ହାଇକୋର୍ଟରେ ଆର୍ଦ୍ରଭୂମି ସୁରକ୍ଷା ପ୍ରସଙ୍ଗ: ଚିଲିକା ଓ ଭିତରକନିକା ପାଣିର ମାନ ଯାଞ୍ଚ କରି ରିପୋର୍ଟ ଦିଅ

କଟକ: ଚିଲିକା ଓ ଭିତରକନିକା ପାଣି ନମୁନା ସଂଗ୍ରହ କରି ତା’ର ମାନ ପରୀକ୍ଷା କରିବା ପାଇଁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଆର କେ ପଟ୍ଟନାୟକଙ୍କ ଗଠିତ ଖଣ୍ଡପୀଠ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ପରିଷଦକୁ ନିର୍ଦେଶ ଦେଇଛନ୍ତି। ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପ୍ରସଙ୍ଗରେ ଉଚ୍ଚ ନ୍ୟାୟାଳୟ ଶୁଣାଣି କରିଥିବା ବେଳେ କୋର୍ଟ ମିତ୍ର ମୋହିତ ଅଗ୍ରୱାଲ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି ଦର୍ଶାଇଥିଲେ ଯେ ଗଙ୍ଗୁଆ ନାଳ ପାଣି ଦୟାନଦୀରେ ପଶୁଛି; ଏହି ପାଣି ଚିଲିକାରେ ପ୍ରବେଶ କରୁଛି; ଫଳରେ ଚିଲିକା ପାଣି ପ୍ରଦୁଷଣ ହେଉଛି। ତେବେ ଅଗଷ୍ଟ ୧୧ ପୂର୍ବରୁ ଏହାର ରିପୋର୍ଟ ଦାଖଲ କରିବା ପାଇଁ ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ପରିଷଦକୁ ଅଦାଲତ ନିର୍ଦେଶ ଦେଇଛନ୍ତି।

 

ଆଜି ଶୁଣାଣି ସମୟରେ କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲାପାଳ ଉପସ୍ଥିତ ଥିବାବେଳେ ଉଚ୍ଛେଦ ସମ୍ପର୍କିତ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଦାଖଲ କରିଥିଲେ। ଆମିକସ୍ କ୍ୟୁରୀ ଶ୍ରୀ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି। ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇକୋର୍ଟ ନିଜ ଆଡୁ ଏକ ମାମଲା ରୁଜୁ କରିଛନ୍ତି। ହାଇକୋର୍ଟ ରେଜିଷ୍ଟ୍ରାର(ଜୁଡିସିଆଲ) ଏହି ମାମଲା ରୁଜୁ କରିଥିବାବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବ, ମତ୍ସ୍ୟ ବିଭାଗ ସଚିବଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ପକ୍ଷଭୁକ୍ତ ହୋଇଛନ୍ତି।

Comments are closed.