ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ସବୁ ସରକାରୀ ଅଫିସକୁ ନିର୍ଦେଶନାମା

ଭୁବନେଶ୍ବର : ସାମାଜିକ ଦୂରତା ରକ୍ଷା ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶନିବାର ସନ୍ଧ୍ୟା ୫ଟା ୩୦ ମିନିଟ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। କ୍ଷେତ୍ର ସ୍ତରୀୟ ସଂସ୍ଥାଗୁଡ଼ିକ ଯେପରି ଏଥିରେ ସକ୍ରିୟ ଭାବେ ଭାଗନେବେ ସେ ଦିଗରେ ବ୍ୟବସ୍ଥା କରିବାକୁ ସମସ୍ତ ବିଭାଗକୁ କୁହାଯାଇଛି।
ଏହି ପରିପ୍ରେକ୍ଷୀରେ ସରକାରୀ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ରେକର୍ଡ଼ ହୋଇଥିବା ଅଂଶକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପଠାଇବାକୁ କୁହାଯାଇଛି। ଅଫିସ ପରିସରରେ ଥିବା ଖୋଲାସ୍ଥାନରେ କିମ୍ବା ଅଫିସ କରିଡ଼ରରେ ବା କାର୍ଯ୍ୟସ୍ଥଳୀରେ ଠିଆ ହୋଇ ସଙ୍ଗୀତ ଗାନ କରିପାରିବେ। ଧାର୍ଯ୍ୟ ସମୟରେ ସଙ୍ଗୀତ ଗାନ କରିବାକୁ ହେବ। ଏହି ଅବସରରେ କଳା, ସଂସ୍କୃତି, କ୍ରୀଡ଼ା ଇତ୍ୟାଦି କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇପାରେ। ସମସ୍ତଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ପ୍ରିଣ୍ଟ ଆଉଟ ଦେବାକୁ କୁହାଯାଇଛି। ପ୍ରମୁଖ ସାଧାରଣ ସ୍ଥାନଗୁଡ଼ିକରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ ପାଇଁ ପୁଲିସ ବ୍ୟାଣ୍ଡକୁ ଆମନ୍ତ୍ରଣ କରାଯାଇପାରିବ। ଏହା ପାଳନ କରିବା ସମୟରେ ଡାକ୍ତରଖାନା ଭଳି ଗୁରୁତ୍ବପୂର୍ଣ୍ଣ ସାଧାରଣ ସେବା ଯେପରି ବାଧାପ୍ରାପ୍ତ ନହେବ ସେଥିପ୍ରତି ଦୃଷ୍ଟି ଦେବେ। ସଙ୍ଗୀତ ପରିବେଷଣର ଭିଡ଼ିଓ କ୍ଲିପ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ପଠାଇପାରିବେ।
ସଙ୍ଗୀତ ଗାନ କରିବା ସମୟରେ ମୋବାଇଲ ବନ୍ଦ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେବାକୁ କୁହାଯାଇଛି ।
ସବୁ ଶିକ୍ଷାନୁଷ୍ଠାନରେ ହେବ ‘ବନ୍ଦେ ଉତ୍କଳ ଜନନୀ ଗାନ’
ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧିନସ୍ଥ ସମସ୍ତ ଶିକ୍ଷାନୁଷ୍ଠାନରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା। ଏନେଇ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ,ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ଉଚ୍ଚଶିକ୍ଷା ପରିଷଦ ଭଳି ସମସ୍ତ ଅନୁଷ୍ଠାନକୁ ଅବଗତ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଶନିବାର ଅପରାହ୍ଣ ୫.୩୦ରେ ରାଜ୍ୟବ୍ୟାପୀ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ସମସ୍ତେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବେ। ତେବେ ବିଭାଗର ନିର୍ଦେଶ କ୍ରମେ ଉକ୍ତ ଦିନରେ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଉପସ୍ଥିତ ରହିବାକୁ ରହିବାକୁ ଚିଠିରେ ଉଲ୍ଲେଖ ରହିଛି।