ରାଜ୍ୟରେ ପର୍ଯ୍ୟାପ୍ତ ଅଛି ଔଷଧ, ଟିକା, ଅମ୍ଳଜାନ ଓ ଶଯ୍ୟା

ଭୁବନେଶ୍ବର: ରାଜ୍ୟରେ କରୋନା ସଙ୍କଟ ଏଡ଼ାଇବା ପାଇଁ ଅତ୍ୟାବଶ୍ୟକ ଫାବିପିରାଭିର ଔଷଧ ସାଙ୍ଗକୁ ରେମଡିସଭିର ଟିକା ପର୍ଯ୍ୟାପ୍ତ ପରିମାଣର ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟରେ ଏବେ ୬ଲକ୍ଷ ୬୯ହଜାର ୬୦୩ ଫାବିପିରାଭିର ଔଷଧ ରହିଛି। ଦୈନିକ ୪୫୦୦ରୁ ୫ହଜାର ପର୍ଯ୍ୟନ୍ତ ଔଷଧ ରୋଗୀଙ୍କ ପାଇଁ ବ୍ୟବହୃତ ହେଉଛି। ଏହାବାଦ୍ ୨୦ଲକ୍ଷ ଔଷଧ ସଂଗ୍ରହ ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି। ସେହିପରି ରାଜ୍ୟରେ କରୋନା ପାଇଁ ଦିଆଯାଉଥିବା ରେମଡିସିଭିର ଟିକା ୪୯ହଜାର ୭୩୭ ଶିଶି ରହିଛି। ଏବେ ଦିନକୁ ୧୦୦୦ ଶିଶି ବ୍ୟବହୃତ ହେଉଥିବାବେଳେ ସରକାର ଆଉ ୩ଲକ୍ଷ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସେହିପରି ରାଜ୍ୟରେ ଆବଶ୍ୟକ ତୁଳନାରେ ପର୍ଯ୍ୟାପ୍ତ ଅମ୍ଳଜାନ ରହିଛି। ଏବେ ୫ଟି କାରଖାନାରୁ ଅମ୍ଳଜାନ ଉତ୍ପାଦନ ହେଉଥିବା ବେଳେ ଆଗାମୀ ୧୫ଦିନ ମଧ୍ୟରେ ଆଉ ୨ଟି ପୁରୁଣା କାରଖାନାର ପୁନରୁଦ୍ଧାର କରାଯାଇ ଅମ୍ଳଜାନ ଉତ୍ପାଦନକ୍ଷମ କରାଯିବ ବୋଲି ଶିଳ୍ପବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି। ଶ୍ରୀ ଶର୍ମାଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଅନୁଗୋଳସ୍ଥିତ ଜେଏସପିଏଲ୍, ଢେଙ୍କାନାଳସ୍ଥିତ ଟାଟା ଷ୍ଟିଲ୍ ଭୂଷଣ ଲିମିଟେଡ୍, କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ , ଜେଏସ୍ଏଲ୍ କଳିଙ୍ଗନଗର ଓ ରାଉରକେଲା ଷ୍ଟିଲ୍ ପ୍ଳାଣ୍ଟରୁ ଦୈନିକ ୩୫୦ ଟନ୍ ଅମ୍ଳଜାନ୍ ଉତ୍ପାଦନ ହେଉଛି। ୩୦୦ରୁ ୩୫୦ ଟନ୍ ପର୍ଯ୍ୟନ୍ତ ଅମ୍ଳଜାନ୍ ସଂରକ୍ଷିତ ହୋଇ ପାରୁଛି। ସଂପ୍ରତି କରୋନା ପାଇଁ ବିଭିନ୍ନ ରାଜ୍ୟରେ ଦେଖାଦେଇଥିବା ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଧିକ ଉତ୍ପାଦନ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସୁନ୍ଦରଗଡ଼ସ୍ଥିତ ‘ଆଧୁନିକ ଷ୍ଟିଲ ପ୍ଲାଣ୍ଟ’ ଓ ‘ଏନଆଇଏନଏଲ୍ ଷ୍ଟିଲ ପ୍ଲାଣ୍ଟ’କୁ ପୁନରୁଦ୍ଧାର କରିବାକୁ ଯୋଜନା ରଖିଛନ୍ତି। ଏହି କାର୍ଯ୍ୟ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।

