ଓଡିଶାର ବିକାଶ ପ୍ରକ୍ରିୟାରେ ସାମୂହିକ ପ୍ରଚେଷ୍ଠା ଲୋଡା

0

ଭୁବନେଶ୍ୱର : ଦାରିଦ୍ର୍ୟ, ସାମାଜିକ ସୁରକ୍ଷା ଓ ଅସମାନତା ଭଳି ବିଭିନ୍ନ କାରଣ ଆମ ରାଜ୍ୟର ପ୍ରଗତି ପଥରେ ପ୍ରତିବନ୍ଧକ ସାଜିଛି। ରାଜ୍ୟର ସାମୂହିକ ବିକାଶ କ୍ଷେତ୍ରରେ ଏହି ପ୍ରତିବନ୍ଧକଗୁଡିକୁ ପ୍ରତିହତ କରି ଉନ୍ନତିମୂଳକ କାର୍ଯ୍ୟକ୍ରମଗୁଡିକର ସଫଳ ରୂପାୟନ ଏବଂ ତ୍ୱରାନ୍ୱିତ କରିବା ନିହାତି ଅପରିହାର୍ଯ୍ୟ। ଏହି ପରିପ୍ରେକ୍ଷୀରେ ଓଡିଶା ବିକାଶ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ଆସନ୍ତା ଅଗଷ୍ଟ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଆୟୋଜିତ ହେବାକୁ ଯାଉଛି । ଓଡ଼ିଶାର ବିକାଶ ଢାଞ୍ଚା ଓ ଏଥିରେ ଥିବା ସମସ୍ୟାଗୁଡ଼ିକୁ ବୁଝିବା, ତୃଣମୂଳ ସ୍ତରରେ ଉନ୍ନତିମୂଳକ କାର୍ଯ୍ୟକ୍ରମଗୁଡିକର ସଫଳ ରୂପାୟନ ପାଇଁ ସଂଗଠିତ ପ୍ରୟାସକୁ ନିଶ୍ଚିତ୍‍ କରିବା ଓ ତୃଣମୂଳ ସ୍ତରୀୟ ସମସ୍ୟା ଓ ପ୍ରତିବନ୍ଧକଗୁଡ଼ିକୁ ସରକାରଙ୍କ ପାଖରେ ପହଞ୍ଚାଇବା ଏହି ସମ୍ମିଳନୀର ଆଭିମୁଖ୍ୟ ବୋଲି ଓଡିଶା ବିକାଶ ସମ୍ମିଳନୀର ଆୟୋଜକମାନେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ରାଜ୍ୟର ସାମଗ୍ରିକ ତଥା ନିରନ୍ତର୍‍ ବିକାଶ ସୂଚୀ ହାସଲ କରିବା ପାଇଁ ସାମୁହିକ ପ୍ରଚେଷ୍ଟାର ଆବଶ୍ୟକତା ରହିଛି ବୋଲି ସମ୍ମିଳନୀର ଆୟୋଜକ ମଣ୍ଡଳୀଙ୍କ ତରଫରୁ ପ୍ରକାଶ। ଏହି ସମ୍ମିଳନୀ ସାମାଜିକ ଅନୁଷ୍ଠାନ୍‍, ଗୋଷ୍ଠୀ ସ୍ତରୀୟ ସଙ୍ଗଠନ, ସରକାରୀ ଅଧିକାରୀ, ନୀତି ନିର୍ଦ୍ଧାରକ, ଶିକ୍ଷାନୁଷ୍ଠାନ ଓ କର୍ପୋରେଟ୍‍ ସଂସ୍ଥାମାନେ ଏକାଠି ରାଜ୍ୟର ବିକାଶ ଦିଗରେ ତର୍ଜମା କରିବା ତଥା ସମାଧାନର ପନ୍ଥା ନିର୍ଦ୍ଧାରଣ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ଆୟୋଜକ ମଣ୍ଡଳୀର ସଦସ୍ୟ ଘାସିରାମ ପଣ୍ଡା କହିଛନ୍ତି। ଓଡ଼ିଶାର ଜନଜାତି ସଶକ୍ତିକରଣ ଓ ବିକାଶ, ବୃଷ୍ଟିପୁଷ୍ଟ କୃଷି, ନିଯୁକ୍ତି ଓ ସ୍ଥାନାନ୍ତର, ଦକ୍ଷତା ଓ ସ୍ୱାବଲମ୍ବୀ ବିକାଶ, ଖାଦ୍ୟ ଓ ପୁଷ୍ଟି ନିରାପତ୍ତା, ସ୍ୱାସ୍ଥ୍ୟ, ଜଳ ପରିମଳ ଓ ପରିଚ୍ଛନ୍ନତା, ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ଓ ପ୍ରଭାବ, ବିଦ୍ୟାଳୟ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାଦାନ, ସାମାଜିକ ଉତ୍ତରଦାୟିତ୍ୱ, ଜଙ୍ଗଲ ଓ ପ୍ରାକୃତିକ ସମ୍ବଳ, ନଦୀ ପରିସଂସ୍ଥା, ସହରାଞ୍ଚଳ ସ୍ୱାୟତ୍ତଶାସନ, ପଞ୍ଚାୟତିରାଜ, ବିଶ୍ୱବିଦ୍ୟାଳୟ- ଗୋଷ୍ଠୀ ସମ୍ପର୍କ ଓ ଶିଶୁ ଅଧିକାର ଆଦି ୧୯ଟି ପ୍ରସଙ୍ଗରେ ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଷଦ ଆଲୋଚନା କରାଯିବା ସହ ଭବିଷ୍ୟତ କାର୍ଯ୍ୟ ପନ୍ଥା ନିରୂପଣ କରିବାର ଯୋଜନା ରଖାଯାଇଛି ବୋଲି ଶ୍ରୀମତୀ ସ୍ନେହ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।

