ଆଶୀର୍ବାଦଙ୍କୁ ସର୍ତ୍ତମୂଳକ ଜାମିନ

କଟକ: ଅର୍ଥତତ୍ତ୍ଵ(ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମଙ୍ଗଳବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଦେଢ଼ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ଆଶୀର୍ବାଦଙ୍କୁ ଜାମିନ ଦେଇଛନ୍ତି। ହାଇକୋର୍ଟ ଆଶୀର୍ବାଦଙ୍କୁ ଜାମିନ ଦେବା ସହିତ କେତେକ ସର୍ତ୍ତ ରଖିଛନ୍ତି। ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବା, ତଦନ୍ତକୁ ପ୍ରଭାବିତ ନ କରିବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି। ଏହା ସହିତ ତାଙ୍କ ପାସ୍‌ପୋର୍ଟକୁ ସରେଣ୍ଡର କରିବା ଲାଗି ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୯ ତାରିଖରେ ସିବିଆଇ ଆଶୀର୍ବାଦଙ୍କୁ ଗିରଫ କରିଥିଲା। ପୂର୍ବରୁ ସିବିଆଇ ପକ୍ଷରୁ ଅର୍ଥତତ୍ତ୍ଵ ଚିଟ୍‌ଫଣ୍ଡ ଠକେଇ ମାମଲାର ତଦନ୍ତ ବେଳେ ଆଶୀର୍ବାଦଙ୍କ ଲିଙ୍କ୍‌ ନେଇ ସୁରାକ ମିଳିଥିଲା। ଏହା ପରେ ସିବିଆଇ ମାମଲା ରୁଜୁ କରିବା ସହିତ ସ୍ବତନ୍ତ୍ର କୋର୍ଟରେ ଆଶୀର୍ବାଦଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏହା ପରଠାରୁ ଆଶୀର୍ବାଦ ସିବିଆଇ ସ୍କାନରରେ ରହି ଆସିଥିଲେ। ସେପ୍ଟେମ୍ବର ୧୯ ତାରିଖ ଭୋରୁ ସିବିଆଇ ଆଶୀର୍ବାଦଙ୍କ ଘରେ ଚଢ଼ାଉ କରିବା ସହିତ କୋର୍ଟ ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରିଥିଲା। ତାଙ୍କ ସହିତ ହୋଟେଲ ମାଲିକ କମଳାକାନ୍ତ ଦାସ ମଧ୍ୟ ସିବିଆଇ ଦ୍ବାରା ଗିରଫ ହୋଇଥିଲେ।

Comments are closed.