ସଙ୍କଟ ଆଡକୁ ମୁହାଁଉଛି ଅର୍ଥନୀତି

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ବଜେଟ ତିଆରି ହୋଇଥିଲା। ଏଥି ପାଇଁ ଯେଉଁ ଅର୍ଥ ବ୍ୟବସ୍ଥା ହୋଇଥିଲା ସେଥିରୁ ପ୍ରାୟ ୨୫ହଜାର କୋଟି ଟଙ୍କା ବିଭିନ୍ନ ସୂତ୍ରରୁ ଋଣ ଆକାରରେ ଅଣାଯିବାକୁ ପ୍ରସ୍ତାବ ଥିଲା। ଖୋଲା ବଜାର ଓ ଅନ୍ୟାନ୍ୟ ସୂତ୍ରରୁ ଋଣ କରାଗଲେ ବି ବିତ୍ତୀୟ ଦାୟିତ୍ୱ ପରିଚାଳନା ଆଇନ ଦ୍ୱାରା ଧାର୍ୟ୍ୟ ସୀମା ରାଜ୍ୟର ମୋଟ ଘରୋଇ ଉତ୍ପାଦ(ଜିଏସଡ଼ିପି)ର ୨୫ପ୍ରତିଶତ ଭିତରେ ସୀମିତ ରହିବ ବୋଲି କୁହାଯାଇଥିଲା। ହେଲେ କୋଭିଡ଼ ମାଡ଼ରେ ଅର୍ଥନୀତି ଧରାଶାୟୀ ହେବାକୁ ଯାଉଛି। କେନ୍ଦ୍ରଠାରୁ ଅନୁଦାନ ଓ କେନ୍ଦ୍ରୀୟ ଟିକସରୁ ଓଡ଼ିଶାର ଭାଗକୁ ଛାଡ଼ିଦେଲେ ସରକାରଙ୍କ ପାଖରେ ସମ୍ବଳ ସଂଗ୍ରହର ମାର୍ଗ ସଙ୍କୁଚିତ। ଏବେ ସଙ୍କଟ ସୁଧାରିବାକୁ ଦୁଇଟି ବାଟ ରହିଛି-ଅଧିକ ଟିକସ ସଂଗ୍ରହ ନଚେତ ଋଣ। ଟିକସ ସଂଗ୍ରହ ତ ବାଧାପ୍ରାପ୍ତ ହୋଇଛି, ଆଗକୁ ସଂଗ୍ରହ ବଢ଼ିଲେ ବି ତାହା ଆବଶ୍ୟକତା ମେଣ୍ଟାଇବାର ସମ୍ଭାବନା କ୍ଷୀଣ। ଆଉ ପରବର୍ତ୍ତୀ ପଦକ୍ଷେପଟି ହେଲା ଋଣ। ଅର୍ଥନୀତି ସୁଧାରିବାକୁ, ଅଧିକ ଚଳଚଞ୍ଚଳ କରିବାକୁ ସରକାର ଏ ବାଟ ଆପଣାଇବା ଛଡ଼ା ଅନ୍ୟ ବିକଳ୍ପ ନାହିଁ। ଇତିମଧ୍ୟରେ ଆର୍ଥିକ ବର୍ଷର ଏକ ତୃତୀୟାଂଶ ବା ୪ମାସ ବିତିଗଲାଣି। ଖଣି, ଅବକାରୀ ଆଦି କ୍ଷେତ୍ରକୁ କଟକଣା ମୁକ୍ତ କରାଯାଇଥିଲେ ବି ରାଜସ୍ୱ ସଂଗ୍ରହ ଧାର୍ୟ୍ୟଲକ୍ଷ୍ୟର ୫୦ପ୍ରତିଶତ ବି ଟପୁନାହିଁ। ତେଣେ ରାଜ୍ୟ ସରକାର କୋଭିଡ଼ ମୁକାବିଲା ପାଇଁ ଜରୁରୀ ଖର୍ଚ୍ଚ କରି ଚାଲିଥିବା ବେଳେ ଅନ୍ୟାନ୍ୟ ବିକାଶ କାର୍ୟ୍ୟ ପ୍ରାୟ ଅଧାପନ୍ତରିଆ ଅବସ୍ଥାରେ।

