ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ପ୍ରସଙ୍ଗ, ୧୭ରେ ପୂର୍ଣ୍ଣାଙ୍ଗ ଶୁଣାଣି

କଟକ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣାକୁ ନେଇ ଦେଖା ଦେଇଥିବା ବିବାଦ ମାମଲାର ଜାନୁଆରୀ ୧୭ରେ ପରବର୍ତ୍ତୀ ଶୁଣାଣି ପାଇଁ ଉଚ୍ଚ ନ୍ୟାୟାଳୟର ବିଚାରପତି ଅରିନ୍ଦମ ସିହ୍ନାଙ୍କ ପୀଠ ନିର୍ଦେଶ ଦେଇଛନ୍ତି। ଆଜି ମାମଲାର ଶୁଣାଣି ହୋଇଥିଲା। ପୁରସ୍କାର ପାଇଁ ମନୋନୟନ କ୍ଷେତ୍ରରେ ପୁନଃମୂଲ୍ୟାୟ ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସରକାରଙ୍କ ତରଫରୁ ବିବରଣୀ ଉପସ୍ଥାପନ କରାଯାଇଥିଲା। ଏ ନେଇ ଆବେଦନକାରୀଙ୍କୁ ଅବଗତ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେବା ସହିତ ଜାନୁଆରୀ ୧୭କୁ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତ ଡିସେମ୍ବର ୧୩ରେ ଉଚ୍ଚ ନ୍ୟାୟାଳୟ ଏ ସମ୍ପର୍କିତ ବବି ଇସଲାମଙ୍କ ଆବେଦନର ଶୁଣାଣି କରି ରାଜ୍ୟ ଚଳଚ୍ଚିର୍ତ ପୁରସ୍କାର ବିତରଣ ସ୍ଥଗିତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ରାଜ୍ୟ ପୁରସ୍କାର ପାଇଁ ସିନେମା ଚୟନର ଲାଗି ପୁନଃ ମୂଲ୍ୟାୟନ ପାଇଁ ଉଚ୍ଚ ନ୍ୟାୟାଳୟ କହିଥିଲେ।

ମାମଲାର ଶୁଣାଣି ସରିବା ପରେ ପୁରସ୍କାର ବିତରଣ କରାଯାଇ ପାରିବ ବୋଲି ଉଚ୍ଚ ନ୍ୟାୟାଳୟ ତାଙ୍କ ନିର୍ଦେଶରେ ସ୍ପଷ୍ଟ କରିଥି‌େଲ। ଏଭଳି ସ୍ଥିତିରେ ଚଳିତ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ପୁରସ୍କାର ବିତରଣୀ ଉତ୍ସବ ଘୁଞ୍ଚାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଛବିରାଣୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମଙ୍କ ତରଫରୁ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ଏହି ମାମଲା ଦାୟର ହୋଇଥିଲା। ବିଦେଶୀ ଓ ରାଜ୍ୟ ବାହାରର ସିନେମାକୁ ପୁରସ୍କାର ଦିଆଯାଇଥିଲେ ସୁଦ୍ଧା ୮୦ ଦଶକର ଚର୍ଚିତ ଘଟଣା ଉପରେ ନିର୍ମିତ ହୋଇଥିବା ଓଡିଆ ଫିଲ୍ମ ଛବିରାଣୀ କୁ ୨୭ ଟି ସମ୍ମାନରୁ ଗୋଟିଏରେ ବଛା ଯାଇନାହିଁ । ତୁରନ୍ତ ବିଚାରକ ମଣ୍ଡଳୀ ଏହାର ପୁନଃ ବିଚାର କରିବାକୁ ଆବେଦନରେ ଦର୍ଶାଯାଇଥିଲେ ଆବେଦନକାରୀ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶିବନାରାୟଣ ବିଶ୍ବାଳ ମାମଲା ପରିଚାଳନା କରୁଥିଲେ।

Comments are closed.