ଓଡ଼ିଶା ଅର୍ଥନୀତିକୁ ଶକ୍ତ ଧକ୍କା ; ବଢ଼ିଚାଲିଛି ଖର୍ଚ୍ଚ, କମୁଛି ଆୟ

ଭୁବନେଶ୍ବର : କୋଭିଡ଼ ୧୯ ଅର୍ଥନୀତିକୁ ଶକ୍ତ ଧକ୍କା ଦେଇଛି। ରାଜ୍ୟର ସାମଗ୍ରିକ ବିକାଶ ଧାରା ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ଆଜି ଶେଷ ହୋଇଛି। ହେଲେ ରାଜସ୍ବ ସଂଗ୍ରହ ଅଧାରୁ ଅଧିକ କମିଥିବାବେଳେ ‌ବଜେଟରେ ଯାହା ବ୍ୟୟବରାଦ କରାଯାଇଛି ସେହି ଅନୁସାରେ ଖର୍ଚ୍ଚ ହୋଇପାରୁନି। କୋଭିଡ଼ ମୁକାବିଲା ପାଇଁ ଖର୍ଚ୍ଚ ବଢ଼ିଚାଲିଛି। ସେପଟେ ଜୀବିକାର୍ଜନ ପନ୍ଥା ସଙ୍କୁଚିତ ହୋଇପଡ଼ୁଛି। ଅର୍ଥନୈତିକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଲକଡାଉନକୁ କୋହଳ କରାଯାଇଥି​‌େ​‌ଲ ହେଁ ଅବସ୍ଥା ସୁଧୁରୁନି। ଆଗକୁ ବେରୋଜଗାରୀ ପ୍ରମୁଖ ସମସ୍ୟା ହୋଇ ଉଭା ହେବାର ଆଶଙ୍କା ରହିଛି।
ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷର ଏ ପର୍ଯ୍ୟନ୍ତ ରାଜସ୍ବ ସଂଗ୍ରହ ଗତ ଆର୍ଥିକ ବର୍ଷ ତୁଳନାରେ ୫୦ ପ୍ରତିଶତରୁ ଆହୁରି ତଳକୁ ଖସିଯାଇଛି। ମୋଟ ଉପରେ ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ମେ ସୁଦ୍ଧା ଟିକସ ବାବଦ ରାଜସ୍ବ ସଂଗ୍ରହ ଗତ ବର୍ଷ ତୁଳନାରେ ପ୍ରାୟ ୫୮ପ୍ରତିଶତ କମିଛି।
ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କେ.ମିନା କହିଛନ୍ତି ଲକଡାଉନ ସମୟରେ ରାସ୍ତାଘାଟ ବନ୍ଦ ରହିବା, ପରିବହନ ବାଧାପ୍ରାପ୍ତ ହେବା ଯୋଗୁଁ ଅର୍ଥନୈତିକ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବା ସହିତ ବଜେଟ ଯେଭଳି ଖର୍ଚ୍ଚ ହେବା କଥା ହୋଇପାରିନି। କେବଳ କୋଭିଡ଼ ପାଇଁ ଖର୍ଚ୍ଚ ଚାଲିଛି। ଏଥିସହିତ କୃଷି ଏବଂ ମନରେଗା ବାବଦରେ ଅର୍ଥ ଖର୍ଚ୍ଚ କରାଯାଉଛି। ଅର୍ଥନୈତିକ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିବା ପାଇଁ ଉଦ୍ୟମ ଚାଲିଛି।
