ନଥିରେ ବନ୍ଧା ଇ-ବିଦ୍ୟାଳୟ ଯୋଜନା : ଖତ ଖାଉଛି କମ୍ପ୍ୟୁଟର ; ପିଲାଙ୍କୁ ମିଳୁନି ଇ-ଶିକ୍ଷା

ଭୁବନେଶ୍ୱର  : ଭାରତ ଏବେ ଡିଜିଟାଲ ଆଡ଼କୁ ଅଗ୍ରସର ହେଉଛି। ଏହାକୁ ଦୃଷ୍ଟିରେ ରଖି କୃଷି, ସ୍ବାସ୍ଥ୍ୟ, ଅର୍ଥଠାରୁ ଆରମ୍ଭ କରି ଭାରତ ସରକାରଙ୍କ ପ୍ରତ୍ୟେକ ମନ୍ତ୍ରାଳୟ ପକ୍ଷରୁ ‘ଡିଜିଟାଲ ଇଣ୍ଡିଆ’କୁ ଠିକଣା କାର୍ଯ୍ୟକାରୀ କରିବାକୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯିବା ସହିତ ସବୁ ରାଜ୍ୟକୁ କାର୍ଯ୍ୟାନ୍ବୟନ ପାଇଁ ନିର୍ଦେଶ ଦିଆଯାଉଛି। ସେହି ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଡିଜିଟାଲ ତଥା ଅନ୍‌ଲାଇନ ସେବାକୁ ପ୍ରାଧାନ୍ୟ ଦିଆଯାଉଛି। ଇତିମଧ୍ୟରେ ଓଡ଼ିଶାର ପ୍ରାୟ ୨୫ଟି ବିଭାଗ ପକ୍ଷରୁ ୨୦୦ରୁ ଊର୍ଦ୍ଧ୍ବ ସରକାରୀ ସେବାକୁ ଅନ୍‌ଲାଇନରେ ସଂଯୋଗ କରାଯାଇ ସାରିଲାଣି। ତେବେ ଯେଉଁ ଉତ୍ତରପିଢ଼ି ପାଇଁ ଏସବୁ ବାସ୍ତବରେ ଉପଯୋଗୀ ହେବାକଥା ସେମାନେ କମ୍ପ୍ୟୁଟର ଶିକ୍ଷାଠାରୁ ବହୁତ ଦୂରରେ ଅଛନ୍ତି। ଦୀର୍ଘବର୍ଷ ଧରି ରାଜ୍ୟରେ ପ୍ରାଥମିକ ଓ ଉଚ୍ଚମାଧ୍ୟମିକ ସ୍ତରରେ କମ୍ପ୍ୟୁଟର ଶିକ୍ଷା ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ଛାତ୍ରଛାତ୍ରୀ ଏବେ କମ୍ପ୍ୟୁଟର ଦେଖିଲେ ଭୟ କରୁଛନ୍ତି। ଏଥିରୁ ରାଜ୍ୟ ସରକାରଙ୍କ ଯୋଜନା କିଭଳି ସଫଳ ରୂପାୟନ ହେବ ଏବଂ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ କିପରି ବିଶ୍ବସ୍ତରୀୟ ପ୍ରତିଦ୍ବନ୍ଦ୍ବିତାରେ କୃତିତ୍ବ ହାସଲ କରିବେ ତାହାକୁ ନେଇ ବୁଦ୍ଧିଜୀବୀମାନେ ଯୁକ୍ତି ବାଢ଼ିଛନ୍ତି।
ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଆଇସିଟି’ ଯୋଜନାରେ ୨୦୧୩ରେ ହାଇସ୍କୁଲ ସ୍ତରରେ ଆରମ୍ଭ ହୋଇଥିବା କମ୍ପ୍ୟୁଟର ଶିକ୍ଷା ୨୦୧୮ରୁ ଅଚଳ ହୋଇପଡିଛି। ରାଜ୍ୟରେ ୪ହଜାର ବିଦ୍ୟାଳୟରେ ଆଇସିଟି ଯୋଜନାରେ କିଣାଯାଇଥିବା କମ୍ପ୍ୟୁଟର ଲ୍ୟାବ୍‌ ଏବେ ଖତ ହେଲାଣି। କଳା ଓ ବିଜ୍ଞାନ ଶିକ୍ଷକମାନେ କମ୍ପ୍ୟୁଟର ସଂପର୍କରେ ଅନଭିଜ୍ଞ ଥିବାରୁ ସେଥିରେ ହାତ ମାରୁନାହାନ୍ତି। ସବୁଠାରୁ ବଡ଼କଥା ହେଲା, ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟରେ ୨୦୧୬ରେ ୨୦୦୦ ଇ-ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଓଡ଼ିଶା ମାଧ୍ୟମିକ ଶିକ୍ଷା ଅଭିଯାନ ପକ୍ଷରୁ ୨୦୦୦ ଇ-ବିଦ୍ୟାଳୟ ଲାଗି ୪ବର୍ଷ ହେଲାଣି ଟେଣ୍ଡର ଓ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହୋଇଛି। ହେଲେ ଗଣଶିକ୍ଷା ବିଭାଗର ଆନ୍ତରିକତା ଅଭାବରୁ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ। ଏନେଇ ହାଇକୋର୍ଟଙ୍କ ପକ୍ଷରୁ ଏକ ମାମଲାରେ ମୁଖ୍ୟ ବିଚାରପତି ସରକାରଙ୍କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କହିଥିଲେ ହେଁ ତାହା ମଧ୍ୟ ପାଳନ ହେଉନାହିଁ। ଯେଉଁ ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ଶିକ୍ଷା