ପୁଲିସକୁ ଦିଆଯିବ ସ୍ୱତନ୍ତ୍ର ପ୍ରଶିକ୍ଷଣ, ବ୍ୟବହାର ହେବ ଆଧୁନିକ ଜ୍ଞାନକୌଶଳ – ପୁଲିସ ଡିଜି ଅଭୟ

ନକ୍ସଲ ସମସ୍ୟା, ୫ଟି, ନିଶା କାରବାର, ଅପରାଧ ନିୟନ୍ତ୍ରଣ ଓ ସାଇବର କ୍ରାଇମ ଉପରେ ଫୋକସ

ସମ୍ବଲପୁର: ଓଡିଶା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ବରିଷ୍ଠ ଆଇପିଏସ ଅଭୟ ଦିନକିଆ ଗସ୍ତରେ ସମ୍ବଲପୁର ଆସିଥିଲେ। ମହାନିର୍ଦ୍ଦେଶକ ହେବା ପରେ ପ୍ରଥମ ଗସ୍ତରେ ଗୁରୁବାର ସକାଳୁ ସମ୍ବଲପୁର ପହଞ୍ଚିବା ପରେ ଉପକଣ୍ଠସ୍ଥ ବସନ୍ତପୁରରେ ଥିବା ପୁଲିସ ଟ୍ରେନିଂ ସେଣ୍ଟର ପରିଦର୍ଶନ କରିଥିଲେ। ଏହା ପରେ ଦିନ ୧୦ଟାରେ ସେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ମୁଖ୍ୟାଳୟ ଠାରେ ପହଞ୍ଚି ରେଞ୍ଜ ଅଧିନସ୍ଥ ୫ଟି ଜିଲା ସମ୍ବଲପୁର, ବରଗଡ, ଝାରସୁଗୁଡା, ସୋନପୁର ଓ ବଲାଙ୍ଗୀର ଜିଲାର ଏସପି ମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଦିନ ତମାମ ଚାଲିଥିବା ବୈଠକରେ ମୁଖ୍ୟତଃ ୫ଟି, ମୋ ସରକାର, ନକ୍ସଲ ଗତିବିଧିର ମୂଳପୋଛ, ଅପରାଧ ନିୟନ୍ତ୍ରଣ ଓ ଅପରାଧିଙ୍କୁ ସଜା ପାଇଁ ନୂତନ ପଦକ୍ଷେପ, ଡ୍ରଗ୍ସ ଓ ନିଶା କାରବାର ଉପରେ ପ୍ରଭାବୀ ଢ଼ଙ୍ଗରେ ନିୟନ୍ତ୍ରଣ, ସାଇବର କ୍ରାଇମ ଆଦି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକ ସର୍ମ୍ପକରେ ସୂଚନା ଦେଇ କେନ୍ଦ୍ରୀୟ ରେଞ୍ଜ ପୁଲିସ ଆଇଜି ତଥା ଉତ୍ତରାଞ୍ଚଳ ପୁଲିସ ରେଞ୍ଜର ଭାରପ୍ରାପ୍ତ ଅଧିକାରୀ ଆଇଜି ନରସିଂହ ଭୋଳ କହିଛନ୍ତି ଯେ, ଉତ୍ତରାଞ୍ଚଳ ରେଞ୍ଜର ଗସ୍ତ ସମୟରେ ନକ୍ସଲ ସମସ୍ୟାର ସାମାଧାନକୁ ଗୁରୁତ୍ୱ ଦିଆଯାଉଛି। ନକ୍ସଲ ପ୍ରଭାଭିତ ଜିଲା ମାନଙ୍କରେ କିଭଳି ଭାବରେ ନକ୍ସଲ ଦମନ ପାଇଁ କାର୍ଯ୍ୟ କରାଯାଇଛି ଓ ଆଗାମୀ ଦିନ ପାଇଁ କଣ ପଦକ୍ଷେପ ନିଆଯାଇଛି, ସେ ବିଷୟରେ ସମୀକ୍ଷା କରାଯାଇଛି। ନକ୍ସଲ ଦମନ ପାଇଁ ରାଜ୍ୟ ପୁଲିସ, ସିଆରପିଏଫ, ବିଏସଏଫ, ଏସଓଜି ଓ ପୁଲିସ ମୁଖ୍ୟାଳୟ ମଧ୍ୟରେ ଭଲ ସମନ୍ୱୟ ଥିବାରୁ ହିଁ ଆଜି ଓଡିଶା ମାଓ ଦମନ କ୍ଷେତ୍ରରେ ବିପୁଳ ସଫଳତା ହାସଲ କରିଛି।

