ଆଜି ରାଜ୍ୟରେ ଚିହ୍ନଟ ୬୭ ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ

ଭୁବନେଶ୍ଵର : ଗୁରୁବାର ରାଜ୍ୟରୁ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୬୭ ଜଣ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୬୬୦ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ୬୭ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୬୫ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ୧୦ଟି ଜିଲ୍ଲାରୁ ଏହି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ୧୧ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡ ଜିଲ୍ଲାରୁ ୭, ସୁବର୍ଣ୍ଣପୁରରୁ ୪, ବଲାଙ୍ଗୀର, ସମ୍ବଲପୁର ଓ ଜଗତସିଂହପୁର ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝର ଓ ବରଗଡ ଜିଲ୍ଳାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ତେବେ ବର୍ତ୍ତମାନ ଆଜି ଚିହ୍ନଟ ୬୭ ଜଣ ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆଜି ନୟାଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୭ ସଂକ୍ରମିତ ଗୁଜୁରାଟରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଉତ୍ତରପ୍ରଦେଶ ଏବଂ ଜଣେ ଆନ୍ଧ୍ରପ୍ରଦେଶରୁ ଫେରିଥିବା ବେଳେ ଉଭୟ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ବରଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ମହାରାଷ୍ଟ୍ରରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।


ଗୁରୁବାର ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୬ ସଂକ୍ରମିତଙ୍କ ମଧ୍ୟରୁ ୧୬ ଜଣ ସୁରଟରୁ, ୬ ଜଣ ମହାରାଷ୍ଟ୍ରରୁ, ୩ ଜଣ ତାମିଲନାଡୁରୁ ଫେରିଥିଲେ । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଜଣେ ସ୍ଥାନୀୟ ଲୋକ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୧ ସଂକ୍ରମିତଙ୍କ ମଧ୍ୟରୁ ୧୦ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଏମାନଙ୍କ ମଧ୍ୟରୁ ୫ ଜଣ ମହାରାଷ୍ଟ୍ରରୁ, ୩ ଜଣ ଗୁଜୁରାଟରୁ ଏବଂ ୨ ଜଣ ପଶ୍ଚିମବଙ୍ଗରୁ ଫେରିଥିଲେ । ଅନ୍ୟ ଜଣେ ସ୍ଥାନୀୟ ଲୋକ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ।

ସେହିପରି ସୋନପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ତାମିଲନାଡୁ ଏବଂ ଦୁଇ ଜଣ ମହାରାଷ୍ଟ୍ରରୁ ଫେରିଥିଲେ । ସମସ୍ତେ କ୍ହାରେଣ୍ଚାଇନ୍ ସେଣ୍ଟରରେ ରହିଥିଲେ । ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ୮ ଜଣ ପଶ୍ଚିମବଙ୍ଗରୁ, ୨ ଜଣ ଗୁଜୁରାଟରୁ ଏବଂ ଜଣେ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ । ସମସ୍ତେ କ୍ବାରେଣ୍ଚାଇନ୍ ସେଣ୍ଟରରେ ରହିଥିଲେ । ବଲାଙ୍ଗୀର ଜିଲ୍ଲାରୁ ଚିହ୍ନଟ ହୋଇଥିବା ଦୁଇ ଜଣ ସଂକ୍ରମିତ ମହାରାଷ୍ଟ୍ରରୁ ଫେରି କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । କେନ୍ଦୁଝର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଉତ୍ତରପ୍ରଦେଶରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨ ଜଣ ସଂକ୍ରମିତ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।

Comments are closed.