କରୋନା ପ୍ରଭାବ: ବଢ଼ିବ ବିତ୍ତୀୟ ନିଅଣ୍ଟ; ପ୍ରଭାବିତ ହେବ ଜୀବନ-ଜୀବିକା

ସରକାରଙ୍କୁ ସତର୍କ କଲା ଓଡ଼ିଶା ଅର୍ଥନୀତି ସଙ୍ଗଠନ

ସମାଜ ପୋର୍ଟାଲ ଡେସ୍କ: କରୋନା ମହାମାରୀ କେବଳ ଯେ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି ତାହା ନୁହେଁ, ଏହା ମଧ୍ୟ ଅର୍ଥନୀତ଼ିକୁ ବ୍ୟାପକ ଭାବରେ ବିପର୍ଯ୍ୟୟ କରିବା ସହ ଉଭୟ ଜୀବନ ଓ ଜୀବିକା ପାଇଁ ଉତ୍କଟ ସଙ୍କଟ ସୃଷ୍ଟି କରିଥିବା ଓଡିଶା ଅର୍ଥନୀତି ସଂଗଠନ କହିଛି। ଏହି ସଂଗଠନ ଅନୁକୁଲ୍ୟରେ ‘କରୋନା ଓ ଓଡିଶା ଅର୍ଥନୀତି, ଆହ୍ୱାନ ଏବଂ ସମାଧାନ’ ଶୀର୍ଷକ ଗବେଷଣାତ୍ମକ ରିପୋର୍ଟରେ ୧୨ଟି ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଛି।

ଏଥିରେ କରୋନା ମହାମାରୀ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ, ୨୦୨୦-୨୧ବର୍ଷ ପାଇଁ ରାଜ୍ୟ ଅଭିବୃଦ୍ଧି ଉପରେ ପ୍ରଭାବ, ସାମ୍ପ୍ରତିକ ପରିସ୍ଥିତିରେ ଉପଯୁକ୍ତ ପଦକ୍ଷେପ, ପ୍ରବାସୀ ଶ୍ରମ଼ିକ ଏବଂ ବେକାରୀ ସମସ୍ୟା, କୃଷ଼ି ଏବଂ ଆନୁସଙ୍ଗିକ କ୍ଷେତ୍ର, ଶ଼ିଳ୍ପ ଏବଂ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରଭାବ, ଆର୍ଥିକ ବାଛ ବିଚାର, ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟା ଏବଂ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନା ଉପରେ ଆଲୋଚନା କରାଯାଇଛି।

ଏହି ରିପୋର୍ଟରେ ସମାଧାନର କେତେକ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରାଯିବ ସହ ରାଜ୍ୟ ସରକାରଙ୍କ କରୋନା ପରିଚାଳନାକୁ ପ୍ରଶଂସା କରାଯାଇଥିବା ବେଳେ ଜନ ପ୍ରତିନିଧିମାନଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟ ସରକାରଙ୍କ ଦ୍ୱାରା ଲକ ଡାଉନ ସମୟରେ ଉତ୍ପାଦ ହାର ୧୩ରୁ ୧୬.୬ ପ୍ରତିଶତ ହ୍ରାସ ପାଇଥିବା ସୂଚନା ଦିଆଯାଇଛି। ଏଥିରେ ସାମ୍ପ୍ରତିକ ସ୍ୱାସ୍ଥ୍ୟ ସଙ୍କଟ ପରିସ୍ଥିତିରେ ସମସ୍ତଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟାନ୍ୟ ଉପାୟ ମଧ୍ୟରେ କ୍ଷମତା ଵିକେନ୍ଦ୍ରୀକରଣ, ଶିକ୍ଷକମାନଙ୍କ ଦକ୍ଷତା ବିକାଶ, ପର୍ଯ୍ୟଟନ କ୍ଷେତ୍ର ପାଇଁ ବ୍ୟୟ ବରାଦ ହୋଇଥିବା ଅର୍ଥରେ ଜୀବିକା ଯୋଗାଇ ଦେବା, ନିବେଶକଙ୍କୁ ଆକୃଷ୍ଟ କରିବା ଏବଂ ପ୍ରବାସୀ ଶ୍ରମିକମାନଙ୍କ ଏକ ଡାଟାବେସ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି।

ରିପୋର୍ଟରେ ଦିଆଯାଇଥିବା ଆକଳନ ଅନୁଯାୟୀ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟର ରାଜସ୍ବ ସଂଗ୍ରହ ବଜେଟ ଆକଳନ ଠାରୁ ପ୍ରାୟ ୧୧ ହଜାର ୩୨୩ କୋଟି ଟଙ୍କା ନିଅଣ୍ଟ ପଡିବ। ବଜେଟରେ ନିର୍ଦ୍ଧାରିତ ଦେଢ଼ ଲକ୍ଷ କୋଟି ଖର୍ଚ୍ଚ କରିବାକୁ ହେଲେ ରାଜ୍ୟ ସରକାରଙ୍କୁ ପ୍ରାୟ ୩୫ ହଜାର ୭୬୩ କୋଟି ଟଙ୍କା ଋଣ କରିବାକୁ ପଡିବ ଯାହା ରାଜ୍ୟର ମୋଟ ଉତ୍ପାଦର ପ୍ରାୟ ୬.୩ ପ୍ରତିଶତ ହେବ।

ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା ୨ ମାସ ମଧ୍ୟରେ ରାଜ୍ୟକୁ ପ୍ରାୟ ୨୦ ଲକ୍ଷ ପ୍ରବାସୀ ଆସିବେ ଯାହା ଫଳରେ ୨୦ ଲକ୍ଷ ପରିବାରର ଜୀବିକା ପ୍ରଭାବିତ ହେବ ଓ ପ୍ରବାସୀଙ୍କ ଠାରୁ ମିଳୁଥିବା ୨୪ ହଜାର କୋଟି ରାଜ୍ୟ ହରାଇବ। ଅନ୍ୟ ପକ୍ଷରେ ରାଜ୍ୟ ସରକାର ପ୍ରବାସୀ ଶ୍ରମିକମାନଙ୍କ ବିଷୟରେ ସଠିକ ତଥ୍ୟ ହାସଲ ପାଇଁ ଏକ ଡାଟାବେସ ପ୍ରସ୍ତୁତି ସହ ଅର୍ଦ୍ଧକୁଶଳୀ ଓ କୁଶଳୀ ଶ୍ରମିକମାନଙ୍କ ପାଇଁ ପଂଚାୟତ ସ୍ଥରରେ ଗ୍ରାମୀଣ ଉଦ୍ୟୋଗ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି। ଏଥିରେ ଅର୍ଦ୍ଧାଧିକ ଲୋକଙ୍କ ଜୀବିକା ସୁରକ୍ଷା ପାଇଁ ବିନା ଶୁଳ୍କରେ ସମସ୍ତ କୃଷି ଉପାଦାନ ପ୍ରଦାନ ସହ ୧୯-୨୦ ଏବଂ ୨୦-୨୧ ପାଇଁ ବିନା ସୁଧରେ କୃଷି ଋଣ ପ୍ରଦାନ ପାଇଁ ପ୍ରସ୍ତାବ ମଧ୍ୟ ଦିଆଯାଇଛି।

Comments are closed.