ଅର୍ଥ ବିଭାଗ ତଥ୍ୟ କହୁଛି ରାଜ୍ୟରେ ପୁଞ୍ଜିନିବେଶ ସମ୍ପୂର୍ଣ୍ଣ ମାନ୍ଦା ସ୍ଥିତିକୁ ଚାଲିଯାଇଛି। କେବଳ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଚାଲିଛି। ଗ୍ରାମ୍ୟ ଭିତ୍ତିଭୂମି ଉନ୍ନୟନ ପାଣ୍ଠି(ଆରଇଡ଼ିଏଫ) ଅଧୀନରେ ଥିବା ପ୍ରକଳ୍ପ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହେଉଛି। ଲକଡାଉନ ସମୟରେ ରାଜ୍ୟର ଟିକସ ରାଜସ୍ବ ଆଦାୟ ମାତ୍ରାଧିକ ପ୍ରଭାବିତ ହୋଇଛି। ସେପଟେ କେନ୍ଦ୍ର ଉପରେ ଜିଏସଟି କ୍ଷତିପୂରଣ ପାଇଁ ରାଜ୍ୟ ନିର୍ଭର କରୁଥିଲେ ହେଁ ଗତ ବର୍ଷର ବକେୟା ରାଶି ଏ ପର୍ଯ୍ୟନ୍ତ କେନ୍ଦ୍ର ଭରଣା କରିପାରିନି। ଗତ ଆର୍ଥିକ ବର୍ଷ ସୁଦ୍ଧା କେନ୍ଦ୍ର ଓଡ଼ିଶାକୁ ୨୧୦୦କୋଟି ଟଙ୍କାର ଜିଏସଟି ବାବଦ କ୍ଷତିପୂରଣ ଦେବାର ଥିଲା; କିନ୍ତୁ ଓଡ଼ିଶାକୁ ଏ ପର୍ଯ୍ୟନ୍ତ ମିଳିଛି ୧୧୬୦କୋଟି। ତଥାପି ୧୦୦୦କୋଟି ଟଙ୍କା କେନ୍ଦ୍ରରୁ ମିଳିନି। ଏବେ ରାଜ୍ୟଗୁଡ଼ିକରୁ କେନ୍ଦ୍ରୀୟ ଟିକସ ସଂଗ୍ରହ ହାର କମିଥିବାରୁ କେନ୍ଦ୍ର କ୍ଷତିପୂରଣ ଭରଣା କରିବା ସ୍ଥିତି​‌େ​‌ର ନାହିଁ। ତେଣୁ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରଠୁ ଜିଏସଟି କ୍ଷତିଭରଣା ଆଶା ମଉଳିବାରେ ଲାଗିଛି। ଓଡ଼ିଶା ଏବେ କେବଳ ବକେୟ​ା କିପରି ପାଇବ ସେ ଚେଷ୍ଟାରେ ରହିଛି।
ରାଜସ୍ବ ସଂଗ୍ରହ କମୁଥିବାରୁ ଚଳିତ ବର୍ଷ ଅଧିକ ବ୍ୟୟ ହେବକୁ ଥିବା ପ୍ରକଳ୍ପ ଉପରେ ସରକାର କାର୍ଯ୍ୟକାରୀ କରିବା ନେଇ ଅନିଶ୍ଚିତତା ଦେଖାଦେଇଛି। କାରଣ ଆୟକୁ ଦେଖି ସରକାରଙ୍କୁ ମିତବ୍ୟୟିତା ନୀତି ଆପଣାଇବାକୁ ପଡ଼ିବ। ଇତିମଧ୍ୟରେ ସରକାର ପ୍ରାୟ ୧୭ହଜାର କୋଟିର ପ୍ୟାକେଜ ଘୋଷଣା କରିସାରିଥିବା ବେଳେ ଆଗକୁ ମଧ୍ୟ କେନ୍ଦ୍ର ଢ଼ାଞ୍ଚାରେ ନିହାତି ଜରୁରୀ ଥିବା କିଛି ପ୍ୟାକେଜ ଘୋଷଣା କରିବାକୁ ପଡ଼ିବ। ସେଥିପାଇଁ ସରକାରଙ୍କୁ ବ୍ୟୟ ସଙ୍କୋଚନ ନୀତି ଆପଣାଇବାକୁ ପଡ଼ିବ। ରାଜ୍ୟର ୪ଲକ୍ଷ ସରକାରୀ କର୍ମଚାରୀ ଓ ୩ଲକ୍ଷ ପେନସନ ଭୋଗୀଙ୍କୁ ଠିକଣା ସମୟରେ ଦରମା ଓ ପେନସନ ଦେବା ସରକାରଙ୍କ ‌ପାଇଁ ସବୁଠୁ ବଡ଼ ଆହ୍ବାନ। ଏ ବାବଦରେ ବାର୍ଷିକ ୬୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ନିକଟ ଅତୀତରେ ସର୍ବଭାରତୀୟ ସେବା ଅଧିକାରୀଙ୍କର ଦରମା ୫୦ ପ୍ରତିଶତ କାଟ ହୋଇଛି। ମନ୍ତ୍ରୀ, ବିଧାୟକ, ନିଗମ ଅଧ୍ୟକ୍ଷ ଓ ଲୋକାଲ ବଡ଼ିର ନିର୍ବାଚିତ ପ୍ରତିନିଧିଙ୍କ ଦରମାରେ ୭୦ ପ୍ରତିଶତ ସ୍ଥଗିତ ରଖିବାକୁ ପଦକ୍ଷେପ ନିଆଯାଇଛି। ଆଗକୁ ଆହୁରି କିଛି ଖର୍ଚ୍ଚ କାଟ ପନ୍ଥା ଉପରେ ସରକାର ବିଚାର କରୁଛନ୍ତି।
