କରୋନା ଜନିତ ମୃତ୍ୟୁ ସହାୟତା ଲାଗି ଆସନ୍ତାକାଲିଠୁଁ ଆବେଦନ

ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ମାର୍ଗଦର୍ଶିକା ଅନୁଯାୟୀ କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଉଭୟ ଅଫ୍‍ଲାଇନ୍‍ ଏବଂ ଅନ୍‍ଲାଇନ୍‍ ମାଧ୍ୟମରେ ଆବେଦନ କରିପାରିବେ। ଏହି ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ଅଫ୍‍ଲାଇନରେ ଫର୍ମ ପୂରଣ କରି ଜମା କରିବା କିମ୍ବା ଅନ୍‍ଲାଇନରେ ସିଧାସଳଖ ଆବଶ୍ୟକ ତଥ୍ୟ ପୂରଣ କରି ଆବେଦନ କରାଯାଇପାରିବ। ଏଥିଲାଗି ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ସହାୟତା ଆବେଦନ କରିବାର ୩୦ ଦିନ ମଧ୍ୟରେ ଯୋଗାଇ ଦେବେ। ଏହି ଅର୍ଥ ଆବେଦନକାରୀଙ୍କ ବ୍ୟାଙ୍କ୍‍ ଆକାଉଣ୍ଟରେ ସିଧାସଳଖ ଜମା କରାଯିବ।

ଆବେଦନକାରୀମାନଙ୍କୁ ନିଜ ନାମ ସହ ଠିକଣା, ମୋବାଇଲ୍‍ ନମ୍ବର, ଇମେଲ୍‍ ଏବଂ ଆଧାର କାର୍ଡ଼ ନମ୍ବର ସହ ମୃତ୍ୟୁର ତାରିଖ, ସ୍ଥାନ, ସ୍ଥାୟୀ ଠିକଣା, ବ୍ୟାଙ୍କ୍‍ ଆକାଉଣ୍ଟ୍‍ ନମ୍ବର ଏବଂ କୋଭିଡ୍‍ ନାଇଣ୍ଟିନ୍‍ ମୃତ୍ୟୁ ପ୍ରମାଣପତ୍ର ଦେବାକୁ ପଡ଼ିବ। ଯଦି ଏହି ସହାୟତା ରାଶି ପାଇବାପାଇଁ ଏକାଧିକ ନିକଟତମ ସମ୍ପର୍କୀୟ ଯୋଗ୍ୟ ହୋଇଥା’ନ୍ତି, ତେବେ ସମସ୍ତ ସମ୍ପର୍କୀୟଙ୍କ ନାମ ଓ ବ୍ୟାଙ୍କ୍‍ ବିବରଣୀ ଦେବାକୁ ପଡ଼ିବ। ଅଫ୍‍ଲାଇନ୍‍ ମାଧ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ଫର୍ମ ଜମା କରାଯିବ। ଅନ୍‍ଲାଇନ୍‍ ମାଧ୍ୟମରେ caps.odisha.gov.in ୱେବ୍‍ସାଇଟରେ ଆବେଦନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ କମିଟି ଦ୍ୱାରା କରୋନା ଜନିତ ମୃତ୍ୟୁ ହୋଇଥିବା ବ୍ୟକ୍ତିବିଶେଷଙ୍କ ପରିବାରବର୍ଗ ଏହି ଆବେଦନ କରିପାରିବେ।

କିଛିଦିନ ପୂର୍ବେ ସର୍ବୋଚ୍ଚ ନ୍ୟାୟାଳୟ କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।

 

Comments are closed.