ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା, ଗଠନ ହେଲା ବିଶେଷଜ୍ଞ କମିଟି

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ଦୀର୍ଘଦିନ ଧରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ବନ୍ଦ ରହିଛି। ଗତବର୍ଷଠାରୁ ଏଯାବତ୍‌ ବିଦ୍ୟାର୍ଥୀ ଶ୍ରେଣୀଗୃହ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟରେ ଗତବର୍ଷ ଅନ୍‌ଲାଇନ୍‌(ଆଭାସି) ଭାବେ ପାଠପଢା କରାଯାଇଥିଲେ ମଧ୍ୟ ନେଟୱାର୍କ ସମସ୍ୟା ଯୋଗୁଁ ସବୁ ବିଦ୍ୟାର୍ଥୀ ଏହାର ସୁଫଳ ପାଇପାରି ନଥିଲେ। ଏହାକୁ ଦୃଷ୍ଟିରେ ରଖି କିଭଳି ଭାବେ ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିନ୍ତନ ଆରମ୍ଭ ହୋଇଛି। ବିଭାଗ ଏ ଦିଗରେ ସ୍ବତନ୍ତ୍ର ଯୋଜନା କରିବା ସହ ଏକ ବିଶେଷଜ୍ଞ କମିଟି ଗଠନ କରିଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣ କମିବା ପରେ ଛାତ୍ରଛାତ୍ରୀଙ୍କ ଗାଁକୁ ଯାଇ ଅନ୍‌ଲାଇନ୍‌ ପାଠରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବାକୁ ଯୋଜନା କରାଯାଇଛି।

ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢୁଥିବାବେଳେ ସମଗ୍ର ରାଜ୍ୟ ତାଲାବନ୍ଦ ହୋଇରହିଛି। ବିଦ୍ୟାଳୟ ବନ୍ଦ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ଏଭଳି ସ୍ଥିତିରେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କୁ କିଭଳି ପାଠପଢା ଯାଇପାରିବ ସେନେଇ ବିକଳ୍ପ ବ୍ୟବସ୍ଥା ଚିନ୍ତା କରୁଛି ବିଭାଗ। ଗତବର୍ଷ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ରାଜ୍ୟରେ ବିଦ୍ୟାର୍ଥୀଙ୍କୁ ଘରେ ବହି ପ୍ରଦାନ ସହ, ହ୍ବାଟ୍‌ସଆପ୍‌ ଗ୍ରୁପ୍‌ (ସାମାଜିକ ଗଣମାଧ୍ୟମରେ ବିଦ୍ୟାର୍ଥୀ ଓ ଶିକ୍ଷକଙ୍କୁ ନେଇ ଗୋଷ୍ଠୀ ଗଠନ) କରି ପାଠପଢାଯାଇଥିଲା। ଏହା ବ୍ୟତୀତ ଦୀକ୍ଷା, ଇ-ବିଦ୍ୟାଳୟ ଓ ମଧୁ ଆପ୍‌ରେ ମଧ୍ୟ ପାଠପଢା ଯାଇଥିଲା। ସେହିପରି ଦୂରଦର୍ଶନରେ ‘ଶିକ୍ଷା ଦର୍ପଣ’, ବେତାରରେ ‘ରେଡିଓ ପାଠଶାଳା’, ‘ରେଡିଓ ସୁରଭି’ ଭଳି କାର୍ଯ୍ୟକ୍ରମରେ ପାଠପଢାଯିବା ସହ ଦୂରସଞ୍ଚାର (ମୋବାଇଲ) ଫୋନ୍‌ ଜରିଆରେ ଅଭିଭାବକ ଓ ବିଦ୍ୟାର୍ଥୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ଶିକ୍ଷକ। ତେବେ ରାଜ୍ୟରେ ପ୍ରାୟ ୫୦ % ଛାତ୍ରଛାତ୍ରୀ ଏହି ସମସ୍ତ କାର୍ଯ୍ୟକ୍ରମରେ ଉପକୃତ ହୋଇଥିବାବେଳେ ନେଟୱର୍କ ଅସୁବିଧା ଯୋଗୁଁ ଅବଶିଷ୍ଟ ୫୦% ବିଦ୍ୟାର୍ଥୀଙ୍କ ନିକଟରେ ଶିକ୍ଷା ପହଞ୍ଚିପାରି ନଥିଲା।

ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ କିଭଳି ଶିକ୍ଷା ପହଞ୍ଚିବ ସେନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ବରିଷ୍ଠ ଶିକ୍ଷାବିତ୍‌ ଓ ବିଭିନ୍ନ ବର୍ଗର ଲୋକଙ୍କ ମତ ନିଆଯାଉଛି। ରାଜ୍ୟରେ ଇ-କଣ୍ଟେଣ୍ଟ ସହ ବିକଳ୍ପ ପ୍ରଣାଳୀରେ ଶିକ୍ଷା ପ୍ରଦାନ କରୁଥିବା ବହୁ ଅଗ୍ରଣୀ ସଂସ୍ଥା (ଷ୍ଟାର୍ଟଅପ୍‌) ସହ ବିଭାଗ ଆଲୋଚନା ଆରମ୍ଭ କରିଛି। କଭଳି ଭାବେ ବିକଳ୍ପ ପଦ୍ଧତିରେ ପାଠ ପଢାଯିବ ସେ ଦିଗରେ ଯୋଜନା ପ୍ରସ୍ତୁତ କରାଯାଉଛି। ସେହିପରି ବିଦ୍ୟାଳୟ ଖୋଲିବା ବିଳମ୍ବ ହେବାର ସମ୍ଭାବନା ରହିଛି।

ସେଥିଯୋଗୁଁ କରୋନା ସଂକ୍ରମଣ କମିବା ପରେ ଯେଉଁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ପାଠପଢାରୁ ବଞ୍ଚିତ ହେଉଛନ୍ତି ସେହି ପିଲା (ଅତି ବେଶିରେ ୫-୭ ଜଣ ସହପାଠୀ ବିଦ୍ୟାର୍ଥୀ)ଙ୍କୁ ନେଇ ତାଙ୍କ ଗ୍ରାମରେ ପର୍ଯ୍ୟାୟକ୍ରମେ ଶିକ୍ଷକ ଯାଇ ସାମାଜିକ ଦୂରତା ରକ୍ଷା କରି ପାଠ ପଢାଇବେ। ଏହା ଅନ୍ୟ ରାଜ୍ୟ​‌େ​‌ର ସଫଳ ହୋଇଥିବାରୁ ଓଡ଼ିଶାରେ ଆପଣାଇବାକୁ ଯୋଜନା କରାଯାଇଛି। କରୋନା ସଂକ୍ରମଣ କମିବା ପରେ ରାଜ୍ୟ ସରକାର ଅନୁମତି ପ୍ରଦାନ କଲେ ଏହି କାର୍ଯ୍ୟକ୍ରମ ରାଜ୍ୟରେ ଆରମ୍ଭ ହେବ। ତେବେ ଆବଦ୍ଧାଞ୍ଚଳ(କଣ୍ଟେନମେଣ୍ଟ ଜୋନ୍‌)ରେ ଏହି କାର୍ଯ୍ୟକ୍ରମକୁ ବାଦ ଦିଆଯିବ। ରାଜ୍ୟର ପ୍ରାୟ ୧ ଲକ୍ଷ ୭୦ ହଜାର ଶିକ୍ଷକଙ୍କୁ ଇ-କଣ୍ଟେଣ୍ଟ ପ୍ରସ୍ତୁତି ନେଇ ପ୍ରଶିକ୍ଷଣ ଦିଆଯାଇଛି।

ସେହିପରି ବିଦ୍ୟାଳୟର ଗତିବିଧି ଓ ପାଠପଢାର ସ୍ଥିତି ଜାଣିବାକୁ ବିଦ୍ୟାଳୟ ପରିଚାଳନା ଆପ୍‌ କରାଯାଇଛି। ବିଭାଗ ପକ୍ଷରୁ ବିବିଧ ଯୋଜନା କରାଯାଇଥିବାବେଳେ ରାଜ୍ୟ ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ। ଶିକ୍ଷାବିତ୍‌, ବୁଦ୍ଧିଜୀବୀ ଓ ବିଶେଷଜ୍ଞଙ୍କ ମତକୁ ଏହି ଯୋଜନାରେ ସ୍ଥାନିତ କରାଯିବ ବୋଲି ଜଣାପଡ଼ିଛି। ଏନେଇ ମଧ୍ୟ ବିଭିନ୍ନ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଆସନ୍ତା ସୋମବାର ବୈଠକ କରିବ। ଏଥିରେ ପାଠପଢା ନେଇ ଆଲୋଚନା ହେବ।

Comments are closed.