ଓଡ଼ିଶା ହାଇକୋର୍ଟର ଦୁଇ ନୂଆ ବିଚାରପତି

ସୁପ୍ରିମକୋର୍ଟ କଲେଜିୟମ କଲା ନାଁ ସୁପାରିସ

ନୂଆଦିଲ୍ଲୀ/କଟକ : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଆଇନଜୀବୀ ସଞ୍ଜିବ କୁମାର ପାଣିଗ୍ରାହୀ ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ବିଭୁ ପ୍ରସାଦ ରାଉତରାୟଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ, ଜଷ୍ଟିସ୍ ଏସ୍.ଏ.ବୋବ୍‌ଡେ ଓ ଜଷ୍ଟିସ ଏନ୍‌.ଭି.ରମନ୍ନାଙ୍କୁ ନେଇ ଗଠିତ କଲେଜିୟମ ବିଚାରପତି ଭାବେ ନିଯୁକ୍ତି ପାଇଁ ଏହି ଦୁଇ ଉପଯୁକ୍ତ ନାଁ ସୁପାରିସ କରିଛନ୍ତି। ୨୦୧୯, ମେ’ ୭ରେ ଆଇନଜୀବୀ ସଂଜୀବ କୁମାର ପାଣିଗ୍ରାହୀଙ୍କ ସମେତ ୮ ଜଣ ଆଇନଜୀବୀଙ୍କ ନାଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇଥିଲେ। କଲେଜିୟମ ଶ୍ରୀ ପାଣିଗ୍ରାହୀଙ୍କ ନାଁ ଗ୍ରହଣ କରି ସୁପାରିସ କରିଛି। ଆଇନଜୀବୀ ସାବିତ୍ରୀ ରଥଙ୍କ ସଂପର୍କିତ ପ୍ରସ୍ତାବ କଲେଜିୟମ ଆଉ କିିଛି ଦିିନ ପରେ ବିିଚାରକୁ ନେବ। ଏଥିସହିତ ଆଇନଜୀବୀ ଗୌତମ ମୁଖାର୍ଜୀ, ସମୀର କୁମାର ମିଶ୍ର, ପ୍ରସନ୍ନ କୁମାର ପାଢୀ, ପ୍ରଫୁଲ୍ଲ କୁମାର ରଥ, ଦୁର୍ଗା ପ୍ରସାଦ ନନ୍ଦ ଓ ପ୍ରଭାତ କୁମାର ମୁଦୁଲିଙ୍କ ନାଁ ଓଡ଼ିଶା ହାଇକୋର୍ଟକୁ ସୁପ୍ରିମକୋର୍ଟ କଲେଜିୟମ ପଠାଇଛନ୍ତି।
ସେହିଭଳି ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ବିଭୁ ପ୍ରସାଦ ରାଉତରାୟ, ସତ୍ୟନାରାୟଣ ମିଶ୍ର, ଗୌତମ ଶର୍ମା ଓ ବିରଞ୍ଚି ନାରାୟଣ ମହାନ୍ତିଙ୍କ ନାଁ ହାଇକୋର୍ଟର ବିଚାରପତି ପଦ ପାଇଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଗତ ମେ’ ୭ରେ ସୁପାରିସ କରିଥିଲେ। ସୁପ୍ରିମକୋର୍ଟ କଲେଜିୟମ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ତଥା ଗଞ୍ଜାମ ଜିଲା ଜଜ୍‌ ଶ୍ରୀ ରାଉତରାୟଙ୍କ ନାଁ ଗ୍ରହଣ କରି ସୁପାରିସ କରିଥିବା ବେଳେ ଅନ୍ୟ ତିନି ବିଚାର ବିଭାଗୀୟ ଅଧିକାରୀଙ୍କ ନାଁ ଓଡ଼ିଶା ହାଇକୋର୍ଟକୁ ପଠାଇ ଦେଇଛନ୍ତି। ତେବେ କଲେଜିୟମର ଏହି ଅନୁମୋଦନକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟର ସ୍ବୀକୃତି ପରେ ନିଯୁକ୍ତି ଦିଆଯିବ।

Comments are closed.