ପାରାଦୀପରୁ ୯୯୦ କିଲୋମିଟର ଦୂରରେ ବାତ୍ୟା ଅମ୍ଫନ୍‍ – ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା

ସମାଜ ପୋର୍ଟାଲ ଡେସ୍କ: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ସାମୁଦ୍ରିକ ବାତ୍ୟା ଅମ୍ଫନ୍‍ ଗତ ୬ ଘଣ୍ଟା ମଧ୍ୟରେ ୬ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ସାମାନ୍ୟ ତୀବ୍ର ହୋଇଛି ଏବଂ ଆଜି ସକାଳ ୫ଟା ୩୦ ସୁଦ୍ଧା କେନ୍ଦ୍ରୀଭୂତ ହୋଇଛି। ଏବେ ବାତ୍ୟା ଅମ୍ଫନ୍‍ ପାରାଦୀପ ଠାରୁ ପ୍ରାୟ ୯୯୦ କିଲୋମିଟର, ଦିଗା ଠାରୁ ୧୧୪୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଏବଂ ବାଂଲାଦେଶ ଖେପୁପାରା ଠାରୁ ୧୨୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଏକ ଭୟଙ୍କର ସାମୁଦ୍ରିକ ଝଡ଼ରେ ଏବଂ ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଅତ୍ୟଧିକ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ତୀବ୍ର ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପ୍ରାୟ ଉତ୍ତର ଦିଗକୁ ଗତି କରିବା ସହ ପରେ ଉତ୍ତର-ଉତ୍ତର ପୂର୍ବକୁ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗକୁ ପୁନର୍ବାର ବକ୍ର ହୋଇ ପଶ୍ଚିମବଙ୍ଗ – ସାଗର ଦ୍ୱୀପପୁଞ୍ଜ (ପଶ୍ଚିମବଙ୍ଗ) ଏବଂ ହାଟିଆ ଦ୍ୱୀପପୁଞ୍ଜ (ବାଂଲାଦେଶ) ମଧ୍ୟରେ ଅପରାହ୍ନରୁ ସନ୍ଧ୍ୟା ସମୟରେ ଅତିକ୍ରମ କରିବା ସମ୍ଭାବନା ରହିଛି।

ବାତ୍ୟା ଅମ୍ଫନ୍‍ ବେଳକୁ ବେଳ ଅଧିକ ସକ୍ରିୟ ହେଉଥିବା ବେଳେ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ କେତେକ ପୂର୍ବାନୁମାନ କରିଛି। ଏହି ସମୟ ମଧ୍ୟରେ ରାଜ୍ୟର ଉପକୂଳବର୍ତ୍ତୀ ଅଂଚଳରେ ଘଂଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସହ କ୍ରମଶଃ ଏହା ୬୫ କିଲୋମିଟର ବେଗରେ ପହଞ୍ଚିବା ସମ୍ଭାବନା ଥିବା ବେଳେ ୧୮ ତାରିଖ ସନ୍ଧ୍ୟା ଠାରୁ ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷ ସମ୍ଭାବନା ରହିଛି। ୧୯ ତାରିଖ ସକାଳରୁ ଓଡିଶା ଉପକୂଳରେ ଘଂଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସହ ଏହାର ଗତି ଧୀରେ ଧୀରେ ବୃଦ୍ଧି ପାଇବ ଏବଂ ପବନର ବେଗ ୭୫ରୁ ୮୫ କିଲୋମିଟର ବେଗରେ ଏବଂ ଏହା ଘଂଟାପ୍ରତି ୯୫ କିଲୋମିଟର ପର୍ଯ୍ୟନ୍ତ ପହଂଚିବା ସମ୍ଭାବନା ରହିଛି।

Comments are closed.