ଓଡ଼ିଶା କୃଷକଙ୍କୁ କାନପୁର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ସ୍ବାଗତ

କାନପୁର: କୃଷି ଆଇନ ରଦ୍ଦ ପ୍ରତିବାଦରେ ଧାରଣାରେ ବସିଥିବା କୃଷକଙ୍କ ସମର୍ଥନରେ ଦିଲ୍ଲୀ ଯାତ୍ରା କରିଥିବା ଓଡ଼ିଶାର କୃଷକଙ୍କୁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ କାନପୁର ପକ୍ଷରୁ ସ୍ବାଗତ କରାଯାଇଛି। ଧାରଣାରେ ବସିଥିବା କୃଷକଙ୍କ ସହିତ ସାମିଲ ହେବା ଲାଗି ଓଡିଶାର ବିଭିନ୍ନ ଅଞ୍ଚଳର କୃଷକମାନେ ନବ ନିର୍ମାଣ କୃଷକ ସଂଗଠନ ବ୍ୟାନରରେ ବସ୍‌ ଯୋଗେ ଦିଲ୍ଲୀ ଯାତ୍ରା କରିଛନ୍ତି। ଦିଲ୍ଲୀ ଯାତ୍ରା କରିଥିବା ଏହି କୃଷକଙ୍କ ସହିତ ସାଂସ୍କୃତିକ ଟିମ୍ ମଧ୍ୟ ସାମିଲ ହୋଇଛନ୍ତି। ନବ ନିର୍ମାଣ କୃଷକ ସଂଗଠନର କୃଷକମାନେ ଉତ୍ତରପ୍ରଦେଶ କାନପୁରରେ ପହଞ୍ଚିଥିବାବେଳେ ସେଠାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି।

ପ୍ରତିଷ୍ଠାନର ଅଧ୍ୟକ୍ଷ ଦୀପକ ମାଲବ୍ୟ ଓଡିଶାର କୃଷକଙ୍କୁ ସ୍ବାଗତ କରି କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଚାଲିଥିବା ଆନ୍ଦୋଳନର ଆଧାର ହେଉଛି ଅହିଂସା ଓ ସତ୍ୟାଗ୍ରହ। ଯାହା ଗାନ୍ଧୀଙ୍କ ଦର୍ଶନ ଉପରେ ଆଧାରିତ। ଗାନ୍ଧୀଙ୍କ ଏହି ରାସ୍ତାରେ ଚାଲୁଥିବା ଲୋକଙ୍କର ସର୍ବଦା ବିଜୟ ହୋଇଥାଏ। ନବନିର୍ମାଣ କୃଷକ ସଂଗଠନ ଓ କୃଷକ ଯାତ୍ରୀଦଳର ସଂଯୋଜକ ଅକ୍ଷୟ ଭାଇ କହିଛନ୍ତି ଯେ କୃଷି ଆଇନ ବିରୋଧୀ ଆନ୍ଦୋଳନକୁ ଓଡିଶାର କୃଷକମାନେ ସମର୍ଥନ କରୁଛନ୍ତି। ସେଥିପାଇଁ ଓଡ଼ିଶାର କୃଷକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଓଡ଼ିଶାର କୃଷକଙ୍କ ପାଇଁ ଆୟୋଜିତ ସ୍ବାଗତ ସମାରୋହରେ ଦିନେଶ ପ୍ରିୟମନ, ବିଜୟ ମିଶ୍ରା, ପୁତୁଲ ଆଦି ପ୍ରମୁଖ ସାମିଲ ହୋଇଥିଲେ।

Comments are closed.