ହାଇକୋର୍ଟ ପକ୍ଷରୁ ସାନି ନିର୍ଦେଶନାମା : ୪ ଜିଲା‌, ରାଉରକେଲାରେ ୩୧ ପର୍ଯ୍ୟନ୍ତ ଅଦାଲତ ବନ୍ଦ

ଅତି ଜୁରୁରୀ ମାମଲାର ଭିଡିଓ କନଫରେନ୍ସଂ ମାଧ୍ୟମରେ ଶୁଣାଣି

କଟକ : ଲକ୍‌ଡାଉନକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ କୋର୍ଟ କାର୍ଯ୍ୟ ନେଇ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ଜୁଲାଇ ୨୦ରୁ ୩୧ ତାରିଖ ମଧ୍ୟରେ କେତେକ କଟକଣା ମଧ୍ୟରେ ହାଇକୋର୍ଟ କାର୍ଯ୍ୟ ହେବାକୁ ଥିବା ବେଳେ ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ଜିଲ୍ଲା ସହିତ ରାଉରକେଲା ପୌରାଞ୍ଚଳରେ ଥିବା ସମସ୍ତ ଜିଲ୍ଲା, ସବ୍ ଅର୍ଡିନେଟ୍ କୋର୍ଟ, ଟ୍ରିବୁନାଲ ଜୁଲାଇ ୧୮ରୁ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ହାଇକୋର୍ଟରେ ସୀମିତ ବେଞ୍ଚ ବସି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅତି ଜରୁରୀ ମାମଲା ଗୁଡିକ ଶୁଣାଣି କରିବେ। ଏଥି ପାଇଁ ଆଗୁଆ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ନିକଟରେ ମେମୋ ଆଇନଜୀବୀ ଓ ପକ୍ଷମାନେ ଅନ୍-ଲାଇନରେ ଦାଖଲ କରିବେ। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କେବଳ ଇ-ଫାଇଲିଂ କିମ୍ବା ଇ-ମେଲ ମାଧ୍ୟମରେ ନୂଆ ମାମଲା ଦାୟର କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଜୁଲାଇ ୨୦ରୁ ୩୧ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ପରିସର ବନ୍ଦ ରହିବ। କେବଳ ଅନୁମତିପ୍ରାପ୍ତ ସର୍ବନିମ୍ନ ସଂଖ୍ୟକ ଅଧିକାରୀ, କର୍ମଚାରୀ ହାଇକୋର୍ଟରେ ଜରୁରୀ କାର୍ଯ୍ୟ ସଂପାଦନ କରିବେ। ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ଜିଲ୍ଲା ସହିତରେ ଓ ରାଉରକେଲା ପୌରାଞ୍ଚଳରେ ଥିବା ସମସ୍ତ ଜିଲ୍ଲା, ସବ୍ ଅର୍ଡିନେଟ୍ କୋର୍ଟ, ଟ୍ରିବୁନାଲ ଜୁଲାଇ ୧୮ରୁ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବାକୁ ଥିବା ବେଳେ ଜିଲା ଜଜ୍ ଓ ଟ୍ରିବୁନାଲର ପ୍ରିଜାଇଡିଂ ଅଫିସର ଅତି ଜରୁରୀ ମାମଲା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ପାଇଁ ଅନୁମତି ଦେଇ ପାରିବେ। ଏଥି ପାଇଁ ସର୍ବନିମ୍ନ ସଂଖ୍ୟକ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ହାଇକୋର୍ଟ ସହିତ ସମସ୍ତ ଜିଲ୍ଲା ଜଜ୍ ଓ ଟ୍ରିବୁନାଲର କର୍ମଚାରୀମାନେ ମୁଖ୍ୟାଳୟରେ ରହିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Comments are closed.