ମାମଲା ଦାୟର ପୂର୍ବରୁ ଯତ୍ନଶୀଳ ହେବାକୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ

କଟକ: ଜଣେ ଆବେଦନକାରୀ ଅଦାଲତଙ୍କୁ ବାଟବଣା କରିବାକୁ ଚେଷ୍ଟା କରିଥିବାରୁ ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ ଜରିମାନା କରାଯିବା ଉଚିତ। କିନ୍ତୁ ଯୁବାବସ୍ଥାରେ ଥିବା ଆବେଦନକାରୀଙ୍କ ଅପରିପକ୍ବ ପ୍ରଫେସନାଲ କ୍ୟାରିଅରକୁ ଦୃଷ୍ଟିରେ ରଖି ଉଚ୍ଚ ନ୍ୟାୟାଳୟ ତାଙ୍କୁ ଦଣ୍ଡିତ ନ କରି ଚେତାବନୀ ଦେଇ ଛାଡ଼ି ଦେଇଛନ୍ତି। ଏପରି ଆବେଦନକାରୀ ଭବିଷ୍ୟତରେ ମାମଲା ଦାଖଲ ପୂର୍ବରୁ ଯତ୍ନଶୀଳ ହେବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ବିଚାରପତି ଜେ.ସିଂହ ଓ ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ.ନାୟକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦେଶ ଦେଇ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ‘ନିଟ୍’ ଫଳରେ ତ୍ରୁଟି ଅଭିଯୋଗ କରି ଏମବିବିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଶାୟୀ ଆବେଦନକାରୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ।

ଆବେଦନକାରୀଙ୍କୁ ୭୨୦ ନମ୍ବରରୁ ମାତ୍ର ୯୯ ନମ୍ବର ମିଳିଥିବାବେଳେ ସେ ଅତି କମ୍‌ରେ ୭୦୨ ମାର୍କ ପାଇବାକୁ ହକଦାର ବୋଲି ଦର୍ଶାଇଥିଲେ। ଉଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହିତ ଗ୍ରହଣ କରି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ନୋଟିସ୍ ଜାରି କରିବା ସହିତ ଆବେଦନକାରୀଙ୍କ ଓରିଜିନାଲ ଓଏମଆର ସିଟ୍ ସହିତ ୨୦୨୧, ନଭେମ୍ବର ୧ରେ ପ୍ରକାଶିତ ଆନସର କି’ ଦାଖଲ ପାଇଁ ନଭେମ୍ବର ୧୧ରେ ନିର୍ଦେଶ ଦେଇଥି‌ଲେ। ତେବେ ବନ୍ଦ ଲଫାପାରେ ଏ ସମ୍ପର୍କିତ ମୂଳ ରେକର୍ଡ଼ ଅଦାଲତରେ ଦାଖଲ କରାଯାଇଥିଲା। ଆବେଦନକାରୀଙ୍କ ଦାବି ଭୁଲ ଥିଲା ବୋଲି ରେକର୍ଡରୁ ଜଣାପଡିଥିଲା। ସେ ୭୮/୮୦ଟି ପ୍ରଶ୍ନର ଉତ୍ତର ଦେବାକୁ ଉଦ୍ୟମ କରି ନଥିବା ସ୍ପଷ୍ଟ ହୋଇଥିଲା।

Comments are closed.