୮୮ ହଜାରକୁ ବଢ଼ିଲା ଶଯ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀକୁ ମୁକାବିଲା କରିବାପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଦମନମୂଳକ ନୀତି ଆପଣାଯାଇଛି। ଆକ୍ରାନ୍ତଙ୍କୁ ଚିକିତ୍ସା ଲାଗି ଶଯ୍ୟାର ଅଭାବକୁ ଦୃଷ୍ଟିରେ ରଖି ଏବେ ସୁଦ୍ଧା ୮୮ହଜାରକୁ ଶଯ୍ୟା ବ୍ୟବସ୍ଥା କରାଗଲାଣି। ଏଥିରେ ସରକାରୀ ଡାକ୍ତରଖାନା ଅପେକ୍ଷା ଅଧିକ ଶଯ୍ୟା ଅସ୍ଥାୟୀ କରୋନା ଯତ୍ନ କେନ୍ଦ୍ର ରହିଛି। ତେବେ ଆଜି ସୁଦ୍ଧା ରାଜ୍ୟରେ ଯେତିକି ଆକ୍ରାନ୍ତ ଅଛନ୍ତି ତା’ର ମାତ୍ର ୧୪ ପ୍ରତିଶତ ଆକ୍ରାନ୍ତ କରୋନା ଶଯ୍ୟା ବ୍ୟବହୃତ କରୁଛନ୍ତି। ୮୬ ପ୍ରତିଶତ ଶଯ୍ୟା ଏବେ ଖାଲି ପଡ଼ିଛି ବୋଲି ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସୂଚନାରୁ ଜଣାଯାଇଛି।

ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ରାଜ୍ୟ ସରକାର କରୋନାର ପ୍ରକୋପ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସବୁ କରୋନା ପ୍ରବଣ ଜିଲାରେ କରୋନା ଯତ୍ନ କେନ୍ଦ୍ର(ସିସିସି) ବଢ଼ାଇବାକୁ ଉଦ୍ୟମ କରାଯାଉଛି। ତେବେ ଅନେକ କ୍ଷେତ୍ରରେ ଆକ୍ରାନ୍ତମାନେ କରୋନା ମାର୍ଗଦର୍ଶିକା ପାଳନ କରୁ ନଥିବାରୁ ଅଧିକ ଜଟିଳ ହୋଇ ଡାକ୍ତରଖାନା ଆସୁଥିବାରୁ ସ୍ୱତନ୍ତ୍ର ଯତ୍ନ କୋଠରି(ଆଇସିୟୁ)ବ୍ୟବହାର ବଢ଼ି ଯାଇଛି। ଏବେ ସୁଦ୍ଧା ରାଜ୍ୟରେ ଥିବା ୨୮୨୩ଟି ଆଇସିୟୁ କେନ୍ଦ୍ର ମଧ୍ୟରୁ ୨୦୬୯ଟି ବ୍ୟବହୃତ ହୋଇପାରୁଛି, ଯାହାକି ୭୩.୨୯ ପ୍ରତିଶତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସୂଚନା ଅନୁଯାୟୀ ରାଜ୍ୟରେ ଏବେ ୮୭୨୯ଟି ସାଧାରଣ ଶଯ୍ୟା ରହିଥିବାବେଳେ ୪୮୫୭ଟିରେ ଆକ୍ରାନ୍ତମାନେ ଚିକିତ୍ସିତ ହେଉଛନ୍ତି। ସେହିପରି ଜୀବନରକ୍ଷାକାରୀ ଯନ୍ତ୍ର (ଭେଣ୍ଟିଲେଟର) ଶଯ୍ୟା ୮୯୦ଟି ଥିବାବେଳେ ସେଥିରୁ ୪୮୮ଟି ବ୍ୟବହୃତ ହେଉଛି, ଯାହାକି ମାତ୍ର ୫୫ ପ୍ରତିଶତ। ଅନ୍ୟପକ୍ଷରେ ସବୁ ଜିଲାରେ ସରକାରଙ୍କ ପକ୍ଷରୁ ୨୩ହଜାର ୮୦୪ଟି କରୋନା ଯତ୍ନ କେନ୍ଦ୍ର ପ୍ରସ୍ତୁତ କରାଯାଇଥିବାବେଳେ ସେଥିରେ ମାତ୍ର ୫୧୮୩ ସଂକ୍ରମିତ ଏବଂ ୫୧ହଜାର ୧୫୦ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର(ଟିଏମସି) ମଧ୍ୟରୁ ୩୪୨୧ଟି ବ୍ୟବହୃତ ହେଉଛି। ରାଜ୍ୟରେ ସମୁଦାୟ ୮୭ହଜାର ୯୪୨ଟି ବିଭିନ୍ନ ପ୍ରକାର ଶଯ୍ୟା ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବାବେଳେ ୧୨ହଜାର ୧୦୯ ଆକ୍ରାନ୍ତ ବିଭିନ୍ନ ଜିଲାରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଏବେ ୮୪ହଜାର ୭୪୬ ଆକ୍ରାନ୍ତ ଥିବାବେଳେ ପ୍ରାୟ ୭୨ହଜାର ୬୩୭ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜଣାଯାଇଛି।

Comments are closed.