ଗୋଆରେ ପ୍ରଶିକ୍ଷଣ ଆରମ୍ଭ କଲା ଓଡ଼ିଶା ଏଫ୍ସି

କଟକ: ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ର ସପ୍ତମ ସଂସ୍କରଣ ଗୋଆରେ ଖେଳାଯିବ। ପ୍ରତିଯୋଗିତା କେବେଠାରୁ ଆରମ୍ଭ ହେବ ସେ ନେଇ ଘୋଷଣା ହୋଇନଥିଲେ ମଧ୍ୟ ଗୋଆରେ ପ୍ରସ୍ତତି ଆରମ୍ଭ କରିଛନ୍ତି ବିଭିନ୍ନ ଦଳ। ଓଡ଼ିଶା ଭିତ୍ତିକ କ୍ଲବ ଓଡ଼ିଶା ଏଫ୍ସି ପ୍ରଶିକ୍ଷଣ ଶିବିର ଆରମ୍ଭ କରିଛି। ଓଡ଼ିଶା ଏଫ୍ସି ସହଯୋଗୀ ପ୍ରଶିକ୍ଷକ ତଥା ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଷ୍ଟିଭେନ୍ ଡିଆସଙ୍କ ନେତୃତ୍ବରେ ଖେଳାଳିମାନେ ଗୋଆର ବେଟାଲବାଟିମ୍ ପଡ଼ିଆରେ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି। ଆଇଏସ୍ଏଲ ଲାଗି ସମସ୍ତ ଭାରତୀୟ ଖେଳାଳି ଓ ସହଯୋଗୀ ସଦସ୍ୟମାନେ ପ୍ରଥମେ ଗୋଆରେ ଅକ୍ଟୋବର ପ୍ରଥମ ସପ୍ତାହରେ ପହଞ୍ଚିଥିଲେ। ୧୪ ଦିନିଆ ସଂଗରୋଧରେ ରହିବା ପରେ ଏବେ ପ୍ରଶିକ୍ଷଣକୁ ଓହ୍ଲାଇଛନ୍ତି।

କ୍ଳବରେ ରହିଥିବା ଓଡ଼ିଆ ଖେଳାଳି ଶୁଭମ ଷଡଙ୍ଗୀଙ୍କ ସମେତ ଭାରତୀୟ ଖେଳାଳିମାନେ ପହଞ୍ଚିଥିବା ବେଳେ ବିଦେଶୀ ଖେଳାଳିମାନେ ପହଞ୍ଚିବା ଆରମ୍ଭ କରିଛନ୍ତି। ପ୍ରଶିକ୍ଷଣ ଶିବିରରେ ଖେଳାଳିମାନଙ୍କୁ ପ୍ରଥମତଃ ଫିଜିକାଲ ଫିଟନେସ ଉପରେ ଗୁରୁତ୍ବ ଦିଆଯାଉଛି। କରୋନା ମହାମାରୀ ପାଇଁ କ୍ରୀଡ଼ା ପ୍ରଭାବିତ ହୋଇଥିବା ବେଳେ ପ୍ରଥମେ ନିଜକୁ ଫିଟ୍ ରଖିବା ନେଇ ଶାରୀରିକ ସୁସ୍ଥତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଗୋଲକିପର ପ୍ରଶିକ୍ଷକ ରୋଗେରିଓ ରୋମାସ ଶନିବାର ଗୋଆରେ ପହଞ୍ଚିଥିବା ବେଳେ ମୁଖ୍ୟ ପ୍ରଶିକ୍ଷକ ଷ୍ଟିୱାଟ୍ ବାକ୍ସଟର ଏକ ସପ୍ତାହ ମଧ୍ୟରେ ପହଞ୍ଚିବେ। ଓଡ଼ିଶା ଏଫ୍ସି ଫୁଟବଲ ଅପରେସନ ଅଭିକ୍ ଚାଟାର୍ଜୀ କହିଛନ୍ତି ଯେ, ପ୍ରଶିକ୍ଷଣ ଶିବିର ଦୀର୍ଘ ସମୟ ଆୟୋଜନ ନେଇ ଆମର ଲକ୍ଷ୍ୟ ରହିଛି। ଖେଳାଳିମାନଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିବାକୁ ପଡ଼ିବ। ଏଥିପାଇଁ ଶୀଘ୍ର ଶିବିର ଆୟୋଜନ କରାଯାଇଛି ବୋଲି ଚାଟାର୍ଜୀ କହିଛନ୍ତି।

Comments are closed.