ପାଇଥିଲେ ଆଗାମୀ ଦିନରେ ଡିଜିଟାଲ ଶିକ୍ଷା ଏବଂ ଅନଲାଇନ ସେବାର ମଙ୍ଗ ଧରିଥାନ୍ତେ, ସେମାନଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷା ଏବେ ସାତସପନ ହୋଇଛି। ଏଥିରୁ ଓଡ଼ିଶା କେତେ ଡିଜିଟାଲ ହେବ ଏବଂ ଲୋକେ ଘରେ ବସି କିଭଳି ଅନ୍‌ଲାଇନ ସେବା ପାଇବେ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଓଡ଼ିଶା ସରକାର ଆଇସିଟି ଯୋଜନାରେ ୨୦୧୩ରେ ରାଜ୍ୟରେ ୪ ହଜାର ହାଇସ୍କୁଲରେ କମ୍ପ୍ୟୁଟର ଶିକ୍ଷା ପାଇଁ ସରକାର ଅଭିଯାନ ହାତକୁ ନେଇଥିଲେ। ଏଥିପାଇଁ କେନ୍ଦ୍ର ସରକାର ୮୦୦ କୋଟି ଟଙ୍କା ରାଜ୍ୟକୁ ପ୍ରଦାନ କରିଥିଲେ। ଏଥିରେ କେନ୍ଦ୍ରର ୭୫ ଭାଗ ଓ ରାଜ୍ୟର ୨୫ଭାଗକୁ ମିଶାଇ ଅଭିଯାନକୁ ସଫଳତା କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୪ ଫେବୃଆରୀରେ ଯୋଜନାକୁ ଶୁଭାରମ୍ଭ କରିଥିଲେ। ଉଦ୍ଦେଶ୍ୟ ରହିଥିଲା ଅଷ୍ଟମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷାଲାଭ କରି ମେଧାବୀ ହେବେ। ଏଥିପାଇଁ ଆଇଏଲଏଫଏସ ଓ ଟିସିଆଇଏଲକୁ ଶିକ୍ଷକ ନିଯୁକ୍ତି ଦାୟିତ୍ବ ଦିଆଯାଇଥିବାବେଳେ ଓକେସିଏଲକୁ ଶିକ୍ଷକମାନଙ୍କୁ ତାଲିମ ଦେବା ସହ ‘ଇ-କଣ୍ଟେଣ୍ଟ ଡେଭଲପ’ କରିବା ଏବଂ ତଦାରଖ ଦାୟିତ୍ବ ଦିଆଯାଇଥିଲା। ହେଲେ କେନ୍ଦ୍ର ସରକାର ପକ୍ଷରୁ ଆଇସିଟିର ପାଞ୍ଚବର୍ଷିଆ ଟର୍ମ ଶେଷ ହେବାକୁ ଯାଉଥିବାରୁ ଏହି ଯୋଜନା ଠପ୍ ହୋଇଯାଇଛି।
ସେହିପରି ଇ-ବିଦ୍ୟାଳୟ ଯୋଜନା ପ୍ରଣୟନ ପାଇଁ ସରକାର ୨୦୧୬ରେ ପାଗ ଭିଡ଼ିଥିଲେ। ହେଲେ ଏବେ ତାହା ଫାଇଲ ତଳେ ଚାପି ହୋଇ ରହିଛି। ସବୁଠାରୁ ବଡ଼କଥା ହେଲା, ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସହିତ ବିଭିନ୍ନ କାର୍ଯ୍ୟକ୍ରମକୁ ଡିଜିଟାଲ ମାଧ୍ୟମରେ କରିବା ପାଇଁ ଶିକ୍ଷକମାନଙ୍କୁ ନିର୍ଦେଶ ଯାଉଛି; କିନ୍ତୁ ଶିକ୍ଷକମାନେ କମ୍ପ୍ୟୁଟର ଜ୍ଞାନ ନଥିବାରୁ ତାହା କରୁନାହାନ୍ତି। ଶତାଧିକ କୋଟି ଟଙ୍କାରେ କିଣାଯାଇଥିବା କମ୍ପ୍ୟୁଟର ବର୍ଷବର୍ଷ ଧରି ପଡି ରହିବା ଯୋଗୁଁ ଏବେ ନଷ୍ଟ ହେଲାଣି। କରୋନା ମହାମାରୀ କାଳରେ ସଂକ୍ରମଣର ଭୟକୁ ଦୃଷ୍ଟିରେ ରଖି ରାଜ୍ୟଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଡିଜିଟାଲ ସେବାକୁ ଗୁରୁତ୍ବ ଦେଉଛନ୍ତି। ହେଲେ ବିଦ୍ୟାଳୟ ଗୁଡିକରେ କମ୍ପ୍ୟୁଟର ସ୍ଥାଣୁ ପାଲଟି ଯାଇଥିବାରୁ ଡିଜିଟାଲ ଶିକ୍ଷା ସବୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରୁନାହିଁ।
ଏନେଇ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ କହିବା କଥା ହେଲା ଯେ, ରାଜ୍ୟ ସରକାର ଏହାକୁ ପୁନର୍ବାର ଆରମ୍ଭ କରିବାପାଇଁ ଆଭିମୁଖ୍ୟ ରଖିଛନ୍ତି। ଏନେଇ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଓମବାଡସୀ ପାଣ୍ଠିରେ ପୁନଶ୍ଚ ଡିଜିଟାଲ ଶିକ୍ଷା ପ୍ରଚଳନ କରାଯିବାକୁ ପ୍ରକ୍ରିୟା ଜାରି ରହିଛି।

Comments are closed.