ଓଡ଼ିଶା ସରକାର ହରାଇବେ ୧୪୦ କୋଟି ରାଜସ୍ୱ

ନୂଆଦିଲ୍ଲୀ: ରାଜ୍ୟ ରାଜକୋଷ ଉପରେ ଭାରୀ ପଡ଼ୁଛି ପ୍ରଶାସନିକ ନୀରବତା। ଫଳରେ ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀ ଠାରୁ ବକେୟା ୧୪୦ କୋଟି ଟଙ୍କାର ପ୍ରବେଶ କର ଅର୍ଥ ହରାଇବାକୁ ଯାଉଛନ୍ତି ଓଡ଼ିଶା ସରକାର। ଆଇନ ଅନୁଯାୟୀ ବକେୟା ପ୍ରାପ୍ୟ ପାଇବାକୁ ଓଡ଼ିଶା ସରକାର ହକ୍‍ଦାର ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନୀରବତା ଏବଂ ସ୍ଥାଣୁତା ବକେୟା ଆଦାୟରେ ବାଧା ସୃଷ୍ଟି କରୁଛି। ପ୍ରବେଶ କର ଆଇନର ବୈଧତା ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ମାମଲା ଜିତିବା ପରେ ମଧ୍ୟ ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀ ଠାରୁ ବକେୟା ପ୍ରବେଶ କର ଅର୍ଥ ଆଦାୟ କରିବାକୁ ବିଭାଗୀୟ ଅଧିକାରୀ କାହିଁକି ଚୁପ ରହୁଛନ୍ତି ତାହା ତଦନ୍ତସାପେକ୍ଷ।

ବିଶେଷକରି କରୋନା କାଳରେ ଅର୍ଥ ଅଭାବରୁ ଖର୍ଚ୍ଚକାଟ କରୁଛନ୍ତି ଓଡ଼ିଶା ସରକାର। ଘଟଣା ପଛରେ ଅଧିକାରୀଙ୍କ ଅବହେଳା ରହିଛି ଅଥବା ଉଦେଶ୍ୟମୂୂଳକ ଭାବେ ଅବହେଳା ହୋଇଛି ସେନେଇ ବିଧିବଦ୍ଧ ତଦନ୍ତ କରାଯାଇ ବକେୟା ରାଜସ୍ୱ ଆଦାୟ ଦିଗରେ ତୁରନ୍ତ ଉଦ୍ୟମ କରାଯିବା ଆବଶ୍ୟକ।

