ସରକାରଙ୍କ ହାତରେ ୭୮୬୪ ଶଯ୍ୟା

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦ରୁ ୨୦୦ ଭିତରେ ରହୁଥିବା ବେଳେ ଏବେ ଏହା ୬୮୦ରେ ପହଞ୍ଚିଲାଣି । ଆଗକୁ ତୃତୀୟ ଲହର ସମ୍ଭାବନା ଚର୍ଚ୍ଚା ଆରମ୍ଭ ହୋଇଛି। ଏହି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ରାଜ୍ୟରେ ଏବେ ୩୨୧ ଶିଶୁ ଆକ୍ରାନ୍ତ ଥିବାବେଳେ ୧୧୭୯ ଶଯ୍ୟା(୯୩୭ ସାଧାରଣ ଶଯ୍ୟା, ୨୪୨ ଆଇସିୟୁ ଓ ୧୧୦ଟି ଭେଣ୍ଟିଲେଟର ସଂଯୁକ୍ତ ଶଯ୍ୟା)କେବଳ ଶିଶୁମାନଙ୍କ କରୋନା ଚିକିତ୍ସା ଲାଗି ସଂରକ୍ଷିତ ରହିଛି। ଇତିମଧ୍ୟରେ ମାତ୍ର ୮ଜଣ ଶିଶୁ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ୭ଜଣ ଶିଶୁ ସାଧାରଣ ଶଯ୍ୟାରେ ଚିକିତ୍ସିତ ହେଉଥିବାବେଳେ ଜଣେ କେବଳ ଗୁରୁତର ଥିବାରୁ ତାଙ୍କୁ ସ୍ବତନ୍ତ୍ର ଯତ୍ନ ପ୍ରକୋଷ୍ଠ (ଆଇସିୟୁ)ରେ ରଖାଯାଇଛି। ଅବଶିଷ୍ଟ ୩୧୩ ଶିଶୁ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି, ଯାହାକି ୯୭.୫୧ ପ୍ରତିଶତ।
ସେହିପରି ରାଜ୍ୟରେ ଏବେ ୬୬୮୫ ଶଯ୍ୟା ରହିଥିବାବେଳେ ୧୮୭ ଜଣ ଆକ୍ରାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅର୍ଥାତ ମାତ୍ର ୨.୭୯ ପ୍ରତିଶତ ଶଯ୍ୟା ବ୍ୟବହୃତ ହେଉଛି। ମୋଟ ଶଯ୍ୟା ମଧ୍ୟରୁ ୫୩୧୧ ସାଧାରଣ, ୧୩୭୪ ଆଇସିୟୁ, ୬୨୪ ଭେଣ୍ଟିଲେଟର ସଂଯୁକ୍ତ ଶଯ୍ୟା ରହିଛି। ସେଥିରୁ ୬୮ଜଣ ସାଧାରଣ ଶଯ୍ୟା, ୯୮ ଆଇସିୟୁରେ ଓ ୨୧ ଜଣ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଏବେ ୨୨୦୯ ସକ୍ରିୟଙ୍କ ମଧ୍ୟରୁ ୧୮୭ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୨୦୨୨ ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି।

Comments are closed.