ନା ଆୟର କିଛି ପନ୍ଥା ବାହାରିପାରୁଛି ନା ଯୋଜନା ବାବଦରେ ଅର୍ଥ ଖର୍ଚ୍ଚ ହୋଇପାରୁଛି। ଖର୍ଚ୍ଚ ପାଇଁ ଅର୍ଥ ନାହିଁ, କିମ୍ବା ସମ୍ବଳ ନାହିଁ। ସଙ୍କଟ ପରିସ୍ଥିତିରେ ରାଜ୍ୟ ସରକାର କେବଳ ମନରେଗା, ଅଣୁ , କ୍ଷୁଦ୍ର ଓମଧ୍ୟମ ଉଦ୍ୟୋଗ (ଏମଏସଏମଇ), କୃଷି ଏବଂ ସହରାଞ୍ଚଳରେ ଶ୍ରମିକଙ୍କୁ ଶ୍ରମଭିତ୍ତିକ ରୋଜଗାର ସୃଷ୍ଟି ବାବଦରେ କିଛି ଯୋଜନା କରିଛନ୍ତି। ଏହାକୁ ବାଦ ଦେଲେ ଅନ୍ୟାନ୍ୟ କ୍ଷେତ୍ର ବା ଉଦ୍ୟୋଗକୁ ଅଧିକ କ୍ରିୟାଶୀଳ, ଉତ୍ପାଦନକ୍ଷମ ଓ ଚଳଚଞ୍ଚଳ କରିବାକୁ ସରକାରଙ୍କ ପାଖରେ ପୁଞ୍ଜି ନାହିଁ। ସେଥିପାଇଁ ସ୍ୱାସ୍ଥ୍ୟ ସେବା ଭଳି ଜରୁରୀ ଆବଶ୍ୟକତାକୁ ଛାଡ଼ିଦେଲେ ଅନ୍ୟାନ୍ୟ ଖର୍ଚ୍ଚ ଉପରେ ସରକାର କଟକଣା ଜାରି କରିଛନ୍ତି।

ଏବେ ଯେଉଁସବୁ କ୍ଷେତ୍ର ଚଳଚଞ୍ଚଳ ହୋଇଛି ବୋଲି କୁହାଯାଉଛି, ବାସ୍ତବରେ ସେସବୁ ଲୋକଙ୍କ ଚାରହିଦା ପୂରଣ କରିପାରୁନି। ଶିଳ୍ପ ଚାଲିଛି, ହେଲେ ଉତ୍ପାଦନ, ନିଯୁକ୍ତି ବା ଲାଭ ଆଖିଦୃଶିଆ ହେଉନାହିଁ। ପର୍ୟ୍ୟଟନ, ଶିଳ୍ପ, ବାଣିଜ୍ୟ, ପରିବହନ ଆଦି ରାଜ୍ୟର ପ୍ରତିଟି କ୍ଷେତ୍ର ସାଂଘାତିକ ଭାବେ କରୋନା ମାଡ଼ରେ ବିପର୍ୟ୍ୟସ୍ତ ହୋଇପଡ଼ିଛି। ବଡ଼ ବଡ଼ ହୋଟେଲ ପ୍ରତିଷ୍ଠା ହୋଇଛି, ହେଲେ ରୋଜଗାର ନଥିବାରୁ ଏବେ ସେମାନେ ନିଜ ପ୍ରତିଷ୍ଠା ଖର୍ଚ୍ଚ ତୁଲାଇ ପାରୁନାହାନ୍ତି କିମ୍ବା କର୍ମଚାରୀଙ୍କୁ ପଇସା ଦେଇପାରୁ ନାହାନ୍ତି। ବହୁ ବେସରକାରୀ ଶିଳ୍ପ ବା ହୋଟେଲ ଶିଳ୍ପରେ କର୍ମଚାରୀ ଛଟେଇ ହେଲେଣି।
ଜାତୀୟ ସ୍ତରରେ ଆର୍ଥିକ ଅଭିବୃଦ୍ଧି କମିବା ସହିତ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ହାର ବି ବହୁ ତଳକୁ ଖସିଯିବା ନେଇ ପ୍ରମୁଖ ଅର୍ଥନୀତିଜ୍ଞ ଓ ବିଭିନ୍ନ ରେଟିଂ ସଂସ୍ଥା ଆକଳନ କଲେଣି।

୨୦୧୮-୧୯ରେ ଓଡ଼ିଶାରେ ଜିଡ଼ିପିର ଅଭିବୃଦ୍ଧି ହାର ୭ପ୍ରତିଶତ ଉପରେ ଥିଲା। ୨୦୧୯-୨୦ରେ ଅଭିବୃଦ୍ଧି ହାର ୬.୧୬ ପ୍ରତିଶତକୁ କମିଯାଇପାରେ ବୋଲି ଅର୍ଥନୀତି ସର୍ଭେ ୨୦୧୯-୨୦ ରିପୋର୍ଟରେ ଆକଳନ କରାଯାଇଛି। ବାତ୍ୟା, ଅର୍ଥନୈତିକ ମାନ୍ଦାବସ୍ଥା ଓ ଅନ୍ୟାନ୍ୟ କାରଣକୁ ଏଥିପାଇଁ ଦାୟୀ କରାଯାଇଛି। ଏହି ଆକଳନ ସମୟରେ ମହାମାରୀ ନଥିଲା। ହେଲେ କୋଭିଡ଼ ଏବେ ସବୁ ଅଙ୍କ ଏପଟସେପଟ କରିଦେଇଛି। ଉତ୍ପାଦନ କମିଛି, ଲୋକ ନିଯୁକ୍ତି ହରାଇଛନ୍ତି, ବେକାରୀ ବଢ଼ିଚାଲିଛି। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଗରିବ ଓ ମଧ୍ୟବିତ୍ତ। ଗରିବଙ୍କ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରହିଥିବା ବେଳେ ସେମାନେ ବଞ୍ଚିଯାଉଛନ୍ତି। ହେଲେ ମଧ୍ୟବିତ୍ତ ନାହିଁ ନଥିବା ଦୁର୍ଦଶା ଭିତରକୁ ଠେଲି ହୋଇଯାଇଛନ୍ତି। ସ୍ଥିତି ଯେଉଁ ଦିଗରେ ମୁହାଁଉଛି ସେଥିରେ ଜିଡ଼ିପିର ଅଭିବୃଦ୍ଧି ୬.୧୬ଭାଗ ନୁହେଁ ଏହା ଶୂନ୍ୟକୁ ମୁହାଁଇବାର ଆଶଙ୍କା ରହିଛି।