• ଉଦ୍‍ଘାଟନ ସମାରୋହରେ ଯୋଗଦେବେ ନିତି ଆୟୋଗ ଉପାଧ୍ୟକ୍ଷ;
• ୭୩ତମ ସମ୍ବିଧାନ ସଂଶୋଧନର ୨୫ ବର୍ଷ ପରେ ପଞ୍ଚାୟତି ରାଜ ବ୍ୟବସ୍ଥାର ସ୍ଥିତି ସମ୍ପର୍କରେ ହେବ ଆଲୋଚନା;
• ରାଜ୍ୟର ସର୍ବାଙ୍ଗୀନ ଉନ୍ନତି କ୍ଷେତ୍ରରେ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କ ଭୂମିକା ସମ୍ପର୍କରେ କାର୍ଯ୍ୟ ଖସଡା ପ୍ରସ୍ତୁତି;

ଓଡିଶା ପାଇଁ ଧାର୍ଯ୍ୟ ନିରନ୍ତର ବିକାଶ ସୂଚୀ ୨୦୩୦କୁ ସଫଳ ଭାବେ ହାସଲ କରିବା ପାଇଁ ଏହି ସମ୍ମିଳନୀ ଅନେକାଂଶରେ ସହାୟକ ହେବ ଏବଂ ସରକାରୀ ବିଭାଗ, ସାମାଜିକ ଅନୁଷ୍ଠାନ, ଗୋଷ୍ଠୀ ଭିତ୍ତିକ ସଂଗଠନ, କର୍ପୋରେଟ୍‍ ଜଗତ,

ଶିକ୍ଷାନୁଷ୍ଠାନ ଆଦିଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ସହାୟକ ହୋଇପାରିବ। ଏହି ସମ୍ମିଳନୀଟି ଅଗଷ୍ଟ ୨୪ ତାରିଖରୁ ତିନି ଦିନ ଧରି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସମାନ୍ତରଳ ଭାବେ ଅନୁଷ୍ଠିତ ହେବ ବୋଲି ଓଡିଶା ବିକାଶ ସମ୍ମିଳନୀର ଆବାହକ ଜଗଦାନନ୍ଦ ସୂଚନା ଦେଇଛନ୍ତି।

Leave A Reply