୧୦୨୫ ମହାବିଦ୍ୟାଳୟରେ ୫୭ ହଜାର ଆସନ ଖାଲି

ଭୁବନେଶ୍ବର:ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ଶିକ୍ଷାନୁଷ୍ଠାନରେ +୩(ସ୍ନାତକ) ପାଠ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନଭେମ୍ବର ୨୩ରୁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଗତକାଲି ନାମଲେଖା ସରିଛି। ରାଜ୍ୟର ୧୦୨୫ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ନାମଲେଖା ସମ୍ବନ୍ଧୀୟ ତଥ୍ୟ ଶୁକ୍ରବାର ଦାଖଲ କରିଛନ୍ତି।

ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟରେ ପ୍ରାୟ ୫୭ ହଜାର ୬୦୨ ଆସନ ଖାଲି ରହିଛି। ୧୦୨୫ ମହାବିଦ୍ୟାଳୟରେ କଳା,ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ ଓ ସେଲ୍ଫ ଫାଇନାନ୍ସିଂ(ନିଜସ୍ବ ଦେୟ) ପାଠ୍ୟକ୍ରମରେ ମୋଟ ୨ ଲକ୍ଷ ୫୦ ହଜାର ୧୩୯ ଆସନ ରହିଛି। ସେଥିମଧ୍ୟରୁ ଦୁଇ ପର୍ଯ୍ୟାୟରେ ୧ ଲକ୍ଷ ୯୨ ହଜାର ୫୩୭ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଦୁଇ ପର୍ଯ୍ୟାୟ ନାମଲେଖା ସରିବା ପରେ ୫୭ ହଜାର ୬୦୨ ଆସନ ଖାଲି ରହିଛି। କଳା ପାଠ୍ୟକ୍ରମରେ ୧୯ ହଜାର ୯୮୯ ଆସନ ଖାଲିଥିବା ବେଳେ ବାଣିଜ୍ୟରେ ୧୧ ହଜାର ୭୬ ଆସନ ଖାଲି ରହିଛି। ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ୫୧୦ ଆସନ ଖାଲିଥିବା ବେଳେ ବିଜ୍ଞାନ ପାଠ୍ୟକ୍ରମରେ ସର୍ବାଧିକ ୨୧ ହଜାର ୮୮୦ ଆସନ ଖାଲି ରହିଛି। ରାଜ୍ୟରେ ୨୦୨୦-୨୧ ଶିକ୍ଷାବର୍ଷରେ ୮୨ ହଜାର ୮୫୭ ଆସନ ଖାଲି ରହିଥିବା ବେଳେ ୨୦୧୯-୨୦ରେ ୫୫ ହଜାର ୬୪୫ ଆସନ ଖାଲି ରହିଥିଲା।

Comments are closed.