ରାଜ୍ୟରେ ଏବେ ଦୈନିକ ୩୦ରୁ ୫୦ ଟନ୍ ପର୍ଯ୍ୟନ୍ତ ଅମ୍ଳଜାନର ଆବଶ୍ୟକ ହେଉଛି। ଯେତିକି ଅମ୍ଳଜାନ ଉତ୍ପାଦନ ହେଉଛି ବର୍ତ୍ତମାନ ପରିପ୍ରେକ୍ଷୀରେ ପର୍ଯ୍ୟାପ୍ତ। ଆଗାମୀ ଦିନରେ ରୋଗୀଙ୍କ ହାର କାଳେ ବଢ଼ିବ ତାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ କାରଖାନାକୁ ଉତ୍ପାଦନକ୍ଷମ କରିବାପାଇଁ ଉଦ୍ୟମ ଚାଲିଛି। ରାଜ୍ୟରେ ଅମ୍ଳଜାନ୍ ସଙ୍କଟର କୌଣସି ସମ୍ଭାବନା ଏବେ ନାହିଁ ବୋଲି ଶ୍ରୀ ଶର୍ମା ସ୍ପଷ୍ଟ କରିଛନ୍ତି। ବିଭିନ୍ନ ରାଜ୍ୟରେ ଅମ୍ଳଜାନ ପାଇଁ ଦେଖା ଦେଇଥିବା ସଙ୍କଟଜନକ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହଯୋଗର ହାତ ବଢାଇଛନ୍ତି। ବିଶେଷ କରି ଦେଶର ୬ଟି ରାଜ୍ୟ ଦିଲ୍ଲୀ, ମହାରାଷ୍ଟ୍ର, ତେଲଙ୍ଗାନା, ମଧ୍ୟପ୍ରଦେଶ, ଆନ୍ଧ୍ର ଓ ବିହାରକୁ ନିରନ୍ତର ଭାବରେ ଅମ୍ଳଜାନ ପଠାଇବା ପାଇଁ ସରକାର ବନ୍ଦୋବସ୍ତ କରିଛନ୍ତି ।

ଗତକାଲି ସୁଦ୍ଧା ଦିଲ୍ଲୀକୁ ୪୦ ଟନ୍ , ମହାରାଷ୍ଟ୍ରକୁ ୪୦ ଟନ୍, ଆନ୍ଧ୍ରପ୍ରଦେଶକୁ ୪୦ ଟନ୍ ଅମ୍ଳଜାନ ପଠାଯାଇଛି। ବିହାରକୁ ୨ଟି ପର୍ଯ୍ୟାୟରେ ପାଖାପାଖି ୪୦ ଟନ୍ ଅମ୍ଳଜାନ ପଠାଇବାକୁ ବ୍ୟବସ୍ଥା କରାଯ଼ାଇଛି। ଦେଶର ଏପରି ସଙ୍କଟଜନକ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସହାୟତା କରିଥିବାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କୃତଜ୍ଞତା ଜଣାଇଛନ୍ତି। ଅନ୍ୟ ରାଜ୍ୟକୁ ଅମ୍ଳଜାନ ଯ଼ୋଗାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି। ଯ଼େଉଁ ରାଜ୍ୟକୁ ସଡ଼କପଥରେ ଅମ୍ଳଜାନ ପଠାଯ଼ାଉଛି, ସେହି ରାସ୍ତାରେ ସୁରକ୍ଷା ଦୃଷ୍ଟିରୁ ଅତିରିକ୍ତ ପୁଲିସ ମହାନିର୍ଦେଶକ (ଅପରାଧ ଶାଖା) ଯଶୱନ୍ତ ଜେଠୱାଙ୍କୁ ଦାଯିତ୍ବ ଦିଆଯ଼ାଇଛି।

