ଜାତୀୟସ୍ତରୀୟ ଫୁଟ୍‌ବଲର କିଶୋର ଦାସଙ୍କ ଦେହାନ୍ତ

କଟକ/ରାଉରକେଲା: ଓଡ଼ିଶାର ଜଣେ ଜଣାଶୁଣା ଫୁଟ୍‌ବଲ ଖେଳାଳି କିଶୋର ଦାସଙ୍କର ସୋମବାର ସକାଳୁ ରାଉରକେଲାରେ ପରଲୋକ ଘଟିଛି। ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। କିଛିଦିନ ହେଲା କିଶୋର ଅସୁସ୍ଥ ଥିଲେ। ୭୦ ଓ ୮୦ ଦଶକ​‌େ​‌ର କିଶୋର ଦାସ ଓଡ଼ିଶାର ଜଣେ ନାମକରା ଫୁଟ୍‌ବଲର ଥିଲେ। ସେ ୫ ଥର ଜାତୀୟ ସିନିୟର ଫୁଟ୍‌ବଲ ଚମ୍ପିଆନ୍‌ସିପ ସନ୍ତୋଷ ଟ୍ରଫିରେ ଓଡ଼ିଶା ପାଇଁ ଖେଳିଥିଲେ। ଏହାସହ ସର୍ବପୁରାତନ ଡ୍ୟୁରାଣ୍ଡ କପ୍‌ରେ ମଧ୍ୟ ସେ ଖେଳିଥିଲେ। କଟକର ଜୟଦୁର୍ଗା କ୍ଲବ୍ ସହ ରାଜ୍ୟର ବିଭିନ୍ନ ନାମୀ କ୍ଲବ୍‌ରେ କିଶୋର ଖେଳିଥିଲେ।

କିଶୋର ରାଉରକେଲା ଇସ୍ପାତ କାରଖାନାରେ ନିଯୁକ୍ତି ପାଇଥିଲେ। ସେ ୧୦୭୪ରୁ ୧୯୯୪ ପର୍ଯ୍ୟନ୍ତ ସେଲ୍‌ ଫୁଟ୍‌ବଲ ଦଳର ଅଧିନାୟକ ଥିଲେ। ବିଶେଷକରି ମହିଳା ଫୁଟ୍‌ବଲର ଉନ୍ନତି ପାଇଁ ସ୍ବର୍ଗତଃ କିଶୋରଙ୍କର ବିଶେଷ ଅବଦାନ ଥିଲା। ଏଥିରେ ରାଉରକେଲା ବିଧାୟକ ଶାରଦା ନାୟକ ତାଙ୍କୁ ବହୁତ ସହଯୋଗ କରିଥିଲେ। କିଶୋରଙ୍କ ପତ୍ନୀ ଓ ୨ ପୁଅ ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ବିଧାୟକ ଶାରଦା ନାୟକ ସ୍ବର୍ଗତଃ କିଶୋରଙ୍କ ବାସଭବନକୁ ଯାଇ ଶେଷସମ୍ମାନ ଜଣାଇଥିଲେ। କିଶୋରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଫୁଟ୍‌ବଲ ଆସୋସିଏସନ୍‌ ଅଫ୍ ଓଡ଼ିଶା (ଫାଓ)ର ସମ୍ପାଦକ ଆଶୀର୍ବାଦ ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ। ସେମାନେ କିଶୋରଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଈଶ୍ବର ତାଙ୍କ ପରିବାରକୁ ଏପରି ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ ବୋଲି କାମନା କରିଛନ୍ତି।

Comments are closed.