ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍‌; ୨ଶହ ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ ଉପର ମୁହାଁ ହେଉଛି କରୋନା ଗ୍ରାଫ୍‌ । ଆଜି ୨ଶହ ଉପରେ କରୋନା ଦୈନିକ ସଂକ୍ରମଣ ରହିଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରୁ ଆଉ ୨୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଦେଇଛି । ଆଜିର ୨୦୪ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୧୯ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ୮୫ଜଣ ରହିଛନ୍ତି ।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୮ ସଂକ୍ରମିତ ଥିବା କୁହାଯାଇଛି । ଗତକାଲି ରାଜ୍ୟରେ ୧୫୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଆଜି ବୃଦ୍ଧି ପାଇଛି । ଆଜିର ସମସ୍ତ କରୋନା ମାମଲା ରାଜ୍ୟର ୧୭ ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୧୩ ଜିଲ୍ଲାରୁ କୌଣସି ପଜିଟିଭ୍‌ ମାମଲା ଆସିନାହିଁ ।

ଖୋର୍ଦ୍ଧାରୁ ସର୍ବାଧିକ ୮୬ଜଣ କରୋନା ପଜିଟିଭ୍‌ ଥିବାବେଳେ କଟକରୁ ୩୮, ଷ୍ଟେଟପୁଲରୁ ୨୨, ସୁନ୍ଦରଗଡ଼ରୁ ୧୮ ଓ ବାଲେଶ୍ୱରରୁ ୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ନୂଆପଡ଼ାରୁ ୪, ମୟୂରଭଞ୍ଜ ଓ ପୁରୀରୁ ୫ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକ, ଦେବଗଡ଼ ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ ପଜିଟିଭ୍‌ ରହିଥିବା କୁହାଯାଇଛି ।

ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳ, ଯାଜପୁର, କନ୍ଧମାଳ, କେନ୍ଦୁଝର ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗୋଟିଏ ଦିନରେ ରାଜ୍ୟରେ ଆଉ ୬୧ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂକ୍ରମଣ ତୁଳନାରେ ସୁସ୍ଥତା ସଂଖ୍ୟା ହ୍ରାସ ପାଇଥିବାରୁ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ବୃଦ୍ଧି ପାଇବାରେ ଲାଗିଛି ।

ରାଜ୍ୟରେ ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୨ ରହିଛି । ଅନ୍ୟପଟେ ରାଜ୍ୟରେ ଏଯାଏ କରୋନାରେ ମୋଟ୍‌ ୧୨,୮୯,୯୬୧ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨,୭୯,୯୧୦ଜଣ ସୁସ୍ଥ ହୋଇସାରିଛନ୍ତି ।

Comments are closed.