କାମ କରୁନି କଟକଣା : ରେଡ୍‌ ଜୋନ୍‌ରେ ୨୮ ଜିଲା

ଭୁବନେଶ୍ୱର : ଓଡ଼ିଶାରେ କରୋନା ସଂକ୍ରମଣ ଓ ମୃତ୍ୟୁରେ ବ୍ରେକ୍ ଲାଗୁନାହିଁ। ଗଞ୍ଜାମ ପରେ ଏବେ ଖୋର୍ଦ୍ଧା ଓ କଟକରେ ସଂକ୍ରମଣ ଶୀର୍ଷରେ ରହିଛି। ସେପ୍ଟେମ୍ବର ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏପରି ଅବସ୍ଥାରେ ରାଜ୍ୟର ୨୮ଟି ଜିଲା ଏବେ ରେଡ୍ ଜୋନ୍‌ରେ ରହିଛି। କେବଳ ଦେବଗଡ଼ ଓ ନୂଆପଡ଼ା ଜିଲା ୟେଲୋ ଜୋନ୍ ଭିତରେ ରହିଛି। ବାକି ସମସ୍ତ ଜିଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦୦ ଉପରେ ରହିଥିବାରୁ ସେଗୁଡ଼ିକ ରେଡ୍‌ଜୋନ୍ ମଧ୍ୟରେ ଅଛନ୍ତି। ଅଗଷ୍ଟ ୨୪ ସୁଦ୍ଧା ୨୪୨ ମୁଣ୍ଡ ନେଲାଣି କରୋନା।

ସଂକ୍ରମଣକୁ ରୋକିବା ପାଇଁ ଏବେ ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଗଜପତି ଜିଲା ସମେତ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଦୁଇ ଦିନିଆ ସାପ୍ତାହିକ ସଟ୍‌ଡାଉନ୍ ଲାଗୁ କରାଯାଇଛି। ଏହାବ୍ୟତୀତ ବିଭିନ୍ନ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍, ସଟ୍‌ଡାଉନ୍ ଲଗାଯାଇଛି। ଭଦ୍ରକ ଭଳି ଜିଲାରେ ଚଳିତ ମାସ ୩୧ ତାରିଖ ଯାଏଁ ପ୍ରତ୍ୟେକ ଦିନ ଗୋଟାଏରୁ ସଟ୍‌ଡାଉନ୍ ଲାଗୁ ହୋଇଛି। ମାସ୍କ ସାମାନ୍ୟ ନାକ ତଳକୁ ଖସିଥିଲେ ପୌର କର୍ମଚାରୀ ମାଡ଼ିବସି ୫୦୦ ଟଙ୍କା ଜୋରିମାନା ଆଦାୟ କରୁଛନ୍ତି; ଏହା ସତ୍ତ୍ବେ ସଂକ୍ରମଣ କମୁ ନାହିଁ। ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ସଂକ୍ରମିତ ବାହାରୁଛନ୍ତି। ଏବେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ପାଖାପାଖି ପହଞ୍ଚିଯାଉଛି।
ସେହିପରି ପ୍ରତ୍ୟେକ ଦିନ ହାରାହାରି ୧୦ ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଉଛନ୍ତି।

ରେଡ୍‌ ଜୋନ୍‌ରେ ଥିବା ଜିଲା ମଧ୍ୟରୁ ଖୋର୍ଦ୍ଧାରେ ସୋମବାର ସଂଧ୍ୟା ସୁଦ୍ଧା ସର୍ବାଧିକ ୫୫୩୩ ସକ୍ରିୟ ସଂକ୍ରମିତ ଅଛନ୍ତି। ସେହିପରି କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୩୦୫ ଥିବାବେଳେ ଗଞ୍ଜାମରେ ୧୮୯୭, ରାୟଗଡ଼ାରେ ୧୪୪୨, ବାଲେଶ୍ବରରେ ୧୧୪୮, ପୁରୀରେ ୧୧୨୨, ସୁନ୍ଦରଗଡ଼ରେ ୧୧୦୩, ମୟୂରଭଞ୍ଜରେ ୧୦୯୬, କୋରାପୁଟରେ ୧୦୪୮, ଭଦ୍ରକରେ ୯୭୬, ନୟାଗଡ଼ରେ ୯୩୦, ଯାଜପୁରରେ ୯୨୯, ସମ୍ବଲପୁରରେ ୮୪୨, ମାଲକାନଗିରିରେ ୬୩୫, ବଲାଙ୍ଗୀରରେ ୬୨୦, ବରଗଡ଼ରେ ୬୧୪, କନ୍ଧମାଳରେ ୫୦୬ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି। ସଂକ୍ରମଣ ହ୍ରାସ ପାଇଁ ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଅଞ୍ଚଳ ଭିତ୍ତିକ ରଣନୀତି ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ।

ସେହିପରି କରୋନା ମୃତ୍ୟୁରେ ବ୍ରେକ୍ ଲଗାଇବା ପାଇଁ ୭ଟି ମେଡିକାଲ କଲେଜର ପ୍ରଫେସରମାନଙ୍କୁ ନେଇ ଏକ ବୈଷୟିକ ଦଳ ଗଠନ କରାଯାଇଛି। ଅଗଷ୍ଟ ମାସରେ ସଂକ୍ରମଣ ହାର ଶୀର୍ଷରେ ଥିବାବେଳେ ସେପ୍ଟେମ୍ବର ମାସ ବେଳକୁ ଆହୁରି ବୃଦ୍ଧି ପାଇବ ଏବଂ ଏହା ପରେ କ୍ରମଶଃ ହ୍ରାସ ପାଇବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ରାଜ୍ୟରେ ଏବେ ଦୈନିକ ୬୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେଉଥିବାବେଳେ ପଜିଟିଭିଟି ହାର ୫.୯୮ ପ୍ରତିଶତ ରହିଛି। ରାଜ୍ୟରେ ଏବେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮୧,୪୭୯ରେ ପହଞ୍ଚିଥିବା ବେଳେ ସେଥିରୁ ୫୬,୯୨୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.