ନିଜକୁ ନିଜ ପରିବାରକୁ ଓ ଜାତିକୁ ବଞ୍ଚାଇବା ପାଇଁ ଆମକୁ ସଚେତନ ହେବା ଆବଶ୍ୟକ : ବାଗଚୀ

ଭୁବନେଶ୍ବର : କରୋନା କବଳରୁ ନିଜକୁ ନିଜ ପରିବାରକୁ ଓ ଜାତିକୁ ବଞ୍ଚାଇବା ପାଇଁ ଆମକୁ ଯଥା ସମ୍ଭବ ସଚେତନତା ଅବଲମ୍ବନ କରିବାକୁ ପଡିବ। ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ସଚେତନତା ଟିମର ମୁଖ୍ୟ ସୁବ୍ରତ ବାଗଚୀ ଏହା କହିଛନ୍ତି। ବାଗଚୀ କହିଛନ୍ତି ଆମେ କେବଳ ନିଜ କଥା ଚିନ୍ତା କରିବା ପୂର୍ବରୁ ଆମ ପରିବାର କଥା ଚିନ୍ତା କରିବା ଆବଶ୍ୟକ। ବିଶ୍ବରେ ଆତଙ୍କ ଖେଳାଇଥିବା ମହାମାରୀ କରୋନା କବଳରୁ କିପରି ନିଜକୁ, ନିଜ ପରିବାରକୁ ଏବଂ ଜାତିକୁ ବଞ୍ଚାଇବା ଏହା ସମସ୍ତ ନାଗରିକଙ୍କ ଦାୟିତ୍ବ ହେବା ଆବଶ୍ୟକ। ତେଣୁ କୌଣସି ଅତ୍ୟାବଶ୍ୟକ କାର୍ଯ୍ୟ ନଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି କହିଛନ୍ତି ବାଗଚୀ।

ସେ କହିଛନ୍ତି ବର୍ତ୍ତମାନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ଏଣୁ ଆମକୁ ସଚେତନ ହେବାକୁ ପଡିବ। ରାଜ୍ୟ ସରକାର କରୋନା ପାଇଁ ଯେଉଁ ଗାଇଡଲାଇନ ଜାରି କରିଛନ୍ତି ତାହା ସମସ୍ତଙ୍କୁ ମାନିବା ଆବଶ୍ୟକ। ଲୋକମାନଙ୍କ ସ୍ବାର୍ଥ ପାଇଁ ସରକାର କାର୍ୟ୍ୟ କରୁଛନ୍ତି ଏଣୁ ଲୋକମାନେ ମଧ୍ୟ ସରକାରଙ୍କ କରୋନା ମୁକାବିଲା ଆହ୍ବାନକୁ ପାଳନ କରନ୍ତୁ। ଆସନ୍ତାକାଲି ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନକୁ ସମସ୍ତ ଜନତା ମାନିବାକୁ ଅନୁରୋଧ କରିଛନ୍ତି ବାଗଚୀ। ସେ କହିଛନ୍ତି କେବଳ ଆମ ଦେଶରେ ନୁହେଁ ଆମେରିକାର ଅନ୍ୟତମ ବଡ଼ ରାଜ୍ୟ କାଲିଫର୍ଣ୍ଣିଆରେ ଲକଡାଉନ୍ ଆରମ୍ଭ ହୋଇଯାଇଛି। ଏହି ରାଜ୍ୟ ବିଶ୍ୱ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । କାଲିଫର୍ଣ୍ଣିଆର ଲୋକ ସଂଖ୍ୟା ସହ ଓଡ଼ିଶାର ଜନସଂଖ୍ୟା ପ୍ରାୟ ସମାନ। ସେଠାରେ ଲୋକଙ୍କୁ ଘରୁ ବାହାରକୁ ଯିବା ପାଇଁ ମନା କରାଯାଇଛି। ଆମେ ମଧ୍ୟ ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ କରିବା ସହ ଦେଶର କରୋନା ମୁକାବିଲ ଯୁଦ୍ଧରେ ନିଜକୁ ସାମିଲ କରିବା ବୋଲି କହିଛନ୍ତି ସୁବ୍ରତ ବାଗଚୀ।

ବାଗଚୀ ଆହୁରି ମଧ୍ୟ କହିଛନ୍ତି କରୋନାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । କରୋନା  ନକ୍ ଡ଼ାଉନ ପାଇଁ ଲକ୍ ଡ଼ାଉନ କରାଯାଇଛି । ସମସ୍ତେ ସହଯୋଗ କଲେ ଆମେ କରୋନାର ମୁକାବିଲା କରିପାରିବା । ରାଜ୍ୟରେ ୫ଟି ଜିଲ୍ଲା ଓ ୮ଟି ସହରରେ ଲକ୍ ଡ଼ାଉନ କରାଯାଇଛି । ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ଲକ୍ ଡାଉନ ରହିବ । ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲା ପାଇଁ ଏହା ଲାଗୁ ହେବ । ଏସବୁ ଜିଲ୍ଲାରେ ସବୁ ସହର ଓ ସବୁ ଗାଁ ଲକ୍ ଡାଉନ ରହିବ । ୮ଟି ସହର ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁରରୋଡ଼, ଯାଜପୁର ଟାଉନରେ ମଧ୍ୟ ଏହି ନିୟମ ଳାଗୁ ହେବ । ଲକ୍ ଡାଉନ ସମୟରେ କିଛି ଅସୁବିଧା ହେବ କିନ୍ତୁ ବର୍ତ୍ତମାନ ସ୍ଥିତିରେ ତାଲାବନ୍ଦ ବହୁତ ଆବଶ୍ୟକ ରହିଛି । ଆସନ୍ତାକାଲି ସକାଳ ୭ଟାରୁ ୨୯ମାର୍ଚ୍ଚ ରାତି ୯ଟା ଯାଏଁ ଏହି ନିୟମ ଲାଗୁ ହେବ ।
ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୭୦ଟି ନମୂନା ପାଇଁ ପଠାଯାଇଥିବା ବେଳେ ସେଥିରୁ ୬୯ଟି ନମୁନାର ରିପୋର୍ଟ ଆସିଛି । ଆଉ ଗୋଟିଏ ନମୁନାର ରିପୋର୍ଟ ଆସିବାର ବାକି ରହିଛି ।

Comments are closed.