ରାଜ୍ୟ କଂଗ୍ରେସର ସ୍ଥିତି : ନେତା ଆସିଲେ ତତ୍ପର; ଗଲା ପରେ ଶିଥିଳ

ଭୁବନେଶ୍ୱର : ରାଜ୍ୟରେ ବିଜେଡି ଏବଂ ପ୍ରମୁଖ ବିରୋଧୀ ବିଜେପି ଆଗକୁ ମାଡ଼ି ଚାଲିଥିବାବେଳେ ଅନ୍ୟତମ ବିରୋଧୀ କଂଗ୍ରେସ ଏହି ଦୁଇଦଳ ବିରୋଧରେ ଯେଭଳି ଆଭିମୁଖ୍ୟ ଗ୍ରହଣ କରିବା କଥା ସେଭଳି ରଣନୀତି ଆପଣେଇବାରେ ସଫଳ ହୋଇନାହିଁ। ନିର୍ବାଚନ ପୂର୍ବରୁ ପିସିସି ସଭାପତିଙ୍କ ହୋର୍ଡଂିରେ ଲେଖାଥିଲା- ‘ଉଠିବ କଂଗ୍ରେସ, ହସିବ ଓଡ଼ିଶା।’ ମାତ୍ର ଗଲା ନିର୍ବାଚନରେ ଦଳର ଶୋଚନୀୟ ବିପର୍ଯ୍ୟୟ ଘଟିଲା। ଏଥିପାଇଁ ପିସିସି ଓ ଛାମୁଆ ସଂଗଠନ ଭାଙ୍ଗି ଦିଆଯାଇଥିଲା। ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଭାବେ ପ୍ରଦୀପ ମାଝି ଓ ଚିରଞ୍ଜୀବ ବିଶ୍ୱାଳ ଅଛନ୍ତି। ଗତ ୬ ମାସ ଧରି ପିସିସି ପୁନର୍ଗଠନ ହୋଇପାରୁନାହିଁ। କେନ୍ଦ୍ରୀୟ ନେତାଙ୍କ ଆଗମନରେ ଚଳଚଞ୍ଚଳ ହୋଇ ଉଠୁଥିବା ଏହି ଦଳର ନେତାମାନେ ଫେରିଯିବା ପରେ ନିରବି ଯାଉଛନ୍ତି। କେବଳ ମଝିରେ ମଝିରେ ଛୋଟ ଛୋଟ କାର୍ଯ୍ୟକ୍ରମ ଭିତରେ ପତିଆରା ଦେଖାଇ ସ୍ଥିତି ରକ୍ଷା ଉଦ୍ୟମ ହେଉଛି। ଏଥିପାଇଁ ଦଳର ନେତା ଓ କର୍ମୀଙ୍କ ଭିତରେ ଉତ୍ସାହ ଦେଖାଯାଉନାହିଁ। ଦଳୀୟ କର୍ମକର୍ତ୍ତା ହେବାକୁ ଯେତିକି ପ୍ରତିଯୋଗିତା ଦଳକୁ ଆଗକୁ ବଢାଇବା ପାଇଁ ସେଭଳି ଆନ୍ତରିକତା ନାହିଁ।
ଗତ ଡିସେମ୍ବର ୨୮ରେ ୧୩୪ତମ ପ୍ରତିଷ୍ଠା ଦିବସରେ ଏଆଇସିସି ମୁଖପାତ୍ର ଅଖିଳେଶ ପ୍ରତାପ ସିଂ ଆସିବାବେଳେ ଦଳୀୟ ଶୋଭାଯାତ୍ରା ଓ ଶକ୍ତି ପ୍ରଦର୍ଶନ କରାଯାଇଥିଲା। ଏହାପରେ ଜାନୁଆରୀ ୬ରେ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବାପାଇଁ କଂଗ୍ରେସ ଭବନରେ ରାଜ୍ୟସ୍ତରୀୟ ତ୍ରିସ୍ତରୀୟ ପଞ୍ଚାୟତିରାଜ ପ୍ରତିନିଧି ସମ୍ମିଳନୀରେ ପୂର୍ବତନ ସାଂସଦ ମୀନାକ୍ଷୀ ନଟରାଜନ ଯୋଗଦେଇଥିଲେ। ଏହାପରେ କେନ୍ଦ୍ରୀୟ ଶ୍ରମ ସଂଗଠନଗୁଡ଼ିକ ଜାନୁଆରୀ ୮ରେ ଭାରତ ବନ୍ଦ ଡାକରାରେ କଂଗ୍ରେସ ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହୋଇଥିଲା। ସେହିଭଳି କଂଗ୍ରେସର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ଗତ ୧୬ରେ କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ଏଆଇସିସି ସଂପାଦକ ରୁଦ୍ର ରାଜୁ ପ୍ରମୁଖ ଦଳର ଆଗାମୀ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଥିଲେ। ଦେଶର ଏକତା, ଅଖଣ୍ଡତା ଓ ସଂହତି କଂଗ୍ରେସର ମୂଳଲକ୍ଷ୍ୟ ଦର୍ଶାଇ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରଭାରୀ ଶ୍ରୀ ସିଂ ପରାମର୍ଶ ଦେଇଥିଲେ; କିନ୍ତୁ ସେହିଦିନ କଂଗ୍ରେସ ଭବନ ବାହାରେ ପିସିସି ସଭାପତି ପରିବର୍ତ୍ତନ ପାଇଁ ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ନେତ୍ରୀ ସନ୍ଧ୍ୟା ମହାପାତ୍ର ଓ ତାଙ୍କ ସମର୍ଥକ ଏକାଠି ହୋଇ କେନ୍ଦ୍ରୀୟ ନେତାଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଦଳ ଭିତରେ ଗୋଷ୍ଠୀକନ୍ଦଳ ଓ ବିଶୃଙ୍ଖଳାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ପ୍ରଭାରୀ ଶ୍ରୀ ସିଂ କହିଥିଲେ ମଧ୍ୟ ପୂର୍ବତନ ଛାତ୍ର କଂଗ୍ରେସ ନେତା ଇତିଶ ପ୍ରଧାନ ପିସିସି ସଭାପତିଙ୍କ ବିରୋଧରେ ହୋ-ହଲ୍ଲା କରିଥିଲେ। ଏଭଳି ଅବସ୍ଥା ସୃଷ୍ଟି ହେଲା ଯେ ଦଳୀୟ ନେତାମାନେ ନିଜ ସୁରକ୍ଷା ପାଇଁ ବାଉନ୍‍ସର ମଗାଇଥିଲେ। ଯେଉଁଥିପାଇଁ ଦଳକୁ ସମାଲୋଚିତ ହେବାକୁ ପଡ଼ିଥିଲା। କଂଗ୍ରେସ ଭବନକୁ କିଏ ସେମାନଙ୍କୁ ଡାକିଥିଲା ଏହାକୁ ନେଇ ୩ ଜଣିଆ କମିଟି ଗଠନ ହୋଇଥିଲେ ମଧ୍ୟ ତା’ର ରିପୋର୍ଟ ଏପର୍ଯ୍ୟନ୍ତ ମିଳିନାହିଁ।

