ରାଖି ବିକିବେ ସରକାର, ପ୍ରତି ଜିଲାରେ ଖୋଲିବ ବିକ୍ରୟ କେନ୍ଦ୍ର

ଭଦ୍ରକ: ଆଗକୁ ରକ୍ଷା ବନ୍ଧନ ଉତ୍ସବ। ରାଖି ବିକିବେ ସରକାର। କିନ୍ତୁ ଏହି ବିକିବା ପଛରେ ଉଦେଶ୍ୟ ବେପାର ନୁହେଁ ବରଂ ଏଥିରେ ନିୟୋଜିତ ମହିଳା ଗୋଷ୍ଠୀ ତଥା ଉତ୍ପାଦକ ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରିବା। ଉଲ୍ଲେଖନୀୟ ଯେ; ରାଜ୍ୟ ପଞ୍ଚାୟତିରାଜ ବିଭାଗ ଅଧୀନରେ କାର୍ଯ୍ୟ କରୁଛି ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି(ଓରମାସ)। ଆଗକୁ ଆସୁଥିବା ରାଖି ପୂର୍ଣ୍ଣିମା ଲାଗି ଓରମାସର କାର୍ଯ୍ୟକ୍ରମ ବାବଦରେ ବିଭାଗର ମୁଖ୍ୟ ନିର୍ବାହୀ ଅଧିକାରୀ ସମସ୍ତ ଜିଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ଜିଲା ସଦର ମହକୁମା ଅଥବା ଜିଲାର ବଡ ସହରରେ ଓରମାସ ପକ୍ଷରୁ ‘ରାଖି ଷ୍ଟଲ’ ଖୋଲିବା ପାଇଁ କୁହାଯାଇଛି।

ଓରମାସ ଦ୍ୱାରା ପ୍ରୋତ୍ସାହିତ ଅନେକ ଉତ୍ପାଦକ ଗୋଷ୍ଠୀ ଅଥବା ମହିଳା ଗୋଷ୍ଠୀ ରାଖି ତିଆରି କରୁଛନ୍ତି। ଗ୍ରାମାଞ୍ଚଳରେ ସବାଇ, ଟେରାକୋଟା, ଝୋଟ, ବାଉଁଶ ଆଦି ସାମଗ୍ରୀ ତଥା ବିଭିନ୍ନ ପଟ୍ଟଚିତ୍ର ବ୍ୟବହାର କରି ବିଭିନ୍ନ ଜିଲାରେ ହାତ ତିଆରି ରାଖି ପ୍ରସ୍ତୁତ କରୁଛନ୍ତି ମହିଳା ଗୋଷ୍ଠୀ। ତେବେ ଏହିସବୁ ରାକ୍ଷୀର ବିପଣନ (ମାର୍କେଟିଂ) ଓ ପ୍ରଦର୍ଶନ ଲାଗି ‘ରାଖି ଷ୍ଟଲ’ ଖୋଲିବାକୁ କୁହାଯାଇଛି। ଉକ୍ତ ଷ୍ଟଲରେ ରାଖି ସମେତ ଅନ୍ୟ ଉତ୍ପାଦିତ ସାମଗ୍ରୀକୁ ମଧ୍ୟ ପ୍ରଦର୍ଶନ କରାଯାଇପାରିବ। ଏହାଦ୍ୱାରା ରାକ୍ଷୀ କାରିଗର ଉତ୍ସାହିତ ହେବେ ଓ ନିଜ ସାମଗ୍ରୀର ବିକ୍ରୟ ପାଇଁ ସୁଯୋଗ ଲଭିବେ ବୋଲି ଚିଠିରେ ଦର୍ଶାଯାଇଛି।

ତେବେ ଜିଲାସ୍ତରରେ ଓରମାସ ଅଧିକାରୀମାନେ ନିଜ ଜିଲା ବ୍ୟତିରେକ ଅନ୍ୟ ଜିଲାରୁ ମଧ୍ୟ ଉତ୍ପାଦକ ସାମଗ୍ରୀ ସଂଗ୍ରହ କରି ଷ୍ଟଲରେ ପ୍ରଦର୍ଶନ କରିବାକୁ କୁହାଯାଇଛି। ଏହାଦ୍ୱାରା ସବୁଠି ଭଳିକି ଭଳି ସାମଗ୍ରୀ ଉପଲବ୍ଧ ହେବ ବୋଲି କୁହାଯାଇଛି। ଏହି ଷ୍ଟଲ ଖୋଲିବା ଲାଗି ଖର୍ଚ୍ଚ ଜିଲାସ୍ତରରେ ବିପଣନ ପାଇଁ ଉଦ୍ଦିଷ୍ଟ ପାଣ୍ଠିରୁ ଭରଣା ହେବ ବୋଲି କୁହାଯାଇଛି।

Comments are closed.