ବୈତରଣୀ ତଳମୁଣ୍ଡରେ ବନ୍ୟା, ଜଳକାରୁ ହଟିନି ବିପଦ

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ବର୍ଷା ଯୋଗୁ ଉପକୂଳର ୪ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଜିଠାରୁ ଉପକୂଳବର୍ତ୍ତୀ ଜିଲାଗୁଡିକ ସହିତ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସ୍ବତନ୍ତ୍ର ରିଳିଫ ଆୟୁକ୍ତ (ଏସଆରସି)ଙ୍କ ପକ୍ଷରୁ କୁହାଯାଇଛି। ଏହାକୁ ନେଇ ସରକାରୀସ୍ତରରେ ତତ୍ପରତା ଦେଖାଦେଇଥିବା ବେଳେ ତଳିଆ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ି ଯାଇଛି।

ଅନ୍ୟପକ୍ଷରେ ବୈତରଣୀ ନଦୀରେ ବନ୍ୟା ଆସି ଏହାର ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୈତରଣୀର ଜଳସ୍ତର ଉପର ମୁଣ୍ଡରେ କମିବା ସହ ତଳିଆ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇଛି। ଯାହା ଫଳରେ ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲି ବ୍ଲକର ବହୁ ପଞ୍ଚାୟତ ଜଳମଗ୍ନ ହୋଇପଡ଼ିଥିବାବେଳେ ଚାଷ ଜମି ପାଣିରେ ବୁଡି ରହିଛି। ଏମିତିକି ବହୁ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ଜଳକାର ମଥାନିଠାରେ ଦୁଇଦିନ ହେଲାଣି ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାର ରାଜଘାଟ ଏବଂ ନରାଜଠାରେ ଜଳସ୍ତର ବିପଦ ସଙ୍କେତ ପାଖାପାଖି ରହିଛି। ଆଜିଠାରୁ ଯଦି ବର୍ଷା ହୁଏ ତେବେ ଉପକୂଳବର୍ତ୍ତୀ ଜିଲା କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, ପୁରୀ ଓ କଟକ ପ୍ରଭୃତି ଜିଲାର ତଳିଆ ଅଞ୍ଚଳରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହେବ।

ସେହିପରି ଉପରମୁଣ୍ଡର ବର୍ଷା ଜଳ ମହାନଦୀରେ ପଡ଼ିଲେ ହୀରାକୁଦ ଅଣାୟତ୍ତ ହେବ। ତେଣୁ ରାଜ୍ୟର ପ୍ରାୟ ୧୬ଟି ଜିଲାବାସୀ ହୀରାକୁଦର ଫାଟକ ଓ ମହାନଦୀର ଜଳସ୍ତର ଉପରେ ନଜର ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ବତନ୍ତ୍ର ରିଲିଫ ଆୟୁକ୍ତଙ୍କ ସୂଚନା ଅନୁଯାୟୀ ହୀରାକୁଦରେ ବିପଦ ସଙ୍କେତଠାରୁ ୧.୮୩ ଫୁଟ୍ ତଳେ ଜଳସ୍ତର ରହିଛି। ମଧ୍ୟାହ୍ନ ସୁଦ୍ଧା ହୀରାକୁଦ ଭିତରକୁ ୩ଲକ୍ଷ ୫୮ହଜାର ୨୦୧ କ୍ୟୁସେକ୍ ଜଳ ପଶୁଥିବାବେଳେ ୩ଲକ୍ଷ ୯ହଜାର ୧୧୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ସେହିପରି ଖଇରାମାଳଠାରେ ୫.୬୯ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ବରମୂଳଠାରେ ୬.୦୬ଲକ୍ଷ ଏବଂ ମୁଣ୍ଡଳିଠାରେ ୬.୭୬ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଅନ୍ୟାନ୍ୟ ଶାଖାନଦୀରେ ଜଳସ୍ତର କମିଥିଲେ ହେଁ ବିପଦ ଟଳିନାହିଁ। ଏହି ପରିସ୍ଥିତିରେ ଯଦି ଆଉ ଗୋଟିଏ ଲଘୁଚାପ ବର୍ଷା ଆରମ୍ଭ ହେଲା ତା’ହେଲେ ପରିସ୍ଥିତ ଅସମ୍ଭାଳ ହେବ।

ଅନ୍ୟପକ୍ଷରେ କଣ୍ଟିଘାଇ ଦେଇ ବନ୍ୟାଜଳ ଚାଷ ଜମି ଓ ଜନବସତିକୁ ପ୍ରବେଶ କରିଛି। ଭଣ୍ଡାରିପୋଖରୀ ବ୍ଲକର ୬ଟି ପଞ୍ଚାୟତ ଓ ଧାମନଗର ବ୍ଲକର ୩ଟି ପଞ୍ଚାୟତରେ ବନ୍ୟା ଜଳ ମାଡିଥିବା ବେଳେ ତଳିଆ ଅଞ୍ଚଳରେ ପାଣି ପଶିଛି। ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତର ବିଭିନ୍ନ ଗାଁ ରାସ୍ତାରେ ବନ୍ୟା ଜଳ ଚାଲୁଥିବାରୁ ଯାତାୟାତ ଠପ୍ ହୋଇଯାଇଛି। ସେହିପରି ଦେଉଳପଦି ଗାଁ ରାସ୍ତାରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଛି। ଭଦ୍ରକ ଆଖଣ୍ଡଳମଣି ରାସ୍ତାର ଅସୁରାଳି ରେବ ସେତୁ ନିକଟରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ଜଣାଯାଇଛି।

Comments are closed.