ଦୈନିକ କରୋନା ନମୁନା ପରୀକ୍ଷାରେ ଓଡ଼ିଶା ଦେଶର ଦ୍ବିତୀୟ

ଭୁବନେଶ୍ବର : କରୋନା ନମୁନା ପରୀକ୍ଷାରେ ଓଡ଼ିଶା ଦେଶର ଦ୍ବିତୀୟ ସ୍ଥାନରେ ରହିଛି। ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଦୈନିକ ନମୁନା ପରୀକ୍ଷା ହାରରେ ଗୋଆ ପଛକୁ ଓଡ଼ିଶା ରହିଛି। ଆଜି ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଟ୍ବିଟ୍ କରି ସୂଚନା ଦେଇଛି। ଗୋଆରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଦୈନିକ ୧୮୨୬ ନମୁନା ପରୀକ୍ଷା ହେଉଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ହେଉଛି ୧୨୬୫। ନମୁନା ପରୀକ୍ଷାରେ ଦେଶର ବହୁ ପ୍ରମୁଖ ରାଜ୍ୟ ଓଡ଼ିଶା ପଛରେ ରହିଛନ୍ତି।

ଜାତୀୟ ସ୍ତରରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୫୮୦ଟି ନମୁନା ପରୀକ୍ଷା ହେଉଥିବା ବେଳେ ଓଡ଼ିଶାରେ ଏହା ଠାରୁ ୬୮୫ଟି ଅଧିକ  ୨୪୪ ନମୁନା ପରୀକ୍ଷା ହେଉଛି। ସେହିପରି ଏବେ ରାଜସ୍ଥାନରେ ୩୦୯, ପଶ୍ଚିମ ବଙ୍ଗରେ ୩୬୫, ବିହାରରେ ୪୦୮, କେରଳରେ ୫୩୪, ପଞ୍ଚାବରେ ୫୪୬ ଓ ମହାରାଷ୍ଟ୍ରରେ ୫୭୯ ସାମ୍ପଲ୍ ପରୀକ୍ଷା କରାଯାଉଛି। ଏପରିକି ନମୁନା ପରୀକ୍ଷାରେ ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ ଭଳି ରାଜ୍ୟ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି। ଦୈନିକ ଟେଷ୍ଟିଂ କ୍ଷମତା ୫୦ ହଜାରକୁ ବୃଦ୍ଧି କରି ନମୁନା ପରୀକ୍ଷାରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ରୋଲ୍ ମଡେଲ୍‌ ହୋଇପାରିଛି। ଅଧିକ ନମୁନା ପରୀକ୍ଷା ସହିତ ସଂକ୍ରମିତଙ୍କୁ ତୁରନ୍ତ ସଙ୍ଗରୋଧ କରି ଅନ୍ୟମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାଦ୍ବାରା ଆକ୍ରାନ୍ତଙ୍କ ଜୀବନ ରକ୍ଷା ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିବ। ଓଡ଼ିଶାରେ ଅଗଷ୍ଟ ୨୦ ତାରିଖ ସୁଦ୍ଧା ଦୈନିକ ଟେଷ୍ଟିଂ କ୍ଷମତା ୫୦ ହଜାରକୁ ବୃଦ୍ଧି କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଚାରିଦିନ ପୂର୍ବରୁ ଏହି ଲକ୍ଷ୍ୟ ଅତିକ୍ରମ କରିଥିଲା ରାଜ୍ୟ। ଗତ ମାସ ଦୈନିକ ୯ରୁ ୧୨ ହଜାର ନମୁନା ପରୀକ୍ଷା ହେଉଥିବା ବେଳେ ଏବେ ପାଖାପାଖି ୫୩ ହଜାର ନମୁନା ପରୀକ୍ଷା ହେଉଛି।

Comments are closed.