ସରକାରଙ୍କ ‌ପାଇଁ ଅର୍ଥ ସଂଗ୍ରହ ଏବେ ପ୍ରମୁଖ ଆହ୍ବାନ ହୋଇଛି। ଇଣ୍ଡିଆ ରେଟିଂସ ଆଣ୍ଡ ରିସର୍ଚ୍ଚ ଏହାର ରିପୋର୍ଟରେ କହିଛି ଯେ କରୋନା ଲକଡାଉନ ଯୋଗୁଁ ଦେଶର ସର୍ବାଧିକ ପ୍ରଭାବିତ ହୋଇଥିବା ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ଭିତରେ ଅଛନ୍ତି କର୍ଣ୍ଣାଟକ, ଝାଡ଼ଖଣ୍ଡ, ତାମିଲନାଡ଼ୁ ଓ କେରଳ। ରିପୋର୍ଟରେ କୁହାଯାଇଛି ଯେ ଜାତୀୟସ୍ତରରେ ସବୁ ରାଜ୍ୟର ମୋଟ ଘରୋଇ ଉତ୍ପାଦ(ଜିଡ଼ିପି) ପ୍ରାୟ ୬.୩ପ୍ରତିଶତ କମିଯାଇପାରେ।
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦେଢ଼ ଲକ୍ଷ କୋଟିର ବଜେଟ ଭିତରୁ ରାଜ୍ୟ ସରକାର କେନ୍ଦ୍ରୀୟ ଟିକସ ଓ ଅନୁଦାନ ବାବଦରେ ୬୮ ହଜାର କୋଟି ତଥା ନିଜସ୍ବ ରାଜସ୍ବ ଆଦି ବିଭିନ୍ନ ସୂତ୍ରରୁ ୫୬ ହଜାର କୋଟି ଏପରି ପ୍ରାୟ ୧ ଲକ୍ଷ ୨୫ ହଜାର କୋଟି ସଂଗ୍ରହ ସହିତ ଅବଶିଷ୍ଟ ପ୍ରାୟ ୨୫ ହଜାର କୋଟି ଋଣ ସୂତ୍ରରୁ ଆଣିବାର ଯୋଜନା ରଖିଥିଲେ। ହେଲେ କରୋନା ସବୁକିଛି ହିସାବ ବିଗାଡ଼ି ଦେଇଛି। ସରକାରଙ୍କ ବଡ଼ ଉତ୍ସ କୁହାଯାଉଥିବା ଅବକାରୀ ଓ ଖଣି କ୍ଷେତ୍ରରୁ ଆୟ ସାଂଘାତିକ ଭାବେ କମିଛି। ବର୍ତ୍ତମାନର ସ୍ଥିତି ଯାହା କହୁଛି ସରକାରଙ୍କ ଆୟ ମାତ୍ରାଧିକ ହ୍ରାସ ପାଇବା ସହିତ ଋଣ ବାବଦରେ ଅଧିକ ଅର୍ଥ ଆଣିବାକୁ ପଡ଼ିବ। ସେପଟେ କେନ୍ଦ୍ର ସରକାର ଋଣ ପରିମାଣ ମୋଟ ଘରୋଇ ଉତ୍ପାଦର ୩ରୁ ୫ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ଏବଂ ଏଥିପାଇଁ ବଜେଟ ଦାୟିତ୍ବ ଓ ବଜେଟ ପରିଚାଳନା ଆଇନରେ ସଂଶୋଧନ ଆଣିବାକୁ ପଡ଼ିବ। ତେଣୁ ରାଜ୍ୟ ସରକାର ବଜେଟ ଅର୍ଥ ବିନିଯୋଗ ପାଇଁ ଯେଉଁ ପ୍ରସ୍ତାବ ରଖିଥିଲେ ଆଗକୁ ସେଥିରେ ପରିବର୍ତ୍ତନ ଆଣିବାର ଯଥେଷ୍ଟ ସମ୍ଭାବନା ରହିଛି।

Comments are closed.