ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି : ଅନେକ ଅଞ୍ଚଳ ଜଳମଗ୍ନ

ଭୁବନେଶ୍ୱର : ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏନେଇ ସୂଚନା ଦେଇଛନ୍ତି। ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ବ୍ରାହ୍ମଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବ୍ରାହ୍ମଣୀ ନଦୀର ବରୀ ଅଞ୍ଚଳରେ ୧୦ଟି ଘାଇ ସୃଷ୍ଟି ହୋଇଛି। ବୈତରଣୀ ଜଳସ୍ତର ବଢୁନଥିଲେ ମଧ୍ୟ ବିପଦ ସଙ୍କେତ ଉପରେ ଏହା ପ୍ରଭାବିତ ହୋଇଛି। ବୈତରଣୀ ନଦୀର ଯାଜପୁର ଦତ୍ତପୁର ଠାରେ ମଧ୍ୟ ଘାଇ ସୃଷ୍ଟି ହୋଇଛି। ସୁବର୍ଣ୍ଣରେଖା ବଢୁଛି, ଯାହା ଫଳରେ ଭୋଗରାଇ, ବାଲିଆପାଳ, ଆଦି ପ୍ରଭାବିତ ହେବ। ସୁବର୍ଣ୍ଣପୁର ବିପଦ ସଙ୍କେତ ୧୦.୩ , ବର୍ତ୍ତମାନ ଏହା ବଢି ୧୧.୨ ଯାଏ ପହଞ୍ଚିପାରେ। ବୁଢାବଳଙ୍ଗ ନଦୀ ଜଳସ୍ତର କମୁଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ। ରାଜ୍ୟର ୪ଟି ପ୍ରମୁଖ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ।ବ୍ରାହ୍ମଣୀ ନଦୀ ଜେନାପୁରଠାରେ ବିପଦ ସଙ୍କେତ ୨୩, ଏବେ ଏହା ୨୩.୪୫ ଏହାସହ ବୈତରଣୀ ଆନନ୍ଦପୁରରେ କମିଥିବା ବେଳେ ଆଖୁଆପଦାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି। ଆନନ୍ଦପୁରରେ ବିପଦ ସଙ୍କେତ ୩୮.୩୬, ଏବେ ଏହା ୩୭.୬୯ ଫୁଟ ରହିଛି।