ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ଜାମିନରେ ଯିବା ପରେ ଅଭିଯୁକ୍ତ ଲଗାଇବେ ଶହେ ଗଛ

କଟକ : ଜଣେ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବା ସହିତ ହାଇକୋର୍ଟ ଶହେ ଚାରା ରୋପଣ କରିବାକୁ ସର୍ତ୍ତ ରଖିଛନ୍ତି। ଆବେଦନକାରୀ ଶୁଭ୍ରାଂଶୁ ପ୍ରଧାନ ଜାମିନରେ ଛାଡ ପାଇବାର ତିନି ମାସ ଭିତରେ ଶହେଟି ଚାରା ରୋପଣ କରିବେ ଓ ଏ ସଂପର୍କିତ ପ୍ରମାଣ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବେ। ଏହାପରେ ଏ ନେଇ ନିମ୍ନ ଅଦାଲତଙ୍କୁ ଅବଗତ କରାଯିବ ବୋଲି ଜଷ୍ଟିସ ସଂଜୀବ କୁମ‌ାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଆବେଦନକାରୀଙ୍କୁ ଜାମିନରେ ଛାଡିବା ପାଇଁ ବୌଦ୍ଧ ଏସଡିଜେଏମ୍ ଅଦାଲତ ଆବଶ୍ୟକ ସର୍ତ୍ତ ଜାରି କରିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅମୂଲ୍ୟରତ୍ନ ପଣ୍ଡା ମାମଲା ପରିଚାଳନା କରୁଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ବୌଦ୍ଧ ଥାନା ପୁଲିସ୍ ଆଇପିସିର ଦଫା ୪୫୨, ୩୫୪(ଖ), ୨୯୪, ୩୦୭, ୫୦୬, ୩୭୯, ୩୪ରେ ମାମଲା ରୁଜୁ କରି ଶୁଭ୍ରାଂଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସ୍ଥାନୀୟ ମଧୁପୁରର ଅକ୍ଷୟ କୁମାର ଗାଇଗୌରିଆ ଅଭିଯୋଗ କରିଥିଲେ ଯେ ୨୦୨୦, ଜାନୁଆରି ୩୧ ରାତି ୧୧ଟାରେ ବାଉଁଶୁଣି ଥାନା ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମର ଶୁଭ୍ରାଂଶୁ ଓ ତାଙ୍କ ସହଯୋଗୀ ତାଙ୍କ ଘରେ ପଶି ପରିବାର ସଦସ୍ୟଙ୍କୁ ଭୟଭିତ କରିବା ସହିତ ଆକ୍ରମଣ କରିଥିଲେ। ଝିଅକୁ ଅସଦାଚରଣ କରିଥିଲେ। ଅଭିଯୋଗକାରୀଙ୍କ ପତ୍ନୀଙ୍କ ଚେନ୍ ନେଇ ଯାଇଥିଲେ। ପୂର୍ବରୁ ଅଭିଯୋଗକାରୀଙ୍କ ଝିଅ ସହିତ ଶୁଭ୍ରାଂଶୁଙ୍କ ବିବାହ ସଂପର୍କିତ ପ୍ରସ୍ତାବ ପଡିଥିଲା। କିନ୍ତୁ ଏହି ପ୍ରସ୍ତାବକୁ ଅଭିଯୋଗକାରୀଙ୍କ ପରିବାର ଗ୍ରହଣ କରି ନଥିଲେ ବୋଲି ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ ନିୟମିତ ଭାବେ ଶୁଭ୍ରାଂଶୁ ସେମାନଙ୍କୁ ହଇରାଣ ହରକତ କରୁଥିଲେ।

Comments are closed.