ଘଟଣାରୁ ପ୍ରକାଶ ଯେ ଓଡ଼ିଶା ବିଧାନସଭା ଦ୍ୱାରା ପ୍ରଣୀତ ପ୍ରବେଶ କର ଆଇନର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା। ସେତେବେଳେ ଓଡ଼ିଶା ପ୍ରବେଶ କର ଆଇନର ବୈଧତାକୁ ଭୂୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମାମଲାର ଶୁଣାଣି କରି ୧୧ ନଭେମ୍ବର ୨୦୧୬ରେ ସୁପ୍ରିମକୋର୍ଟଙ୍କ ନଅ ଜଣିଆ ସାମ୍ବିଧାନିକ ପୀଠ ଓଡ଼ିଶା ବିଧାନସଭା ଦ୍ୱାରା ପ୍ରଣୀତ ପ୍ର୍ରବେଶ କର ଆଇନକୁ ବୈଧ ମାନିଥିଲେ। ପରବର୍ତ୍ତୀ ସମୟରେ କ୍ଷତିରେ ଚାଲୁଥିବା ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀ ଗ୍ରହୀତାଙ୍କ ଋଣ ସୁଝି ନପାରିବାରୁ କମ୍ପାନୀ କର୍ତ୍ତୁପକ୍ଷ ଇନ୍‍ସଲଭନସି ଆଣ୍ଡ ବ୍ୟାଙ୍କରପ୍‍ସି କୋଡ ଅନୁଯାୟୀ ୨୦୧୮ରେ ନ୍ୟାସନାଲ କମ୍ପାନୀ ଲ’ ଟ୍ରାଇବୁନାଲ (ଏନସିଏଲଟି)ଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନସିଏଲଟିରେ ମାମଲାର ଶୁଣାଣି ବେଳେ ୪୮ ହଜାର କୋଟି ଟଙ୍କାରୁୁ ଊର୍ଦ୍ଧ୍ବ ରାଶି ଫାଇନାନ୍‌ସିଆଲ କ୍ରେଡିଟର ଏବଂ ଅପରେସନାଲ କ୍ରେଡିଟର ପାଇବାକୁ ବାକି ରହିଛି ବୋଲି ଆକଳନ ହୋଇଥିଲା। ସେତେବେଳେ ବିଭିନ୍ନ ସଂସ୍ଥା ଏନସିଏଲଟିଙ୍କ ଦ୍ୱାରସ୍ଥ ହୋଇ ପ୍ରାପ୍ୟ ବାବଦରେ ନିଜ ଦାବି ଉପସ୍ଥାପନ କରିଥିଲେ। ତଦନୁଯାୟୀ ଏନସିଏଲଟିଙ୍କ ଦ୍ୱାରା ନିଯୁକ୍ତ ରିଜୋଲ୍ୟୁସେନ ପ୍ରଫେସନାଲ ୧୬ ଅକ୍ଟୋବର ୨୦୧୮ରେ ଫାଇନାନ୍‌ସିଆଲ କ୍ରେଡିଟର ଏବଂ ଅପରେସନାଲ କ୍ରେଡିଟରଙ୍କ ଏକ ତାଲିକା ପ୍ରସ୍ତୁତ କରିଥିଲେ ଏବଂ ୫ ସେପଟେମ୍ବର ୨୦୧୯ରେ ଏନସିଏଲଟି ଏହି ଚୂଡ଼ାନ୍ତ ତାଲିକାକୁ ମଞ୍ଜୁର କରିଥିଲେ।
ସେତେବେଳେ ଓଡ଼ିଶା ସରକାର ଏନସିଏଲଟିରେ ନିଜ ଦାବି ଉପସ୍ଥାପନା କରିପାରି ନଥିବାରୁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇ ପାରିନଥିଲେ। ଭୂଷଣ ପାୱାର ଆଣ୍ଡ ଷ୍ଟିଲ ମାମଲା ଏକ ଚର୍ଚ୍ଚିତ ମାମଲା ହୋଇଥିବାରୁ ନିଜର ପ୍ରାପ୍ୟ ପାଇବାକୁ ଓଡ଼ିଶା ସରକାରଙ୍କ ବ୍ୟତୀତ ଅନ୍ୟ ସମସ୍ତ ଦାବିଦାର ଏନସିଏଲଟିରେ ନିଜର ପକ୍ଷ ରଖିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ଓଡ଼ିଶା ସରକାର ସେତେବେଳେ ଏଥିରୁ ନିଜକୁ ଦୂରେଇ ରଖିଥିଲେ। ଚୂଡ଼ାନ୍ତ ତାଲିକା ପ୍ରସ୍ତୁତି ପରେ ଓଡ଼ିଶା ସରକାର ଭୂଷଣ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀ ଠାରୁ ପ୍ରବେଶ କର ବାବଦରେ ବକେୟା ୧୩୯,୧.୮୦,୫୦୪ କୋଟି ଟଙ୍କା ପାଇବାକୁ ନ୍ୟାସନାଲ କମ୍ପାନୀ ଲ’ ଆପିଲେଟ ଟ୍ରାଇବୁନାଲରେ ଦୁଇ ମାସ ପରେ ଅର୍ଥାତ ୧୮ ନଭେମ୍ବର ୨୦୧୯ରେ ଅପିଲ କରିଥିଲେ। ମାମଲାର ଶୁଣାଣି କରି ଗତ ୧୭ ଫେବୃଆରୀ ୨୦୨୦ରେ ଆପିଲେଟ ଟ୍ରାଇବୁନାଲ ବିଚାରପତି ସୁଧାଂଶୁଜ୍ୟୋତି ମୁୁଖପାଧ୍ୟାୟ ନିଜ ରାୟରେ ସ୍ପଷ୍ଟ କରିଥିଲେ ଯେ ଦାବିଦାରଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତି ବେଳେ ଓଡ଼ିଶା ସରକାର ବକେୟା ପ୍ରାପ୍ୟ ବାବଦରେ ଦାବି ଉପସ୍ଥାପନରେ ବିଫଳ ହୋଇଛନ୍ତି। ଯଦିଓ ଆଇନ ସମ୍ମତ ଭାବେ ଓଡ଼ିଶା ସରକାର ବକେୟା ୧୩୯,୧.୮୦,୫୦୪ କୋଟି ଟଙ୍କା ପାଇବାକୁ ହକ୍‍ଦାର ତଥାପି ଏନସିଏଲଟିରେ ଦାବି ଉପସ୍ଥାପନ କରିି ନ ଥିବାରୁ ଏହି ବକେୟା ରାଶି ମିଳିବ ନାହିଁ। ସେହିପରି ଭୂଷଣ ପାୱାର ଆଣ୍ଡ ଷ୍ଟିଲ ମାମଲାରେ ଅନ୍ୟାନ୍ୟ ପକ୍ଷଙ୍କ ତରଫରୁ ଆଗତ ମାମଲାଗୁଡ଼ିକର ବିଚାର କରି ଆପିଲେଟ ଟ୍ରାଇବୁନାଲ ରାୟ ପ୍ରଦାନ କରିଥିଲେ। ପ୍ରଚଳିତ ନିୟମାନୁଯାୟୀ ଯେକୌଣସି ପକ୍ଷ ୪୫ ଦିନ ମଧ୍ୟରେ ଆପିଲେଟ ଟ୍ରାଇବୁନାଲଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଅପିଲ କରିପାରିବେ। ତଦନୁଯାୟୀ ଆପିଲେଟ ଟ୍ରାଇବୁନାଲଙ୍କ ରାୟକୁ ଚ୍ୟାଲେଞ୍ଜ କରି ମାମଲାରେ ପକ୍ଷଭୁକ୍ତ କଲ୍ୟାଣୀ ଟ୍ରାନ୍ସପୋର୍ଟ, ସଞ୍ଜୟ ସିଙ୍ଗଲଙ୍କ ସମେତ ତିନିଟି ଅପିଲ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଜିନ୍ଦଲ ଷ୍ଟିଲ ୱାର୍କ୍ସ ତରଫରୁ ଦୁଇଟି କ୍ୟାଭିଏଟ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଛି। ଇତିମଧ୍ୟରେ ଆପିଲେଟ ଟ୍ରାଇବୁନାଲ ରାୟ ପ୍ରକାଶ ପାଇବାର ସାଢ଼େ ପାଞ୍ଚ ମାସରୁ ଊର୍ଦ୍ଧ୍ବ ସମୟ ବିତି ଗଲାଣି। ଆପିଲେଟ ଟ୍ରାଇବୁନାଲଙ୍କ ରାୟ ଯୋଗୁଁ ପ୍ରଭାବିତ ଅନ୍ୟାନ୍ୟ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଓଡ଼ିଶା ସରକାର ଅପିଲ ନକରି ଚୁପ ବସିଛନ୍ତି।

Comments are closed.