ଏହା ସହିତ ଅପରାଧ ଅନୁସନ୍ଧାନ କିଭଳି ଚାଲିଛି, ବୈଜ୍ଞାନିକ ପଦ୍ଧତି ସାହାର୍ଯ୍ୟରେ ଦୋଷୀ ମାନଙ୍କ ବିରୋଧରେ ପ୍ରମାଣ ଯୋଗାଡ କରି ଦୋଷୀ ମାନେ ଯେଭଳି ଦଣ୍ଡ ପାଇପାରିବେ ସେ ନେଇ ଆଲୋଚନା କରାଯାଇଛି। ଏହା ସହିତ ଆଗକୁ ଅପରାଧ ଅନୁସନ୍ଧାନ, ଏନବିଡବଲ୍ୟୁ କାର୍ଯ୍ୟକାରିତା, ପୁଲିସର ମାନବ ସମ୍ବଳ କମ ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଏସପି ମାନଙ୍କର ମତାମତ ନେଇ ଓଡିଶା ପୁଲିସ ପାଇଁ ଏକ ରୋଡ ମ୍ୟାପ ତିଆରି ହେବ। ମହାନିର୍ଦ୍ଦେଶକଙ୍କ ବିଭିନ୍ନ ସମୟରେ ପୁଲିସର ବିଭିନ୍ନ ଦିଗରେ ଫୋକସ ରଖି କାର୍ଯ୍ୟ କରିବାର ଯୋଜନା ରହିଛି। ଏଣୁ ବିଗତ ୯ ଦିନରେ ଏନବିଡବଲ୍ୟୁ ଉପରେ ଫୋକସ କରାଯାଇ ଯେଉଁ ଡ୍ରାଇଭ କରାଯାଇଥିଲା, ସେଥିରେ କିଛି ଜିଲା ବର୍ଷରେ ମଧ୍ୟ କରି ନ ଥିଲେ ସେମାନେ ମାତ୍ର ୯ ଦିନ ମଧ୍ୟରେ ଏନବିଡବଲ୍ୟୁ କାର୍ଯ୍ୟକାରି କରିଥିଲେ। ଯାହା ଫଳରେ ଏନବିଡବଲ୍ୟୁ କାର୍ଯ୍ୟକାରିତା ଉପରେ ଓଡିଶା ଜାତୀୟସ୍ତରରେ ରେର୍କଡ କରିଛି।

ଏଭଳି ଆଗାମୀ ଦିନରେ ଲୋକ ମାନଙ୍କ ସହିତ ପୁଲିସର ସୁବ୍ୟବହାର ଅଥବା ଅପରାଧ ଗୁଡିକର ତ୍ୱରାନ୍ୱିତ ଭାବରେ ଅନୁସନ୍ଧାନ କିମ୍ବା ପ୍ରୋଫେସନାଲ ଭାବରେ ଟ୍ରେନିଂ ନେଇ ସାଇବର କ୍ରାଇମ ଉପରେ ଲଗାମ ଆଦି ବିଭିନ୍ନ ଦିଗରେ ଗୋଟିଏ ଗୋଟିଏ ସମୟରେ ଫୋକସ କରାଯିବ। ଡିଜିପି ନିଜେ ପୂର୍ବରୁ ନାର୍କୋଟିକ୍ସ ବିଭାଗରେ ଥିବାରୁ ସେ ଅଗ୍ରନାଇଜଡ କ୍ରାଇମ ଯଥା ଗଞ୍ଜେଇ, କଫ ସିରଫ ସହିତ ଅନ୍ୟାନ୍ୟ ନିଶା କାରବାର ଉପରେ ସ୍ୱତନ୍ତ୍ର ଫୋକସ ରହିଛି। ଏଣୁ ୫ଟି ଜିଲାରେ ବିଗତ ଦିନରେ ବେଆଇନ ନିଶା କାରବାର ଉପରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା ସହିତ ଆଗାମୀ ଦିନରେ ଏଗୁଡିକ ଉପରେ ଅଙ୍କୁଶ ଲଗାଇବା ପାଇଁ ନୂତନ ପଦକ୍ଷେପ ଉପରେ ଆଲୋଚନା କରାଯାଇଛି। ଏହା ସହିତ ଆଗାମୀ ଦିନରେ ନିଶା କାରବାର ସହିତ ସଂପୃକ୍ତ ବ୍ୟକ୍ତି ମାନଙ୍କର ସମ୍ପତ୍ତିକୁ ଡ୍ରଗ୍ସ ଆଇନ ଅନୁଯାୟୀ ବ୍ୟାଜାପ୍ତ କରିବା ପାଇଁ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।

