ଚିନ୍ତାରେ ସ୍ବାସ୍ଥ୍ୟ ବିଭାଗ, ମଙ୍ଗ ଧରିଲେ ଶାଳିନୀ ପଣ୍ଡିତ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଏବେ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି। ନୂଆବର୍ଷର ୮ଦିନ ନ ପୂରୁଣୂ ସଂଖ୍ୟା ୩ହଜାର ୬୭୯ରୁ ଊର୍ଦ୍ଧ୍ବ ହୋଇସାରିଲାଣି। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତତ୍ପରତା ପ୍ରକାଶ କରିବା ପରେ ଏବେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ି ଯାଇଛି। ଖୁବଶୀଘ୍ର କିଭଳି କରୋନାକୁ ମୁକାବିଲା କରାଯାଇ ରାଜ୍ୟର ଚିତ୍ରକୁ ସଜଡା ଯାଇ ପାରିବ ଏବଂ ଜାତୀୟସ୍ତରରେ ଓଡ଼ିଶା ପୁନର୍ବାର ପ୍ରଶଂସିତ ହେବ ତାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନକ୍ସା ପ୍ରସ୍ତୁତ କରାଯାଇଛି।

ଏନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ରାଜ୍ କୁମାର ଶର୍ମା ଶନିବାର ଏକ ନିର୍ଦେଶନାମା ଜାରି କରିଛନ୍ତି। ଯେଉଁଥିରେ କରୋନାର ସମସ୍ତ ପ୍ରକାର ତଦାରଖର ମଙ୍ଗ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶିକା ଶାଳିନୀ ପଣ୍ଡିତଙ୍କୁ ପ୍ରଦାନ କରାଯାଇଛି। ଶ୍ରୀମତୀ ପଣ୍ଡିତ କରୋନା ଆବଦ୍ଧାଞ୍ଚଳର ତଦାରଖ କରିବା ସହିତ ନମୁନା ସଂଗ୍ରହ, ପରୀକ୍ଷା, ପୋର୍ଟାଲର ସ୍ଥିତାବସ୍ଥା ପ୍ରଭୃତି ଦେଖିବେ। ସେହିପରି ବିଭାଗୀୟ ସ୍ବତନ୍ତ୍ର ସଚିବ ଡା. ଅଜିତ କୁମାର ମହାନ୍ତି ନମୁନା ପରୀକ୍ଷା ପାଇଁ ମାନବସମ୍ବଳ କିଭଳି ବଢ଼ିବ ତା’ ଉପରେ ଗୁରୁତ୍ବ ଦେବାକୁ ରହିଥିବାବେଳେ ସ୍ବତନ୍ତ୍ର ସଚିବ ଡା. ଦୀନବନ୍ଧୁ ପଣ୍ଡାଙ୍କୁ ଅଣକୋଭିଡ଼ ସ୍ବାସ୍ଥ୍ୟସେବା ପରିଚାଳନା ଦାୟିତ୍ବ, ରାଜ୍ୟ ଭେଷଜ, ଶିକ୍ଷା ଓ ତାଲିମ ନିର୍ଦେଶକ ଡା. ରମାରମଣ ମହାନ୍ତିଙ୍କୁ ଜନସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ତ ଦାୟିତ୍ବ ସହିତ ଦୈନିକ ବୁଲେଟିନ୍, ବୈଷୟିକ ମାର୍ଗଦର୍ଶିକା ପାଳନ ଦାୟିତ୍ବ, ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ରଙ୍କୁ ସଂଯୋଜନା ଦାୟିତ୍ବ ଦିଆଯାଇଛି।

ସେହିପରି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ କୁମାର ମହାପାତ୍ରଙ୍କୁ ଘରୋଇ କ୍ଷେତ୍ରରେ ନିୟୋଜିତ ମାନବସମ୍ବଳ ଓ କୋଭିଡ଼ ଶଯ୍ୟା ଓ ପରିଚାଳନା ଦାୟିତ୍ବ ପ୍ରଦାନ କରାଯାଇଥିବାବେଳେ ଡା. ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ସୂଚନା, ଶିକ୍ଷା ଓ ଯୋଗାଯୋଗ ସମ୍ପର୍କିତ ଦାୟିତ୍ବ, ଅତିରିକ୍ତ ସଚିବ ପ୍ରକାଶ ମହାନ୍ତିଙ୍କୁ କୋଭିଡ଼ ପୋର୍ଟାଲ, ଯୁଗ୍ମ ସଚିବ ସୁମିତ୍ରା ସେନାପତିଙ୍କୁ ଜରୁରୀ ଔଷଧ ସଂଗ୍ରହ ସହିତ ସମସ୍ତ ଦକ୍ଷତା ବୃଦ୍ଧି ଦାୟିତ୍ବ, ଭେଷଜ ନିୟନ୍ତ୍ରକ ସୁବୋଧ ନାୟକଙ୍କୁ ଅମ୍ଳଜାନ ପରିଚାଳନା, ଡା. ଜ୍ଞାନବ୍ରତ ମହାନ୍ତିଙ୍କୁ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଅମ୍ଳଜାନ ଯୋଗାଣ, ଅତିରିକ୍ତ ସଚିବ ଶୁଭାନନ୍ଦ ମହାପାତ୍ରଙ୍କୁ ସମସ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିୟୋଜିତ ଦାୟିତ୍ବ, ଔଷଧ ନିଗମ ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀଙ୍କୁ ସମସ୍ତ ଔଷଧ, ଉପକରଣ ଓ ଭିତ୍ତିଭୂମି ଦାୟିତ୍ବ, ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ କୁମାର ପାଣିଗ୍ରାହୀଙ୍କୁ ଜରୁରୀକାଳୀନ ସେବା-୧୦୪ ଦାୟିତ୍ବ, ରାଜଧାନୀ ଚିକିତ୍ସାଳୟ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁଙ୍କୁ ବିଜୁ ପଟ୍ଟନାୟକ ବିମାନବନ୍ଦର ସହ ସଂଯୋଜନା, ଏଡିଏମଇଟି ଡା. ଉମାକାନ୍ତ ଶତପଥୀଙ୍କୁ କୋଭିଡ଼ ହସ୍ପିଟାଲ ପରିଚାଳନା ଏବଂ ପ୍ରଫେସର ଜୟନ୍ତ ପଣ୍ଡାଙ୍କୁ ଜଟିଳ ସେବା ତାଲିମ ଦାୟିତ୍ବ ପ୍ରଦାନ କରାଯାଇଛି। ଏହାବାଦ୍ ଆୟୁଷ ନିର୍ଦେଶକ, ସେବିକା ନିର୍ଦେଶକ ପ୍ରଭୃତିଙ୍କୁ କରୋନା ରୋଗୀଙ୍କୁ ସେବା ପ୍ରଦାନରେ ମାନବସମ୍ବଳ ନିୟୋଜିତ ଦାୟିତ୍ବ ପ୍ରଦାନ କରାଯାଇଥିବା ଜଣାଯାଇଛି।

Comments are closed.