୧୭ରେ ନାଗରିକ ସଂଶୋଧନ ଆଇନ(ସିଏଏ), ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ଓ ଜାତୀୟ ନାଗରିକ ପଞ୍ଜିକା(ଏନଆରସି)କୁ ବିରୋଧ କରିବାକୁ ଦଳର କେନ୍ଦ୍ରୀୟ ନେତା ଦିଗ୍‍ବିଜୟ ସିଂ ଆସି ରାଜ୍ୟ କଂଗ୍ରେସ ନେତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଗତ ୩୦ରେ ସିଏଏକୁ ବିରୋଧକରି କଂଗ୍ରେସ-ବାମଦଳ ମିଶି ‘ଦେଶ ବଞ୍ଚାଅ ଓ ସମ୍ବିଧାନ ବଞ୍ଚାଅ’ ସମାବେଶ କରିଥିଲେ। ଏଥିରୁ କଂଗ୍ରେସ ସେଭଳି ରାଜନୈତିକ ଫାଇଦା ନେଇପାରିନି। ଗତ ପହିଲାରେ କିଷାନ କଂଗ୍ରେସର ଉପାଧ୍ୟକ୍ଷ ସୁରେନ୍ଦ୍ର ସୋଲାଙ୍କି କଂଗ୍ରେସ ଭବନରେ କର୍ମଶାଳା କରି ରାଜ୍ୟରେ ଚାଷୀଙ୍କ ଅଧିକାର ପାଇଁ ଦଳ ସଂଗ୍ରାମ ଜାରି ରଖିବ ବୋଲି କହିଥିଲେ।
କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ପାଇଁ ପିସିସି ପୁନର୍ଗଠନ ଅଙ୍କ ଛିଣ୍ଡୁନାହିଁ। ଏଭଳି ସ୍ଥିତିରେ କଂଗ୍ରେସ ନିଜ ସାଂଗଠନିକ ସ୍ଥିତିକୁ ମଜଭୁତ କରିବା ସମ୍ଭବ ହୋଇପାରୁନି। ଫଳରେ ନିରଞ୍ଜନଙ୍କ ‘ଉଠିବ କଂଗ୍ରେସ, ହସିବ ଓଡ଼ିଶା’ ସ୍ଲୋଗାନ ମାଟି କାମୁଡିଛି।

Comments are closed.