ସାଇବର କ୍ରାଇମ ଅଗ୍ରନାଇଜଡ କ୍ରାଇମର ଆଉ ଏକ ରୂପ ଅଟେ। ପ୍ରତି ଜିଲାରେ ଗୋଟିଏ ସାଇବର ପୁଲିସ ଥାନା ଖୋଲାଯିବ। ଏଣୁ ଏହାକୁ ଗୁରୁତ୍ୱ ଦେଇ ସମସ୍ତ ଏସପି ମାନଙ୍କୁ ନିଜସ୍ୱ ଜିଲା ମାନଙ୍କରେ ଅଧିକାରୀ ମାନଙ୍କୁ ପ୍ରଫେସନାଲ ଟ୍ରେନିଂ ଦେବା, ପିପି ମୋଡରେ ସାଇବର ଏକ୍ସପାର୍ଟ ମାନେ ଏଥିରେ ପୁଲିସକୁ ତଦନ୍ତରେ ସହଯୋଗ ଓ ଟ୍ରେନିଂ ଦେବା ଉପରେ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ରାଇମ ଦିନ କୁ ଦିନ ବଢ଼ି ଚାଲିଥିବାରୁ ଜନତା ନିଜେ ମଧ୍ୟ ଆଗକୁ ଆସି ପୁଲିସ ନିକଟରେ ଯେଭଳି ରିପୋର୍ଟ କରିବେ ଏବଂ ସାଇନ୍ଟିଫିକ ଭାବରେ ସମାଧାନ ପାଇବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଏବେ ସାଇବର କ୍ରାଇମର ରିପୋର୍ଟ କରିବା ପାଇଁ ଏକ ପୋର୍ଟାଲ କରାଯାଇଛି। ପୋର୍ଟାଲରେ ଯେତେ ଜଣ ଅଭିଯୋଗ କରୁଛନ୍ତି। ସେଗୁଡିକର ଅନଲାଇନ ପଞ୍ଜିକରଣର ବ୍ୟବସ୍ଥା କରାଯାଉଛି। ଏହା ସହିତ ସାଇବର କ୍ରାଇମ ଉପରେ ଜନସଚେତନା କାର୍ଯ୍ୟକ୍ରମ କରାଯାଉଛି ଏବଂ ଆହୁରୀ କରାଯିବ।

ବସନ୍ତପୁର ପୁଲିସ ଟ୍ରେନିଂ ସେଣ୍ଟରରେ ଭଲ ଭିତ୍ତିଭୂମି ରହିଛି। ମହାନିର୍ଦ୍ଦେଶକ ପରିଦର୍ଶନ କରି ସନ୍ତୋଷବ୍ୟକ୍ତ କରିଛନ୍ତି। ଏହା ସହିତ ଆଗାମୀ ଦିନରେ ଭିତ୍ତିଭୂମର ଉପଯୋଗ କରି ସେଣ୍ଟରରୁ ଅଧିକରୁ ଅଧିକ ପୁଲିସ ଅଧିକାରୀ ଓ କର୍ମଚାରୀ ଟ୍ରେନିଂ ନେଇ ପାରିବେ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ।

ଏହି ବୈଠକରେ ସବୁ ଦିଗରେ ଆଲୋଚନା କରାଯାଇ ଅପରାଧ ନିୟନ୍ତ୍ରଣ ସହିତ ପୁଲିସ କିଭଳି ଆହୁରୀ ଜନତାର ଆସ୍ଥାଭାଜନ ହୋଇପାରିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା ବୋଲି ଆଇଜି ନରସିଂହ ଭୋଳ କହିଛନ୍ତି। ଏହି ବୈଠକରେ ମହାନିର୍ଦ୍ଦେଶକ ଅଭୟ ଙ୍କ ସମେତ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଭାରପ୍ରାପ୍ତ ଆଇଜି ନରସିଂହ ଭୋଳ, ସ୍ପେଶାଲ ଟାସ୍କଫୋର୍ସ ଡିଆଇଜି ଜୟ ନାରାୟଣ ପଙ୍କଜ, ସମ୍ବଲପୁର ଏସପି ଡା. କନୱର ବିଶାଳ ସିଂହ, ଝାରସୁଗୁଡା ଏସପି ଅଶ୍ୱିନୀ ମହାନ୍ତି, ବରଗଡ ଏସପି ପଦ୍ମିନୀ ସାହୁ, ବଲାଙ୍ଗୀର ଏସପି ସନ୍ଦୀପ ମଦକାର, ସୋନପୁର ଏସପି ଦେବୀ ପ୍ରସାଦ ଦାଶ, ପ୍ରୋବେସନାରୀ ଆଇପିଏଏସ ନିତେଶ ୱାଘୱାନୀ ଉପସ୍ଥିତ ଥିଲେ।

Comments
Loading...