ଅପ୍ରେଲରୁ ନୂଆ ଶିକ୍ଷାବର୍ଷ, ଆରମ୍ଭ ହେଲା ମାଗଣା ପାଠ୍ୟ ପୁସ୍ତକ ବିତରଣ

ଆଗାମୀ ଶିକ୍ଷାବର୍ଷ ୨୦୨୨-୨୩ ବର୍ଷ ନିମନ୍ତେ ରାଜ୍ୟ ସରକାରଙ୍କ ମାଗଣା ପାଠ୍ୟପୁସ୍ତକ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି ଭୁବନେଶ୍ୱରସ୍ଥ ପାଠ୍ୟପୁସ୍ତକ ଉତ୍ପାଦନ ବିକ୍ରୟ କେନ୍ଦ୍ରରେ ଅନୁଷ୍ଠାନର ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ଏବଂ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀଙ୍କ ଉପସ୍ଥିତିରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ପରି ଉପାନ୍ତ ଜିଲ୍ଲା ସହ ପୁରୀ ଏବଂ କେନ୍ଦୁଝର ଜିଲ୍ଲାକୁ ପାଠ୍ୟପୁସ୍ତକ ପ୍ରେରଣ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ପୁରୀ ଜିଲ୍ଲାକୁ ୨୮ ହଜାର ୫୨ ଖଣ୍ଡ, କେନ୍ଦୁଝରକୁ ୨୮ ହଜାର ୩୧୧, ମାଲକାନଗିରିକୁ ୪୮ ହଜାର ୨୩୨, ନବରଙ୍ଗପୁରକୁ ୪୫ ହଜାର ୩୧୮ ଏବଂ କୋରାପୁଟକୁ ୪୬ ହଜାର ୮୮୨ ଖଣ୍ଡ ପୁସ୍ତକ ପଠାଯାଇଛି। ଆଜି ସମୁଦାୟ ୧,୯୬,୩୯୫ ଖଣ୍ଡ ପାଠ୍ୟପୁସ୍ତକ ବିତରଣ ନିମନ୍ତେ ପଠାଯାଇଛି। ଶିକ୍ଷାବର୍ଷ ଅପ୍ରେଲ ମାସରୁ ଆରମ୍ଭ ହେଉଥିବାରୁ ଏହି ପୁସ୍ତକ ଯୋଗାଣ କାର୍ଯ୍ୟ ୨୦୨୨ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସଂପନ୍ନ ହେବ ବୋଲି ନିର୍ଦ୍ଦେଶକ ଶ୍ରୀ ମହାପାତ୍ର କହିଛନ୍ତି। ଆସନ୍ତା ମାର୍ଚ୍ଚ ସୁଦ୍ଧା ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ୪୭ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୪ କୋଟିରୁ ଅଧିକ ବହି ଯୋଗାଇ ଦିଆଯିବ ବୋଲି ଜଣାପଡିଛି।

Comments are closed.