୬ ମାସ ବିତିଲା କିନ୍ତୁ ମିଳିଲାନି ସରକାରୀ ବାବୁଙ୍କ ଚରିତ୍ର ପଞ୍ଜିକା

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ସରକାରଙ୍କ କଥା କେତେଦୂର ମାନୁଛନ୍ତି ତାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଚରିତ୍ର ପଞ୍ଜିକା ପ୍ରମାଣପତ୍ର(ଇ-ପାର୍) ସ୍ବତନ୍ତ୍ର ପୋର୍ଟାଲ(ଏଚଆରଏମଏସ)ରେ ଦେବାକୁ ଦୀର୍ଘ ୬ମାସ ହେଲାଣି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗକୁ ପତ୍ର ଲେଖା ଯାଉଛି, ଥରକୁ ଥର ସମୟ ବୃଦ୍ଧି କରାଯାଉଛି, ହେଲେ ବିବରଣୀ ସରକାରଙ୍କ ହସ୍ତଗତ ହେଉନାହିଁ। ବାବୁମାନେ ବିପୁଳ ସମ୍ପତ୍ତିର ଅଧିକାରୀ ହେଉଥିବାରୁ କାଳେ ଏହାର ବିବରଣୀ ସରକାରଙ୍କୁ ଦେଲେ ଅକଳରେ ପଡିଯିବେ ତେଣୁ ଜଣାଉ ନ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।ଅଧିକାରୀଙ୍କ ଏତାଦୃଶ ଅବହେଳାକୁ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପୁନର୍ବାର ସମସ୍ତ ବିଭାଗ ମୁଖ୍ୟ, ସବୁ ଜିଲାପାଳ ଓ ମୁଖ୍ୟଦପ୍ତରଙ୍କୁ ପତ୍ର ଲେଖି ଅବଗତ କରାଯାଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ‘ପାର୍’ ବିବରଣୀ ଦେବାକୁ ପତ୍ରରେ ତାଗିଦା କରାଯାଇଛି।

ଏନେଇ ଅତିରିକ୍ତ ସଚିବ ଗଣେଶ ଚନ୍ଦ୍ର ପାତ୍ର ଦର୍ଶାଇଛନ୍ତି ଯେ ୨୦୨୦-୨୧ ବର୍ଷ ପାଇଁ ଏପ୍ରିଲ ସୁଦ୍ଧା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାର୍ ତଥ୍ୟ ସରକାରଙ୍କୁ ମିଳିପାରିଲା ନାହିଁ। ଯାହାଦ୍ବାରା ପରବର୍ତ୍ତୀ ପନ୍ଥା ଗ୍ରହଣ କରିବାରେ ଅନ୍ତରାୟ ଉପୁଜୁଛୁ। ପୂର୍ବରୁ ଶ୍ରୀ ପାତ୍ର ଏପ୍ରିଲ ୩୦ରେ ସବୁ ବିଭାଗକୁ ପତ୍ର ଲେଖି ଦର୍ଶାଇଥିଲେ ଯେ ସବୁ ପ୍ରଥମ ଶ୍ରେଣୀ ପାହ୍ୟା(ଗ୍ରୁପ୍-କ) ଏବଂ ଦ୍ବିତୀୟ ଶ୍ରେଣୀ ପାହ୍ୟା(ଗ୍ରୁପ୍-ଖ)ଙ୍କ ଇ-ପାର୍ ବିବରଣୀ ସରକାରଙ୍କୁ ମିଳିବା କଥା। ହେଲେ ବହୁ ଅଧିକାରୀ ଓ କର୍ମଚାରୀ ସମୟ ଭିତରେ ତଥ୍ୟ ଦେଇନାହାନ୍ତି। ମାର୍ଚ୍ଚରେ କରୋନା ମହାମାରୀ ଦ୍ରୁତଗତିରେ ବ୍ୟାପୁଥିବାରୁ ସରକାରଙ୍କ ପକ୍ଷରୁ ଏହାର ଅବଧିକୁ ବୃଦ୍ଧି କରାଯାଇଥିଲା। ଜୁନ୍ ୩୦ରେ ନିଜସ୍ବ ଚରିତ୍ର ପଞ୍ଜିକା ପଇଠର ଶେଷ ତାରିଖ ଉଭୟ ବର୍ଗର କର୍ମଚାରୀଙ୍କ ପାଇଁ ରଖାଯାଇଥିବାବେଳେ ଉଚ୍ଚକର୍ତ୍ତୃପକ୍ଷଙ୍କ ପାଇଁ ଏହା ପଇଠ ଲାଗି ଅଗଷ୍ଟ ୩୦ ରଖାଯାଇଥିଲା। ହେଲେ ଇତିମଧ୍ୟରେ ଅବଧିର ୬ମାସ ବିତି ଯାଇଥିଲେ ବି ବାବୁମାନଙ୍କ ତଥ୍ୟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ।

Comments are closed.