ଅନ୍ୟପକ୍ଷରେ ରାଜ୍ୟରେ କରୋନା ମହାମାରୀ ସଙ୍କଟର ମୁକାବିଲା ପାଇଁ ସ୍ବାସ୍ଥ୍ୟବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଯେତିକି ଶଯ୍ୟା ରହିଛି ତା’ର ମାତ୍ର ୧୧% ଶଯ୍ୟା କରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବହୃତ ହେଉଛି। ୮୯ ପ୍ରତିଶତ ଶଯ୍ୟା ଖାଲି ପଡ଼ିଛି।

ସୂଚନା ଅନୁଯାୟୀ ରାଜ୍ୟରେ ସରକାରୀ ଡାକ୍ତରଖାନାରେ ୪୦୫୪ ଓ ଘରୋଇ ଡାକ୍ତରଖାନାଗୁଡ଼ିକରେର ୪୭୨୮ଟି ଶଯ୍ୟା ରହିଛି। ଏଥିରୁ ୨୧୪୦ ରୋଗୀଙ୍କ ପାଇଁ ବ୍ୟବହାର ହେଉଛି। ୭୫୯ ରୋଗୀ ଘରୋଇ ଡାକ୍ତରଖାନାରେ ଥିବାବେଳେ ୧୩୮୧ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସରକାରୀ ସ୍ବତନ୍ତ୍ର ଯତ୍ନ କୋଠରି ରାଜ୍ୟରେ ୬୮୨ଟି ଥିବାବେଳେ ୧୪୦ଜଣ ରୋଗୀଙ୍କ ପାଇଁ ଏହି କୋଠରି ବ୍ୟବହୃତ ହେଉଛି। ୨୦.୫୩ ପ୍ରତିଶତ ସରକାରୀ ସ୍ବତନ୍ତ୍ର ଯତ୍ନ କୋଠରି ବ୍ୟବହାର ହେଉଥିବାବେଳେ ପ୍ରାୟ ୮୦ ପ୍ରତିଶତ ଖାଲି ପଡିଛି। ଘରୋଇ କ୍ଷେତ୍ରରେ ୧୭୫୪ ଶଯ୍ୟାରୁ ୬୦୮ଟି ବ୍ୟବହୃତ ହେଉଛି। ଜୀବନରକ୍ଷାକାରୀ ଯନ୍ତ୍ର(ଭେଣ୍ଟିଲେଟର) ସରକାରୀରେ ୧୭୯ ଏବଂ ଘରୋଇ ଡାକ୍ତରଖାନାରେ ୬୨୫ଟି ରହିଛି। ଏଥିରୁ ସମୁଦାୟ ୧୨୮ଟି ବ୍ୟବହୃତ ହେଉଥିବାବେଳେ ଅବଶିଷ୍ଟ ଖାଲି ପଡିଛି। ଉଭୟ ଡାକ୍ତରଖାନାରେ ପ୍ରାୟ ୧୫ ପ୍ରତିଶତ ଶଯ୍ୟା ବ୍ୟବହୃତ ହେଉଛି। ରାଜ୍ୟ ସରକାରଙ୍କ ପାଖରେ ଏବେ ବିଭିନ୍ନ ଜିଲା ଓ ମହାନଗରରେ ୨୦ହଜାର ୩୪୭ଟି କରୋନା ଯତ୍ନ କେନ୍ଦ୍ରରେ ଅମ୍ଳଜାନ ସଂଯୋଗ ଥିବା ଶଯ୍ୟା ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୫୬୪ଟି ଶଯ୍ୟା ବ୍ୟବହୃତ ହେଉଛି। ଏହାବାଦ୍ ରାଜ୍ୟ ସରକାର କରୋନା ମହାମାରୀର ତୀବ୍ରତା ଉପରେ ଦୃଷ୍ଟି ରଖିଛନ୍ତି। ଯଦି ଗ୍ରାମାଞ୍ଚଳରେ ଆକ୍ରାନ୍ତ ବଢ଼ନ୍ତି ତେବେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Comments are closed.