କିଛି ବର୍ଷ ଭିତରେ ରାଜ୍ୟ ଅର୍ଥନୀତିରେ ଢ଼ାଞ୍ଚାଗତ ପରିବର୍ତ୍ତନ ଯୋଗୁଁ ରାଜ୍ୟର ମୋଟ ଘରୋଇ ଉତ୍ପାଦରେ ସେବା ଓ ଶିଳ୍ପର ଅବଦାନ ବଢ଼ିଥିଲା। ସମୟ ଥିଲା ଜିଡ଼ିପିକୁ କୃଷିର ଅବଦାନ ୬୦ପ୍ରତିଶତରୁ ଅଧିକ ରହୁଥିଲା। କିନ୍ତୁ ଏବେ ୨୦ ପ୍ରତିଶତକୁ କମିଛି। କିନ୍ତୁ ସେବା ସବୁଠୁ ଆଗରେ ପ୍ରାୟ ୪୦ରୁ ୪୧ପ୍ରତିଶତ ଏବଂ ତା’ପଛକୁ ଶିଳ୍ପର ଅବଦାନ ୩୯ରୁ ୪୦ପ୍ରତିଶତରେ ପହଞ୍ଚିଛି। ବିଶେଷ କରି ଗତ ଦୁଇ ଦଶନ୍ଧି ଭିତରେ ଆର୍ଥିକ ସଂସ୍କାର, ନୂଆ ଶିଳ୍ପ ନୀତି , ମେକ ଇନ ଓଡ଼ିଶା ଏବଂ ବ୍ୟାବସାୟିକ କ୍ଷେତ୍ରରେ ବିକାଶ ଯୋଗୁଁ ଢ଼ାଞ୍ଚା ବଦଳିଛି। ଏହି ବିକାଶ ଯୋଗୁଁ ଋଣ ଭାରରେ ବୁଡ଼ି ରହିଥିବା ଓଡ଼ିଶା ଗତ ଦଶନ୍ଧି ଭିତରେ ଉପରକୁ ଉଠିବା ସହିତ ଋଣ ଭାର ଜିଏସଡ଼ିପିର ୫୦ପ୍ରତିଶତରୁ ଖସି ୨୫ପ୍ରତିଶତ ଭିତରେ ସୀମିତ ରହିଛି।
ଏବେ ପରିସ୍ଥିତି ପୁଣି ବଦଳିଯାଇଛି। ଏବେ ଆଉ ମାନ୍ଦାବସ୍ଥା ନୁହେଁ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି। ଏଭଳି ସ୍ଥିତିରେ ଲୋକଙ୍କ ଚାହିଦା ଥିଲେ ବି ଜିନିଷ କିଣିବାକୁ ପକେଟରେ ପଇସା ନାହିଁ। ଅର୍ଥନୀତିରେ ଦେଖାଦେବାକୁ ଯାଉଛି ଉତ୍କଟ ମାନ୍ଦାବସ୍ଥା ଓ ଶୀଥିଳତା। ଏଥିରୁ ମୁକୁଳିବାକୁ ହେଲେ ସରକାରଙ୍କୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ।

ଏବେ ସମ୍ବଳ ସଂଗ୍ରହର ଉତ୍ସସବୁ ବନ୍ଦ ଥିବାରୁ ସରକାର ଋଣ କରିବା ଆରମ୍ଭ କରିଛନ୍ତି। ରାଜ୍ୟରେ ଏବେ ଋଣ ଭାର ୧ଲକ୍ଷ କୋଟି ଟଙ୍କାକୁ ଟପିବାକୁ ବସିଲାଣି। ଆଗକୁ ଆହୁରି ଋଣ କରିବାକୁ ପଡ଼ିବ। ତେବେ ସରକାର ଋଣକୁ ପୋଷଣୀୟ ସ୍ଥିତରେ ରଖିିବା ପାଇଁ ବିଧାନସଭାରେ ଯେଉଁ ଭରସା ଦେଇଥିଲେ ତାହା କେତେଦୂର ରକ୍ଷା କରିବେ ତାହା ଆର୍ଥିକ ସ୍ଥିତି ଓ କୋଭିଡ଼ ପରବର୍ତ୍ତୀ ପରିସ୍ଥିତିରୁ ହିଁ ସ୍ପଷ୍ଟ ଜଣାପଡ଼ିବ।

Comments are closed.