ଦୈନିକ ସଂକ୍ରମଣ ୯ ହଜାର ମୁହାଁ : ଲାଲ ବଳୟରେ ୪ ଜିଲା

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଦୈନିକ କ୍ଷୀପ୍ରଗତିରେ ବଢିଚାଲିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମିତ ସଂଖ୍ୟା ୯ ହଜାର ନିକଟତର ହୋଇଛି। ଗତକାଲି ୭ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଓଡ଼ିଶାରୁ ୮,୭୭୮ ଜଣ ବାହାରିଛନ୍ତି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ ସହିତ ସମ୍ବଲପୁର ଓ କଟକ ଲାଲବଳୟରେ ପ୍ରବେଶ କରିଛନ୍ତି। ଗତକାଲି ରାଜ୍ୟରେ ୭୪ ହଜାର ୬୧୧ ନମୁନା ପରୀକ୍ଷଣ ହୋଇଥିଲା। ମଙ୍ଗଳବାର ପରୀକ୍ଷା ସଂକ୍ରମଣ ହାର (ଟିପିଆର) ୧୦ ପ୍ରତିଶତ ଥିବାବେଳେ ୧୧.୭୭ ପ୍ରତିଶତକୁ ବଢିଛି। ସେହିଭଳି ଦେଶରେ ମଧ୍ୟ ଦୈନିକ ସଂକ୍ରମଣ ୨ ଲକ୍ଷ ମୁହାଁ ହୋଇଛି। ଦେଶର ୮ଟି ରାଜ୍ୟର ସଂକ୍ରମଣ ଚିନ୍ତା ବଢ଼ାଇଛି। ୩ ଶହ ଜିଲାରେ ସାପ୍ତାହିକ ସଂକ୍ରମଣ ହାର ୫%ରୁ ଅଧିକ ରହିଛି। ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଦିଲ୍ଲୀ, କେରଳ ଓ ଗୁଜରାଟରେ ସଂକ୍ରମଣ ବଢୁଛି। ତେବେ ମହାରାଷ୍ଟ୍ର ଓ ଦିଲ୍ଲୀରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇବା କିଛିଟା ଆଶ୍ବସ୍ତି ଆଣିଛି।
ଅନ୍ୟପକ୍ଷରେ ଓଡ଼ିଶାରେ ଆଜିର ସଂକ୍ରମିତଙ୍କୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫ ହଜାର ୨୪୨ରେ ପହଞ୍ଚିଛି। ଖୋର୍ଦ୍ଧାରେ ୧୧,୦୪୯ ଓ ସୁନ୍ଦରଗଡ଼ରେ ୫୨୨୬ ସକ୍ରିୟ ସଂକ୍ରମିତ ଥିବାବେଳେ ସମ୍ବଲପୁର ୩୦୬୫ ଓ କଟକ ୨୬୭୯ ସହିତ ଲାଲବଳୟରେ ଅଛନ୍ତି। ବାଲେଶ୍ବର ୧୦୨୩ ସକ୍ରିୟ ସଂକ୍ରମିତଙ୍କ ସହ ଜିଲା ଏବେ ହଳଦିଆ ବଳୟକୁ ଆସିଯାଇଛି। ଆଜି ରାଜ୍ୟର ମୋଟ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୭୯୨ ଶିଶୁ ଅଛନ୍ତି। ସଙ୍ଗରୋଧରୁ ୫୦୯୬ ଓ ସ୍ଥାନୀୟ ସଂକ୍ରମଣରୁ ୩୬୮୨ ସଂକ୍ରମିତ ବାହାରିଛନ୍ତି। ଦୁଇଟି ଜିଲାରେ ସଂକ୍ରମିତ ସଂଖ୍ୟା ୪ ଅଙ୍କରେ ପହଞ୍ଚି ଥିବାବେଳେ ୧୫ ଜିଲାରେ ତିନି ଅଙ୍କ ଓ ୧୩ ଜିଲାରେ ଏକ ଅଙ୍କରେ ରହିଛି।
ଅନ୍ୟପକ୍ଷରେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ସଂକ୍ରମଣ ହାର ୨୦ ପ୍ରତିଶତ ଉପରେ ରହିଥିବାବେଳେ ସମ୍ବଲପୁର (୧୯.୪),ମୟୂରଭଞ୍ଜ(୧୧.୩), ପୁରୀ(୧୧.୪), ଝାରସଗୁଡ଼ା (୧୦.୬), କଟକରେ ୧୦ ପ୍ରତିଶତ ଉପରେ ରହିଛି। ୫୨୨୬ ସକ୍ରିୟ ସହିତ ସୁନ୍ଦରଗଡ଼ର ସଂକ୍ରମଣ ହାର ୨୮.୧%, ଖୋର୍ଦ୍ଧା ୧୧ ହଜାର ୪୯ ସକ୍ରିୟ ସଂଖ୍ୟା ସହିତ ସଂକ୍ରମଣ ହାର ୨୦.୨ ପ୍ରତିଶତ ରହିଛି।
ଆସନ୍ତା ଦୁଇମାସ ରାଜ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ସମସ୍ତେ ସତର୍କ ରହନ୍ତୁ, କରୋନା ନିୟମ ମାନି ତୁଣ୍ଡି ପରିଧାନ କରିବା, ସାମାଜିକ ଦୂରତା ଓ ବିଶୋଧନ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି।

Comments are closed.