାଡି ନେଚର କ୍ୟାମ୍ପ, ସାତକୋଶିଆ ଗଣ୍ଡ, ଭେଟନଇ, ସି-ବିଚ, ଓଡ଼ିଆ ଖାଦ୍ୟ, କଳାକୃତି, ବୟନ ଓ ବାନ୍ଧ କଳା, ନୃତ୍ୟ, ଉତ୍ସବ, ଯାତ୍ରା, ଉତ୍ସବ ଓ ଆଦିବାସୀ ସଂସ୍କୃତି ଏବଂ ଐତିହ୍ୟ ସମ୍ପର୍କରେ ବିଭିନ୍ନ କଥା ଜାଣିବାକୁ ପାଇଥିଲେ।

Comments are closed.