ମହିଳା ସଶକ୍ତିକରଣ ଦିଗରେ ଓଡିଶା ଆଗରେ

- ୪ଟି ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ରକ୍ଷଣାବେକ୍ଷଣର ଭାର ସମ୍ଭାଳିବେ ସ୍ୱୟଂ ସହାୟକ ଗୋଷ୍ଠୀ

ସମାଜ ପୋର୍ଟାଲ ଡେସ୍କ: ମହିଳା ସଶକ୍ତିକରଣ ଦିଗରେ ଆଉ ପାଦେ ଆଗକୁ ଯାଇ ରାଜ୍ୟ ସରକାର ମହିଳା ଏବଂ ଟ୍ରାନ୍ସଜେଣ୍ଡରଙ୍କ ଦ୍ୱାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀକୁ ଚାରୋଟି ସେପ୍ଟେଜ୍ ଟ୍ରିଟମେଣ୍ଟ୍ ପ୍ଲାଣ୍ଟର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ଦେଇଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡିଓ କନଫରେନସିଂ ବୈଠକରେ ସ୍ଥାନୀୟ ସହରାଂଚଳ ସଂସ୍ଥା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ବ୍ରହ୍ମପୁର, ବାରିପଦା ଓ ସମ୍ବଲପୁରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କଟକସ୍ଥିତ ଟ୍ରାନ୍ସଜେଣ୍ଡର ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

ଏହି ଅବସରରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଓଡିଶାରେ ପରିମଳ ସମେତ ସମସ୍ତ ବିକାଶମୂଳକ କାର୍ଯ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ଆଗରେ ଅଛନ୍ତି ଏବଂ ବାରମ୍ବାର ସେମାନଙ୍କର ଦକ୍ଷତା ପ୍ରମାଣ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ସହରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ଗୋଷ୍ଠୀ ଶୌଚାଳୟଗୁଡିକର ପରିଚାଳନା ଏବଂ ରକ୍ଷଣାବେକ୍ଷଣ କରୁଛନ୍ତି। ସେ କହିଛନ୍ତି, ‘ଆମେ ଖୁସି ଯେ ଟ୍ରାନ୍ସଜେଣ୍ଡର ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବୈଷୟିକ ଏବଂ ପରିଚାଳନାଗତ ଦକ୍ଷତା ହାସଲ କରି ସେପ୍ଟେଜ୍ ଟ୍ରିଟମେଣ୍ଟ୍ ପ୍ଲାଣ୍ଟର ଦାୟିତ୍ୱ ନେବାକୁ ସକ୍ଷମ ହୋଇଛନ୍ତି।’ ଦେଶରେ ସେପ୍ଟେଜ୍ ପରିଚାଳନା କ୍ଷେତ୍ରରେ ଓଡିଶା ଅଗ୍ରଣୀ ରାଜ୍ୟ ବୋଲି ସେ କହିଛନ୍ତି।

ସେପ୍ଟେଜ୍ ପ୍ଲାଣ୍ଟଗୁଡିକ ପ୍ଲାଣ୍ଟ ନିକଟରେ ଥିବା ନର୍ସରୀ ଏବଂ ଲନ୍ ଜଳସେଚନ ପାଇଁ ବର୍ଜ୍ୟଜଳ ଜଳକୁ ଖତ ଭାବରେ ବ୍ୟବହାର କରି ବିଶୋଧିତ ଜଳ ଏବଂ କାଦୁଅକୁ ପୁନଃ ବ୍ୟବହାର କରିବେ ବୋଲି ଜଣେ ଅଧିକାରୀ କହିଛନ୍ତି। ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ୯୦ରୁ ଅଧିକ ଅତିରିକ୍ତ ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯିବ ଏବଂ ୧୧୪ଟି ସହରରେ ୩୨ ହଜାରରୁ ଅଧିକ ସ୍ୱୟଂ ସହାୟତା ଗୋଷ୍ଠୀଗୁଡ଼ିକୁ ପରିମଳ ପରିଚାଳନା ତଥା ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ୱ ଦିଆଯିବା ସମ୍ଭାବନା ଥିବା କୁହାଯାଇଛି।

Comments are closed.