କରୋନା କାୟାରେ ୧୭ ଜିଲା – ୧୮୫ ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ପାଦ ଥାପିବାର ୫୧ଦିନ ପରେ ବୁଧବାର ଜଗତସିଂହପୁର ଜିଲାରେ କରୋନା ମହାମାରୀ ତା’ର ସ୍ଥିତି ଜାହିର କରିଛି। ଆଜି ଗୋଟିଏ ଦିନରେ ଏଠାରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୩ଜଣ ଗୋଟିଏ ପରିବାର ବୋଲି ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏହି ଚାରିଜଣ ଯାକ ପୁରୁଷ ଆକ୍ରାନ୍ତ ସୁରତ ଫେରନ୍ତା। ତାଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ସେମାନଙ୍କ ବୟସ ଯଥାକ୍ରମେ ୨୬, ୩୦, ୩୨ ଓ ୪୭ ବର୍ଷ। ଗତକାଲି ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଆଜି ତାହା ପଜିଟିଭ ବୋଲି ସ୍ପଷ୍ଟ ହୋଇଛି। ତେବେ ଆଜି ରାଜ୍ୟର ୯ଜଣ କରୋନା ଆକ୍ରାନ୍ତ ବାଲେଶ୍ୱର, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା ଓ ଗଞ୍ଜାମ ଜିଲାରୁ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି। ଆଜି ଜଗତସିଂପୁର ଜିଲାରେ କରୋନା ତା’ର ସ୍ଥିତି ଜାହିର କରିବାପରେ ଓଡ଼ିଶାର ସମ୍ପୂର୍ଣ୍ଣ ଉପକୂଳ ଜିଲାକୁ ଅକ୍ତିଆରକୁ ଯାଇଥିବାବେଳେ ୧୭ ଜିଲାରେ କରୋନା ତା’ର ପ୍ରବାଭ ଜାହିର କରିଛି।

ସୂଚନା ଅନୁଯାୟୀ, ଯାଜପୁରରେ ଆଜି ଚିହ୍ନଟ ହୋଇଥିବା ଦୁଇଜଣ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୭ବର୍ଷୀୟ ପୁରୁଷ ଥିବାବେଳେ ଆଉ ଜଣେ ୬୫ ବର୍ଷୀୟ ବୃଦ୍ଧ ରହିଛନ୍ତି। ସେମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାଯାଇଛି। ହେଲେ ଏମାନଙ୍କ ସହିତ କେଉଁମାନେ ଲିଙ୍କରେ ଆସିଛନ୍ତି ତାହା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ସେହିପରି ଗଞ୍ଜାମରେ ଆଜି ଜଣେ ୧୮ବର୍ଷୀୟ ଯୁବକ ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛନ୍ତି। ସେ ନିକଟରେ ସୁରତରୁ ଫେରିଥିଲେ। ତାଙ୍କୁ ସଙ୍ଗରୋଧରେ ରଖାଯାଇଥିଲା ଏବଂ ନମୁନା ପରୀକ୍ଷା ପରେ ଆଜି ତାହା ପଜିଟିଭ ବୋଲି ସ୍ପଷ୍ଟ ହୋଇଛି। ତାଙ୍କ ସହିତ କେଉଁମାନେ ସଂସ୍ପର୍ଶରେ ଆସିଥିଲେ ତାହା ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଉଛି। ବାଲେଶ୍ୱରରେ ମଧ୍ୟ ଅନୁରୂପ ଭାବେ ଜଣେ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ରାନ୍ତଙ୍କ ବୟସ ୪୮ବର୍ଷ। ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସ୍ପଷ୍ଟ ହୋଇଥିଲେ ହେଁ ତାଙ୍କର କଂଟାକ୍ଟରେ କିଏ ସବୁ ରହିଛନ୍ତି ତାହା ଜଣାପଡିନାହିଁ। କେନ୍ଦ୍ରାପଡାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ବୟସ ୬୦ବର୍ଷ ହୋଇଥିବା ବେଳେ ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାଯାଇଛି। ଏହି ସମସ୍ତ କରୋନା ଆକ୍ରାନ୍ତଙ୍କୁ କୋଭିଡ଼ ହସ୍ପିଟାଲରେ ଚିକିିିତ୍ସିତ କରାଯାଉଛି ଏବଂ ସେମାନଙ୍କ କଂଟାକ୍ଟ ଟ୍ରେସିଂ ଜାରି ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Comments are closed.