ଚାରିଛକ ବସଷ୍ଟପ୍‌‌ରେ ନାହିଁ ପିଇବା ପାଣି ବ୍ୟବସ୍ଥା

ହରଭଙ୍ଗା: ଗ୍ରୀଷ୍ମ ଋତୁ ଆରମ୍ଭ ନହେଉଣୁ ଖରାର ପ୍ରକୋପ ବୃଦ୍ଧି ପାଇଲାଣି। ମଧ୍ୟାହ୍ନ ବେଳକୁ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି। ଫେବୃୟାରୀରୁ ଗ୍ରୀଷ୍ମର ପ୍ରକୋପ ଦେଖିଲେ ଆଗକୁ ଅଗ୍ନିବର୍ଷାର ସମ୍ଭାବନା ଆଶଙ୍କା କରାଯାଉଛି। ସମୟ ପୂର୍ବରୁ ହରଭଙ୍ଗା ବ୍ଲକ ସଦରମହକୁମାର ଜନଗହଳୀପୂର୍ଣ୍ଣ ଚାରିଛକ ବସଷ୍ଟପରେ ଯାତ୍ରୀଙ୍କ ପାଇଁ ସାମାନ୍ୟ ପିଇବା ପାଣି ସୁବିଧା ନଥିବା କଥାକୁ ଲକ୍ଷ୍ୟକଲେ ପ୍ରଶାସନର ଗ୍ରୀଷ୍ମ ମୁକାବିଲା ପ୍ରସ୍ତୁତି ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି ହେଉଛି।

ପ୍ରକାଶ ଯେ, ଚାରିଛକ ଭଳି ବଜାରରେ ଫୁଲବାଣୀ, ଭୁବନେଶ୍ୱର, ବଲାଙ୍ଗୀର, ଅନୁଗୁଳ ଭଳି ଚାରିଦିଗକୁ ଯାତାୟତ ପାଇଁ ଗମନାଗମନ ସୁବିଧା ରହିଛି। ଛକ ଉପରେ ରହିଥିବା ଚାରିପାର୍ଶ୍ବରେ ୪ଟି ବସଷ୍ଟପ ରହିଥିଲେ ମଧ୍ୟ କୌଣସି ବସଷ୍ଟପରେ ଯାତ୍ରୀଙ୍କ ପାଇଁ ଯାତ୍ରୀ ବିଶ୍ରାମଗାର ତ ଦୂରର କଥା ପିଇବା ପାଣି ସୁବିଧା ନଥିବା ଯାତ୍ରୀଙ୍କ ଅସନ୍ତୋଷର କାରଣ ପାଲଟିଛି। ଏ ଦିଗରେ ନା ବ୍ଲକ ପ୍ରଶାସନ ନା ଜାତୀୟ ରାଜପଥ କର୍ତ୍ତୃପକ୍ଷ କାହାର ଦୃଷ୍ଟି ନପଡ଼ିବା ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯାତ୍ରୀଙ୍କ ସୁବିଧା ନିମନ୍ତେ ତୁରନ୍ତ ପିଇବା ପାଣିର ବ୍ୟବସ୍ଥା କରିବା ପାଇଁ ସମାଜସେବୀ ବିଶୀକେଶନ ପ୍ରଧାନ ଦାବୀ କରିଛନ୍ତି। ଏ ଦିଗରେ ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ଉଠୁଛି।

Comments are closed.