କରୋନାର କଡ଼ ଲେଉଟାଣି, ସଚେତନ ନହେଲେ ସ୍ଥିତି ବିଗିଡ଼ିବ

ଭୁବନେଶ୍ୱର: ଦେଶର ୭୦ ଜିଲାରେ କରୋନା ମହାମାରୀ ଦ୍ୱିତୀୟ ଲହର ବ୍ୟାପିବାରେ ଲାଗିଛି। ରୋକିବା ପାଇଁ ପୁଣିଥରେ ସେହି ରାଜ୍ୟର ବିଭିନ୍ନ ସ୍ଥାନରେ ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ପରିସ୍ଥିତି ଫେରିଛି। ଓଡ଼ିଶାରେ ଦ୍ୱିତୀୟ ଲହର ଆସିବାକୁ ଦେବାନି ବୋଲି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସଚେତନ ରହିବାକୁ କହିଛନ୍ତି; ହେଲେ ରାଜଧାନୀ ଭୁବନେଶ୍ୱର ସହର ସମେତ ବିଭିନ୍ନ ଜିଲାରେ କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଆଉ ପୂର୍ବଭଳି ସଚେତନତା ଦେଖିବାକୁ ମିଳୁନି। ଏବେଠାରୁ ସଚେତନ ନହେଲେ ଆଗକୁ ସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି।

ଗତବର୍ଷ ଭୁବନେଶ୍ବରରେ ପ୍ରଥମ ସଂକ୍ରମିତ ଚିହ୍ନଟ ପରେ କରୋନାକୁ ପ୍ରତିହତ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇଥିଲା। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା ଏବଂ ହାତ ଧୋଇବା ଉପରେ ଗୁରୁତ୍ୱ ଦେଉଥିଲେ। ପ୍ରଥମ ଲହର ପ୍ରାରମ୍ଭରେ ରାଜ୍ୟର ୯୦ ପ୍ରତିଶତ ଲୋକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ ମାର୍ଗଦର୍ଶିକା ମାନୁଥିଲେ। ୧୦ ପ୍ରତିଶତ ଅମାନିଆ ମାନୁ ନଥିଲେ। ଏହି ୧୦ ପ୍ରତିଶତ ଅମାନିଆଙ୍କ ଯୋଗୁଁ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବରରେ କରୋନା ଅନିୟନ୍ତ୍ରିତ ହୋଇଥିଲା। ଏବେ ଦ୍ୱିତୀୟ ଲହର ମହାରାଷ୍ଟ୍ର, ଗୁଜରାଟ, କେରଳ, ପଞ୍ଜାବ ଏବଂ ମଧ୍ୟପ୍ରଦେଶରେ ଦେଖାଦେଇଛି। ରେଳ, ବିମାନ ଏବଂ ବସ୍ ସ୍ୱାଭାବିକ ଭାବେ ଚଳାଚଳ କରୁଛି। ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଲୋକ ଯିବା ଆସିବା କରୁଛନ୍ତି। ଅନ୍ୟାନ୍ୟ ରାଜ୍ୟରେ ଦ୍ୱିତୀୟ ଲହର ଆସିଥିବାରୁ ଓଡ଼ିଶାକୁ ଆସିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ।

କରୋନା କାୟାବିସ୍ତାରକୁ ହୃଦୟଙ୍ଗମ କରି ସଚେତନ ହେବାର ଆବଶ୍ୟକତା ରହିଛି; କିନ୍ତୁ ଅନେକ ଅମାନିଆ ଏବେ ମାସ୍କ ପିନ୍ଧିବା ଛାଡ଼ି ଦେଲେଣି। ହାଟ ବଜାରରେ ସାମାଜିକ ଦୂରତ୍ୱ ରହୁନି। ପୂର୍ବରୁ ହାଟ ବଜାରରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ବିଏମ୍ସି ଏନ୍ଫୋର୍ସମେଣ୍ଟ ଟିମ୍ ବୁଲି ଦୋକାନୀ ଓ ଲୋକଙ୍କୁ ସଚେତନ କରୁଥିଲା। ପୁଲିସ ରାସ୍ତାରେ ଠିଆ ହୋଇ ମାସ୍କ ଯାଞ୍ଚ କରୁଥିଲା। ଅମାନିଆଙ୍କଠାରୁ ଜୋରିମାନା ଆଦାୟ ହେଉଥିଲା। ଭୟରେ ଲୋେକ ମାସ୍କ ପିନ୍ଧିବାକୁ ବାଧ୍ୟ ହେଉଥିଲେ। କରୋନା ପ୍ରକୋପ କମିବା ପରେ କୋଭିଡ ନିୟମାବଳୀକୁ ଆଉ କଡ଼ାକଡ଼ି ମାନୁ ନଥିବା ଦେଖିବାକୁ ମିଳୁଛି। ସମ୍ଭାବ୍ୟ ଦ୍ୱିତୀୟ ଲହରକୁ ଆଖି ଆଗରେ ରଖି ମାସ୍କ ଏବଂ ସାମାଜିକ ଦୂରତ୍ୱ ରକ୍ଷା ଉପରେ ପୁଲିସ ଓ ବିଏମ୍ସି ପକ୍ଷରୁ ପୂର୍ବଭଳି ପଦକ୍ଷେପ ନିଆଯାଉ ନାହିଁ। ରେଳ ଏବଂ ବିମାନ ଦ୍ବାରା ବାହାରୁ ଭୁବନେଶ୍ବରକୁ ଲୋକ ଆସୁଛନ୍ତି। ପୁଣି କଟକର ଏକ ଘରୋଇ କଲେଜରେ ୧୨ ବିଦ୍ୟାର୍ଥୀ ସଂକ୍ରମିତ ହେବା ସହରରେ ସଂକ୍ରମଣ ବ୍ୟାପୁଥିବା ଜଣାପଡିଛି। ଏବେଠୁ ସଚେତନ ନହେଲେ ଆଗକୁ ପରିସ୍ଥିତି ଅଣାୟତ୍ତ ହୋଇପାରେ।

ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଲୋକଙ୍କୁ ସଚେତନ ହେବାକୁ ପଡ଼ିବ। ନହେଲେ ପରିସ୍ଥିତି ବିଗିଡ଼ିଯିବ। ଯେଉଁ ଲୋକ ବାହାରୁ ଆସୁଛନ୍ତି ସେମାନଙ୍କ ଉପରେ ନଜର ରଖାଯାଇଛି। ୭ଦିନ ସଂଗରୋଧରେ ରଖାଯାଇ ସ୍ୱାବ୍ ପରୀକ୍ଷା କରାଯିବ। ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି, ବିମାନ ବନ୍ଦର ଏବଂ ରେଳ ଷ୍ଟେସନରେ ଲୋକଙ୍କୁ ସ୍କ୍ରିନିଂ କରାଯାଉଛି। ଗତ ୨୦ ଦିନ ହେଲା ବିଏମ୍ସି କର୍ମଚାରୀ ସେଠାରେ ରହି ସ୍କ୍ରିନିଂ କରୁଛନ୍ତି। ସମସ୍ତେ କୋଭିଡ୍ କଟକଣା ପାଳିଲେ ଦ୍ବିତୀୟ ଲହରକୁ ରୋକିହେବ।

Comments are closed.